ବେଗୁନିଆପଡା, (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଥିବା ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟରେ ବିନା ବିଜ୍ଞାପନରେ ଚାଲୁଛି ନିଯୁକ୍ତି । ନା ଅଛି ପ୍ରତିବନ୍ଧକ ନା ଅଛି ଭୟ । ଏ କଥା ଆମେ କହୁନୁ । ଏ ସମ୍ପର୍କିତ ତଥ୍ୟ ଲାଗିଛି ‘ବଡ଼ ଖବର’ ହାତରେ । ଆଜକୁ ପ୍ରାୟ ୫ ମାସ ପୂର୍ବେ ବେଗୁନିଆପଡା ପଞ୍ଚାୟତ ପାଇଁ ଗୋଟିଏ ପ୍ରାଣୀ ମିତ୍ର ପଦବୀ ଓ ୨ ଟି କୃଷି ମିତ୍ର ପଦବୀରେ ନିଯୁକ୍ତି ହେବାକୁ ଜିଲ୍ଲା ସ୍ତରରୁ ନିର୍ଦ୍ଦେଶନାମା ଆସିଥିଲା । ଏହି ପଦବୀ ପାଇଁ ଓ ଏଲ୍ ଏମ୍ ର କାର୍ଯ୍ୟନିର୍ବାହୀ କମିଟି ଦ୍ୱାରା ଅନୁମୋଦନ କରାଯାଇ ସ୍ୱତନ୍ତ୍ର ବିଜ୍ଞାପନ ମାଧ୍ୟମରେ ଆବେଦନ ଗ୍ରହଣ କରିବା ସକାଶେ ନିର୍ଦ୍ଦେଶନାମା ଥିବାବେଳେ ବେଗୁନିଆପଡା ଓ ଏଲ୍ ଏମ୍ ବିଭାଗ ପକ୍ଷରୁ କୌଣସି ବିଜ୍ଞାପନ ନ ବାହାର କରାଯାଇ କେବଳ କାନ କୁହା ଖବର ମାଧ୍ୟମରେ ଆବେଦନ ଗ୍ରହଣ କରାଯାଇଥିଲା । ଖବର ମୁତାବକ ପ୍ରାଣୀ ମିତ୍ର ପଦବୀ ପାଇଁ ୩ ଜଣ ଆବେଦନ କରିଥିବା ବେଳେ କୃଷି ମିତ୍ର ପଦବୀ ପାଇଁ ୨ ଜଣ ଆବେଦନ କରିଥିଲେ । କିନ୍ତୁ ଉଭୟ ପଦବୀ ପାଇଁ ୨ ଜଣ ଲେଖାଏଁ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । କୃଷି ମିତ୍ର ପାଇଁ ଜଣେ ମହିଳା ଚୟନ ହୋଇଥିବା ବେଳେ ପ୍ରାଣୀ ମିତ୍ର ପାଇଁ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଅଧିକ ମାର୍କ ରଖିଥିବା ବେଳେ ଆଉ ଜଣେ ମହିଳା ଦ୍ଵିତୀୟ ସ୍ଥାନରେ ଅଛନ୍ତି କିନ୍ତୁ ଫଳାଫଳ ଜାଣିଶୁଣି ବିଳମ୍ବ କରାଯାଉଛି । ଏ ସମ୍ପର୍କରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ନବୀନ ସେନାପତିଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଏହି ପଦବୀ ପାଇଁ କେବଳ ମହିଳା ହିଁ ଆବେଦନ କରିପାରିବେ ଓ ଏଥିପାଇଁ ଵିଜ୍ଞାପନ ନିହାତି ଆବଶ୍ୟକ । ଉକ୍ତ ମହିଳା ଏସଏଚଜିର ସଦସ୍ୟା ହୋଇଥିବା ଦରକାର ।

ଏଠାରେ ପ୍ରଶ୍ନ ଉଠୁଛି ଯେ ବେଗୁନିଆପଡା ଓ ଏଲ୍ ଏମ୍ ଭାରପ୍ରାପ୍ତ ବିପିଏମ୍ କିପରି ବିନା ଵିଜ୍ଞାପନ ମାଧ୍ୟମରେ ଆବେଦନ ଗ୍ରହଣ କଲେ । ଏହି ପଦବୀ ଯଦି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ତେବେ ପୁରୁଷ ପ୍ରାର୍ଥୀ କିପରି ପରୀକ୍ଷା ଦେଲେ। ଅଥବା ଯଦି ସେ ନିୟମ ବିଷୟରେ ଜାଣି ନଥିଲେ ତେବେ ପରୀକ୍ଷା ହେବା ପୂର୍ବରୁ ଉପରିସ୍ଥ ଅଧିକାରୀଙ୍କୁ କାହିଁକି ସବୁ ଲୁଚାଇଥିଲେ । ସେପଟେ ଆବେଦନ ପାଇଁ ଶେଷ ତାରିଖ ଅତିକ୍ରମ ହୋଇଯାଇଥିଲେ ବି ତାଙ୍କ ମନ ମୁତାବକ ପ୍ରାର୍ଥୀଙ୍କ ଠାରୁ ପରେ କିପରି ଆବେଦନ ପତ୍ର ଗ୍ରହଣ କରିଥିଲେ ବୋଲି ପିଙ୍କି ରାଉତ ଅଭିଯୋଗ କରିଛନ୍ତି । ଭାରପ୍ରାପ୍ତ ବିପିଏମ୍ ଜ୍ଞାନରଞ୍ଜନ ରାଉତ ମନଇଚ୍ଛା ରାଜ ଚଳାଇଛନ୍ତି ବୋଲି ଇସି ମେମ୍ବର ଛାୟା ବେହେରା ଅଭିଯୋଗ କରିଛନ୍ତି । ଯଦି ପୁରୁଷମାନଙ୍କ ପାଇଁ ପଦବୀ ଉଦ୍ଦିଷ୍ଟ ନୁହେଁ, ତେବେ ବିଜ୍ଞାପନ ମାଧ୍ୟମରେ କାହିଁକି ଦର୍ଶାଗଲାନାହିଁ । ପରୀକ୍ଷାରେ ପୂର୍ବରୁ କାହିଁକି ମନା କରାଗଲା ନାହିଁ ବୋଲି ପ୍ରଶ୍ନ ହେଉଛି । ପୁରୁଷମାନଙ୍କ ପାଇଁ କାହିଁକି ଏହା ଅଯୋଗ୍ୟ ବୋଲି ଯୋଗ୍ୟ ତାଲିକାରେ ପ୍ରଥମରେ ଥିବା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପ୍ରଶ୍ନ କରିଛନ୍ତି । ଏଥି ସହିତ ଜଣେ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷାକୁ ଭାରପ୍ରାପ୍ତ ଅଧିକାରୀ ଦୁଇଥର ବାତିଲ୍ କରିଛନ୍ତି ବୋଲି ଶ୍ରୀ ସ୍ୱାଇଁ ‘ବଡ଼ ଖବର’କୁ କହିଛନ୍ତି । ସେପଟେ ଓ ଏଲ୍ ଏମ୍ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧିକାରୀ ଜ୍ଞାନରଞ୍ଜନ ରାଉତ କିଛି ସ୍ପଷ୍ଟ ଉତ୍ତର ଦେଇପାରିନାହାନ୍ତି । ‘ମୁଁ ଏହି ପରୀକ୍ଷା ପରିଚାଳନା ରେ ସମ୍ପୃକ୍ତ ନଥିଲି, ମୁଁ ଏ ବିଷୟରେ ବିଡିଓ, ବ୍ଲକ୍ ଅଧ୍ୟକ୍ଷା କୁ ଜଣାଇଛି’ ବୋଲି କହିଛନ୍ତି ଜ୍ଞାନରଞ୍ଜନ ରାଉତ । ଅନ୍ୟପଟେ ବିଡିଓ ବେଦବର ପ୍ରଧାନ କହିଛନ୍ତି, ‘ମୁଁ ଏବେ ଏ ବିଷୟରେ ଜାଣିଲି । ପୁଣି ନୂଆ ବିଜ୍ଞପ୍ତି ପ୍ରକାଶ ନେଇ ଓ ଏଲ୍ ଏମ୍ ବିଭାଗର ଭାରପ୍ରାପ୍ତ ଅଧିକାରୀଙ୍କୁ କହିଛି ।‘

 

Leave a Reply

Your email address will not be published. Required fields are marked *