Before Header

ଆଉ ଏକ ନଗଡ଼ା: ନେହେଲା

0 14

ଥୁ.ରାମପୁର (ବଡ଼ ଖବର ବ୍ୟୁରୋ): ୨୦ ଦିନରେ ୪ ଜଣଙ୍କ ମୃତ୍ୟୁ, ୧୦ ଜଣ ଅସୁସ୍ଥ । ପୁଷ୍ଟି ହିନତାର ଶିକାର ହୋଇଛନ୍ତି ଅନେକ ଶିଶୁ। ଗତ ୨୦ ଦିନ ମଧ୍ୟରେ ୪ଜଣଙ୍କ ମୃତ୍ୟୁ। ଯାହା ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ କାଣିଗୁମା ଗ୍ରାମ ପଞ୍ଚାୟତ ନେହେଲା ଗ୍ରାମରେ। ପ୍ରଥମେ ଜ୍ବରରେ ଆକ୍ରାନ୍ତ ହୋଇ ଗତ ୮ଓ୯ ତାରିଖ ଦିନ ଧନୁର୍ଜୟ ମାଝୀଙ୍କ ୧୬ ବର୍ଷୀୟ ପୁଅ ଅମର ସିଂର ମୃତ୍ୟୁ ହୋଇଥିଲା।

୧୫ ତାରିଖ ଦିନ ୬୦ ବର୍ଷୀୟା ଲାଖିଆ ପରାଭୋଇ ଓ ୧୯ ତାରିଖ ଦିନ ୨୦ ବର୍ଷୀୟା ସୁଶାନ୍ତୀ ନାଏକ ଏବଂ ୨୭ ତାରିଖ ଦିନ ୧୮ ବର୍ଷୀୟା ସୁମନୀ ମାଝୀଙ୍କ ଅକାଳ ବିୟୋଗ ହୋଇଥିଲା।ସମସ୍ତ ମୃତକ ଜ୍ବରରେ ପିଡିତ ଥିବା ପରିବାର ଲୋକ ସୂଚନା ଦେଇଛନ୍ତି।ଏପରିକି ପ୍ରାୟ ୧୦ ଜଣ ଏବେ ମଧ୍ୟ ଜ୍ବରରେ ଆକ୍ରାନ୍ତ ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଲକ୍ଷ୍ମଣ ମାଝୀଙ୍କ ୨ ବର୍ଷୀୟା ଏକ ଶିଶୁ କନ୍ୟା ଅମ୍ରୀତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଅନ୍ୟ ପଟରେ ୩୦ ବର୍ଷୀୟ ଡମେନ ମାଝୀ, ୬୦ ବର୍ଷୀୟା ନୂଆଦେଇ ମାଝୀ, ଚମ୍ପା ବେଓ୍ବା, ମହେନ୍ଦ୍ର ମାଝୀ ଓ ଗଙ୍ଗାଧର ମାଝୀ ପ୍ରମୁଖ ଜ୍ବରରେ ଆକ୍ରାନ୍ତ ହେଇଛନ୍ତି।

ଏନେଇ ଏକ ଡିକ୍ତରୀ ଦଳ ଗୁରୁବାର ଦିନ ପହଞ୍ଚି ୩୫ ପିଡୀତଙ୍କ ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା କରିଥିଲେ କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୪ ଜଣଙ୍କ ମ୍ୟାଲେରିଆରେ ଆକ୍ରାନ୍ତ ହେଇଥିବା ଜଣାପଡିଥିଲା।ଶୁକ୍ରବାର ଦିନ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନ ସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ସାହୁ, ଏମ୍.ଟି.ଏସ୍ ଅଜିତ କୁମାର ପଣ୍ଡାଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଲ୍.ଟି ବଂଶଧର ସିଂ ଓ ନବିନ ସାହୁ ପହଞ୍ଚି ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ।ଏହା ସହ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଡ. ସମ୍ବିତ ବିଶ୍ବାଳଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଥିଲେ।

ଅନେକ ମହିଳା ଓ ଶିଶୁ ଏବେ ମଧ୍ୟ ପୁଷ୍ଟିକର ଖାଦ୍ୟ ଅଭାବରୁ ରକ୍ତ ହିନତାର ଶିକାର ହୋଇଥିବା ଦେଖାଦେଇଛି। ଅନ୍ୟ ପଟେ ୪ ଜଣଙ୍କ ମୃତ୍ୟୁର କାରଣ ଖୋଜାଯାଉଥିଲେ ମଧ୍ୟ କୌଣସି ସଠିକ ନିଷ୍ପତ୍ତିରେ ପହଞ୍ଚି ପାରୁନାହିଁ ସ୍ବାସ୍ଥ୍ୟ ବିଭାଗ।ଲୋକଙ୍କ ମଧ୍ୟରେ ଏବେ ମଧ୍ୟ ଅନ୍ଧ ବିଶ୍ବାସ ଲାଗିରହିଛି।ଲୋକେ ସ୍ବାସ୍ଥ୍ୟ ସେବା ବଦଳରେ ଗୁରୁ ଗୁଣିଆ ଉପରେ ବିଶ୍ବାସ କରୁଥିବା ଦେଖିବାକୁ ମିଳୁଛି।ଏହା ଜ୍ବର ଦେବୀଙ୍କ ପ୍ରଭାବରୁ ହେଉଛି।ଔଷଧ ଖାଇଲେ ଦେବୀ ରାଗିଯିବେ ଏଭଳି ମତ ଦେଉଥିବାରୁ ସାଧାରଣ ଲୋକଙ୍କୁ ବୁଝାଇବା ସମ୍ଭବ ହେଉନାହିଁ। ଶିକ୍ଷାର ଅଭାବ ଯୋଗୁଁ ସଚେତନତା ନଥିବା ଆଲୋଚନା ହେଉଛି। ଅନ୍ୟ ପଟେ “ସ୍ବାସ୍ଥ୍ୟ ସ୍ବରାଜ’ର କାର୍ୟ୍ୟ ଦକ୍ଷତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନ୍ୟ ପଟେ ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ ଅଣ ଓଡ଼ିଆ ତେଣୁ ସାଧାରଣ ଲୋକଙ୍କ କଥା ବୁଝିପାରୁନଥିବାରୁ ଏଭଳି ସମସ୍ୟା ସୃଷ୍ଟି ଦେଖାଦେଇଥିବା ସାଧାରଣରେ ଆଲୋଚନା ହେଉଛି।ପାନୀୟ ଜଳ ପାଇଁ ନଳକୂପ ଥିଲେ ମଧ୍ୟ ବହୁଲୋକ ନିକଟସ୍ଥ ନାଳର ପାଣି ସ୍ନାନ ଶୌଚାଦି ପାଇଁ ବ୍ୟବହାର କରୁଛନ୍ତି।

ଏହି ଗାଁରେ ଅଙ୍ଗନବାଡି କେନ୍ଦ୍ର ଥିଲେ ମଧ୍ୟ ପ୍ରାୟ ୧୦ କିମି ଦୂରରେ ସହାୟିକା ରହୁଥିବାରୁ ଏହି କେନ୍ଦ୍ରର ଶିଶୁ ଓ ମହିଳାଙ୍କୁ ସଠିକ ସମୟରେ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି।ତେଣୁ ତୁରନ୍ତ ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ୱ ନଦେଲେ ମଣିଷ ମଡକର ଆଶଙ୍କା ରହିଛି।ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ.ନିତିଶ ଝାଙ୍କ ସହ ଯୋଗାଯୋଗ କରାଯାଇଥିଲା। ଲୋକଙ୍କୁ ବୁଝାଇବା ପାଇଁ ଡାକ୍ତରୀ ଦଳ ପ୍ରୟାସ କରୁଛନ୍ତି। ପ୍ରଥମେ ମ୍ୟାଲେରିଆ ସମେତ କୋଭିଡ୍ ପରୀକ୍ଷା କରାଯାଇଥିଲା।କିନ୍ତୁ ଅନେକଙ୍କ ସେଭଳି ଲକ୍ଷଣ ନଥିବା ଜଣାପଡିବା ପରେ ଏବେ ଡେଙ୍ଗୁ ପରୀକ୍ଷା କରାଯାଉଛି । ବୋଲି ସୂଚନା ଦେଇଥିଲେ । ଅନ୍ୟ ପଟେ ମହିଳା ମାନେ ପ୍ରାୟତଃ ରକ୍ତ ହିନତା ଥିବା ଜଣାପଡିଛି ବୋଲି ମତବ୍ୟକ୍ତ କରିଥିଲେ।

Leave A Reply

Your email address will not be published.