Before Header

ଟାୱାର ଅଛି ହେଲେ ନାହିଁ ନେଟୱର୍କ

0 888

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ଡିଜିଟାଲ ଇଣ୍ଡିଆର ବିକଳ ଚିତ୍ର । ଅନୁଗୋଳ ବ୍ଲକର ବହୁ ଅଞ୍ଚଳରେ ଟାୱାର ବସିଛି ହେଲେ ନାହିଁ ନେଟୱାର୍କ । ଫଳରେ କିଏ ଗଛ ଚଢୁଛି ତ କିଏ ପାହାଡ଼ ଉପରେ ଚଢୁଛି । କେବଳ ଟିକିଏ ନେଟୱାର୍କ ମିଳିଲେ କଥା ହେବେ । ଏଭଳି ଅସୁବିଧା ଦେଖିବାକୁ ମିଳିଛି ଶିଳ୍ପ ବହୁଳ ଜିଲ୍ଲା ଅନୁଗୋଳ ବ୍ଲକର ବିଭିନ୍ନ ଅଞ୍ଚଳରେ । ଗାଁ ରେ ନାହିଁ ନେଟୱାର୍କ। ନେଟୱର୍କ ପାଇଁ ଗଛର ଚଢ଼ିବାକୁ ପଡୁଛି ଗାଁ ର ଲୋକଙ୍କୁ। ନହେଲେ ପାହାଡ଼ ଉପରକୁ ଗଲେ ମିଳିବ ନେଟୱାର୍କ ।

ଏଭଳି ଅନୁଗୋଳ ବ୍ଲକ ବଲଙ୍ଗ, ତଳଶିରା, ଯୁକୁବୁ, ଲବଙ୍ଗୀ, ହିଡିସିଙ୍ଗି, ହିସ୍ରିଡା, ପମ୍ପାସର, ଟାକରସିଂହା, କୁଲାଙ୍ଗି ଭଳି ପ୍ରାୟ ୨୫ ରୁ ଉର୍ଦ୍ଧ୍ବ ଗାଁରେ ଏହି ସମସ୍ୟା ଦେଖା ଦେଇଛି । ଅନୁଗୋଳ ବ୍ଲକ୍ର ଏହି ସବୁ ଗାଁ ଚାରିପାଖେ ଘେରି ରହିଛି ଜଙ୍ଗଲ ପାହାଡ଼ । ଗାଁ କିମ୍ବା ପାଖ ଗାଁରେ ବସିଛି ଟାୱାର । ହେଲେ କାର୍ଯ୍ୟକ୍ଷମ ହୋଇ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ଆଜିର ଦିନରେ ମୋବାଇଲ ଏକ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇ ସାରିଛି । ହେଲେ ନେଟୱାର୍କ ବିନା ଏହା ଭିଡିଓ ଗେମ ସହ ସମାନ ।

ନେଟୱାର୍କ ନଥିବା ଯୋଗୁଁ ନା ଛାତ୍ରଛାତ୍ରୀମାନେ ଇଣ୍ଟରନେଟରୁ ଜ୍ଞାନ ଅର୍ଜନ କରି ପାରୁଛନ୍ତି ନା ଆପତକାଳୀନ ସେବା ପାଇଁ ଲୋକ ଫୋନ କରି ପାରୁଛନ୍ତି । କେଉଁଠି ଗଛ ଉପରେ ଚଢିଲେ ସେମାନେ ହାତରେ ଫୋନ୍ ଧରି ସଂପର୍କୀୟମାନଙ୍କ ସହ କଥା ହେଉଛନ୍ତି ତ ଆଉ କେଉଁଠି ଉଚ୍ଚ ସ୍ଥାନରେ ବସିଲେ ପିଲାମାନେ ୟୁ ଟ୍ୟୁବ କି ଅନ୍ୟ କୌଣସି ସାଇଟ ଖୋଲି ଜ୍ଞାନ ଆହରଣ କରି ପାରୁଛନ୍ତି । ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ସବୁଠି ୫ଜି ସେବା ଯୋଗାଇ ଦେଇଥିବା କଥା କହୁଛନ୍ତି । ହେଲେ ଏବେ ବି ଏମିତି ଗାଁ ଦେଖିଲେ ଆଶ୍ଚର୍ୟ୍ୟ ଲାଗେ ।

ଏହି ସବୁ ଗାଁରେ ପ୍ରାୟ ୫ ରୁ ୭ ହଜାର ଲୋକ ବାସ କରନ୍ତି । ହେଲେ ମୋବାଇଲ ନେଟୱାର୍କ ନଥିବାରୁ ଲୋକ ଅନେକ ସମସ୍ୟା ଭୋଗୁଥିବା ଲୋକେ କହିଛନ୍ତି । ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଡାକି ପାରୁ ନାହାନ୍ତି କି ନିଆଁ ଲାଗିଲେ ଦମକଳ କେନ୍ଦ୍ରକୁ ଫୋନ ମଧ୍ୟ କରି ପାରୁ ନାହାନ୍ତି । ଏଥିପାଇଁ କେନ୍ଦ୍ର ସରକାର ଦୃଷ୍ଟି ଦେବା ସହ ତୁରନ୍ତ ଆହୁରି ଟାୱାର ବସାଇବା ସହ ଯେଉଁ ଟାୱାର ଗୁଡିକ ବସିଛି ସେଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି ।

Leave A Reply

Your email address will not be published.