Before Header

ଅସମ୍ଭାଳ ପ୍ରେସର, ସିଲ୍ ଖୋଲିଦେଲେ !

0 1,406

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): କୋଭିଡ୍ କଟକଣା ଉଲ୍ଲଂଘନ କରି ସିଲ୍ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଅନୁଷ୍ଠାନକୁ ବିଏମସି ଆଜି ଖୋଲିଦେଇଛି। ହେଲେ ବିଏମସିର ଏହି ନିଷ୍ପତ୍ତି ପଛର କାରଣ କ’ଣ ତାହା ଜଣାପଡ଼ୁ ନାହିଁ। ଇତିମଧ୍ୟରେ ରାଜ୍ୟରେ କୋଭିଡ୍ ସଂକ୍ରମଣ ହାର କମିଥିବାରୁ ଏପରି କରାଯାଇ ଥାଇପାରେ ବୋଲି କୁହାଯାଉଛି। ହେଲେ ଏହା ସତ ନା ଆଉକିଛି? କାରଣ ରାଜ୍ୟ ଏବଂ ମହାନଗର ନିଗମ ଅଞ୍ଚଳର ଷ୍ଟାଟିଷ୍ଟିକ୍ସ ଯଦି ବିଚାରକୁ ନିଆଯାଏ ତେବେ ସଂକ୍ରମଣ ଏତେ ବି କମିନାହିଁ ଯେ ହଠାତ୍ ବିଏମସି ଏପରି ନିଷ୍ପତ୍ତି ନେଇଯିବ। ତେଣୁ ଏହି ନିଷ୍ପତ୍ତିକୁ ସହଜରେ ହଜମ କରି ହେଉନାହିଁ। କଥା ହେଉଛି କୋଭିଡ୍ କଟକଣା ଉଲ୍ଲଂଘନ କରିଥିବା ଅନୁଷ୍ଠାନଗୁଡ଼ିକୁ ଦଣ୍ଡ ସ୍ୱରୂପ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସିଲ୍ କରାଯାଇଥିଲା। ହେଲେ ସବୁଗୁଡ଼ିକୁ ହଠାତ୍ ଏକାଠି ଖୋଲିଦେବା ପଛର କାରଣ କ’ଣ ହୋଇପାରେ?

ଏହା ଦ୍ୱାରା ଅନ୍ୟମାନେ ଢିଲା ମାରିବେନି ତ? ଆଗକୁ ପୂଜା ଋତୁ ଆସୁଛି। ଆଉ ପୂଜା ସମୟରେ ବିଶେଷକରି ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକରେ ପ୍ରବଳ ଗହଳି ଲାଗେ। ଏପରିସ୍ଥଳେ କଟକଣାକୁ ଅଧିକ କଡ଼ାକଡ଼ି କରିବା ବଦଳରେ ବିଏମସି କୋହଳ କରୁଛି କେମିତି? ତେବେ କାରଣ ଖୋଜୁ ଖୋଜୁ ଆମ ନଜର ଏକ ନିର୍ଦ୍ଦିଷ୍ଟ ଦିଗ ଉପରେ ଯାଇ ଗୋଟିଏ ଜାଗାରେ ଅଟକିଯାଉଛି। ଅପରାଜିତାଙ୍କୁ ସମ୍ଭାଳି ପାରିଲାନି କି ବିଏମସି? ଅପରାଜିତାଙ୍କ ପ୍ରତି ଲୋକସମର୍ଥନ ଦେଖି ବିଏମସି ଡରିଗଲା କି? କେଜାଣି କାହିଁକି, ଏମିତି ଗୋଟେ ପ୍ରଶ୍ନ ଆମ ମନରେ ବାରମ୍ବାର ଉଙ୍କିମାରୁଛି। ଆପଣମାନେ ସମସ୍ତେ ପ୍ରାୟ ଜାଣିଥିବେ ଯେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ ୮ ତାରିଖ ରାତିରେ ତାଙ୍କର କେତେଜଣ ମହିଳା ସମର୍ଥକଙ୍କ ଗହଣରେ ନିଜ ଜନ୍ମଦିନ ପାଳିଥିଲେ। ଆଉ ୯ ତାରିଖରେ ଏହାର ଭିଡିଓ ଭାଇରାଲ ହେବା ପରେ ତୁମ୍ଭିତୋଫାନ ହୋଇଯାଇଥିଲା।

ଅପରାଜିତାଙ୍କ ବର୍ଥଡେ ପାର୍ଟିରେ ସାମିଲ ହୋଇଥିବା କେବଳ ଜଣେ ମହିଳାଙ୍କ ବ୍ୟତୀତ ଆଉ କାହା ମୁହଁରେ ମାସ୍କ ନାହିଁ, କେହି ସୋସିଆଲ ଡିଷ୍ଟାନ୍ସ ମେଣ୍ଟେନ୍ କରିନାହାନ୍ତି, ସେ କୋଭିଡ୍ କଟକଣା ଉଲ୍ଲଂଘନ କରିଛନ୍ତି, ଏମିତି କେତେକ’ଣ ଲେଖି ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ଚିଠି ଲେଖିଦେଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହି ଅପରାଜିତାଙ୍କୁ ସମ୍ଭାଳିବାକୁ ଦିବ୍ୟଶଙ୍କର ଚିଠିରେ ପରାମର୍ଶ ବି ଦେଇଦେଇଥିଲେ। ଆଉ ଏହାର ଠିକ୍ ପରଦିନ ଅର୍ଥାତ୍ ଗତ ୧୦ ତାରିଖ ସକାଳୁ ସକାଳୁ ଅପରାଜିତା ଜନ୍ମଦିନ ପାଳନ କରିଥିବା ଅଫିସକୁ ସିଲ୍ କରିଦେଲା ବିଏମସି। ହେଲେ ତା’ ପର ଅବସ୍ଥା ହୋଇଥିଲା ଅସମ୍ଭାଳ। ଅପରାଜିତା ବି କୋଉ ଛାଡ଼ିବା ଲୋକ ଯେ ଚୁପ୍ ହୋଇ ରହିଯିବେ? ସେ ଦିନ ଅପରାହ୍ନ ପ୍ରାୟ ୩ଟା ବେଳେ ସିଲ୍ ହୋଇଥିବା ନିଜ ଅଫିସ ସମ୍ମୁଖରେ ବସିପଡ଼ିଲେ ଆଉ ସାମ୍ବାଦିକଙ୍କୁ ଡାକି ସରକାରଙ୍କ ଉପରେ ବହେ ବର୍ଷିଲେ।

ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାର, ବିଜେଡି ରାଜ୍ୟ ଅଫିସ, ତିର୍ତ୍ତୋଲ ନିର୍ବାଚନୀ ସଭା ଆଦି କେତେ କୋଉଠି ବିଜେଡି ନେତାମାନେ କୋଭିଡ୍ ଗାଇଡ୍ ଲାଇନ ଉଲ୍ଲଂଘନ କରିଥିବାର ପ୍ରମାଣ ସହ ପୋଲ୍ ଖୋଲିଦେଲେ। ବିଜେଡି ଅଫିସ୍ କେବେ ସିଲ୍ କରିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ପ୍ରଶ୍ନ ପଚାରିଲେ। ଖାଲି ଏତିକି ନୁହେଁ, ତାଙ୍କ ଅଫିସ ସିଲ୍ ନ ଖୋଲିବା ପର୍ଯ୍ୟନ୍ତ ରାଜରାସ୍ତାରେ ବସି ଲୋକଙ୍କ ସମସ୍ୟା ବୁଝିବେ ବୋଲି ବି କହିଲେ ଆଉ କଲେ ବି। ଏପରିକି ରାସ୍ତା କଡ଼ରେ ଟେଣ୍ଟ ଲଗାଇ ସେ ଜନଅଭିଯୋଗ ଶୁଣାଣି କରୁଥିଲେ। ଆଉ ସବୁଠୁ ବଡ଼ କଥା ହେଲା ୨୨୩୪ ଲୋକ ସେମାନଙ୍କ ଘର ଅଫର୍ କରି ସେଠି ଅଫିସ୍ କରିବାକୁ ଅପରାଜିତାଙ୍କୁ ଅନୁରୋଧ କରୁଥିବା ସେ ଗୁରୁବାର ଟୁଇଟ କରିଥିଲେ। ତାଙ୍କୁ ଘର ଅଫର୍ କରୁଥିବା ଲୋକଙ୍କ ଘରର ଫଟୋ ମଧ୍ୟ ସେ ଟୁଇଟରେ ଆଟାଚ୍ କରିଥିଲେ। ଆଉ ଏହି ଲୋକଙ୍କ ସଂଖ୍ୟା ବଢ଼ୁଛି ବୋଲି ମଧ୍ୟ ଅପରାଜିତା ଟୁଇଟରେ ଲେଖିଛନ୍ତି।

ତାଙ୍କର ଏହି ଟୁଇଟ ବିଜୁଳି ବେଗରେ ବି ଭାଇରାଲ୍ ହେବାରେ ଲାଗିଛି। ଖାଲି ଏତିକି ନୁହେଁ, ଅପରାଜିତାଙ୍କୁ ତାଙ୍କ ବିରୋଧୀ ମଧ୍ୟ ସମର୍ଥନ ଜଣାଇଥିଲେ। ଜଟଣୀର କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ମନ୍ତବ୍ୟକୁ ଏକ ଉଦାହରଣ ଭାବେ ନିଆଯାଇ ପାରେ। ସେ ଅପରାଜିତାଙ୍କୁ ସମର୍ଥନ କରି ବାରମ୍ବାର ନବୀନଙ୍କୁ ଟାର୍ଗେଟ କଲେ। ଅପରାଜିତାଙ୍କ ଅଫିସରେ ହାତ ମାରି ସରକାର ପୂରା ବ୍ୟାକଫୁଟରେ ଥିଲେ। ଆଉ ଆମେ ଭାବୁଛୁ, ଏହା ହିଁ ବିଏମସି ପାଇଁ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଛି ବୋଧହୁଏ। ତେଣୁ ଅପରାଜିତାଙ୍କ ଅଫିସ ୧୫ ଦିନ ପାଇଁ ସିଲ୍ କରାଯାଇଥିଲେ ମଧ୍ୟ ପ୍ରବଳ ପ୍ରେସର ସମ୍ଭାଳି ନ ପାରି ବିଏମସି ତାହାକୁ ଖୋଲିଦେଇଛି ଆଉ ଅପରାଜିତାଙ୍କ ଅଫିସ ଖୋଲିଦେଲେ ପବ୍ଲିକ ତ ଛାଡ଼ିବେନି, ତେଣୁ ସବୁ ଖୋଲାମେଲା କରିଦେଲେ କାମ ଶେଷ ନ୍ୟାୟରେ ବିଏମସି ଏମିତି ନିଷ୍ପତ୍ତି ହୁଏତ ନେଇଥାଇ ପାରେ।

Leave A Reply

Your email address will not be published.