Before Header

କାହିଁକି ହେଲାନି ମେଣ୍ଟ

0 1,149

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଧୀରେ ଧୀରେ ସଫା ହୋଇ ଆସିଲାଣି ଓଡ଼ିଶା ରାଜନୀତି ଆକାଶ । ଦୂରେଇ ଗଲାଣି ମେଣ୍ଟର କଳା ବାଦଲ । ଗୋଳିଆ ମାଳିଆ ସ୍ଥିତିରେ ସ୍ପଷ୍ଟତା ଆସୁଛି । ବିଜେପି-ବିଜେଡି ଏକାଠି ନୁହେଁ, ଏକାକୀ ଲଢ଼ିବେ । ସେଥିରେ ଆଉ ଦ୍ୱନ୍ଦ୍ୱ ନାହିଁ । ୨୪ ମହାସମରରେ ଦେଶରେ ପ୍ରଥମ ଭୋଟ୍ ପଡ଼ିବ ଏପ୍ରିଲ୍ ୧୯ରେ । କିନ୍ତୁ ଓଡ଼ିଶାରେ ପ୍ରଥମ ଭୋଟ୍ ପଡ଼ିବ ମେ’ ୧୩ରେ । କିଏ ପାଇବ ଟିକେଟ୍ ସେଥିପାଇଁ ସବୁ ଦଳର କସରତ ଚରମ ସୀମାରେ ପହଞ୍ଚିଛି । ମେଣ୍ଟ ଚର୍ଚ୍ଚା ପାଇଁ ବିଜେପି-ବିଜେଡି ଶିବିରରେ କନ୍ଫୁ୍ୟଜନ୍ ଥିଲା । କିନ୍ତୁ ଏବେ ଆଉ କୌଣସି ଦ୍ୱନ୍ଦ୍ୱ ନାହିଁ । ସେଥିପାଇଁ ଉଭୟ ଶିବିର ନିର୍ବାଚନୀ ମଣ୍ଡଳୀୱାରି ଟିକେଟ୍ ବାଣ୍ଟିବା କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି ।

ଆସନ୍ତୁ ଜାଣିବା କାହିଁକି ହୋଇପାରିଲାନି ବିଜେପି-ବିଜେଡି ମେଣ୍ଟ । ଏକଥା ସମସ୍ତେ ଜାଣିଛନ୍ତି ରାଜ୍ୟରେ ଏତେ ସଂଖ୍ୟା ଥିବା ସତ୍ତ୍ୱେ ବିଜେଡି ଭିତରେ ଏଥର ପରାଜୟର ଭୟ ଥିଲା । ତୃଣମୂଳସ୍ତରରେ ସରକାର ବିରୋଧରେ ଅସନ୍ତୋଷ ତୀବ୍ର ହୋଇଛି । ତାହା ଦଳର ସୁପ୍ରିମୋଙ୍କ ପାଖରେ ଖବର ପହଞ୍ଚିଛି । ଏହାକୁ ରୋକିବାକୁ ତାରିଖ ଘୋଷଣା ପୂର୍ବରୁ ପ୍ରତିଦିନ ସବୁବର୍ଗ ପାଇଁ ନୂଆ ନୂଆ ଲୋଭନୀୟ ସ୍କିମ୍ ଘୋଷଣା ହୋଇଛି । ଏହାସତ୍ତ୍ୱେ ବିଜୟର ଗ୍ୟାରେଣ୍ଟିକୁ ନେଇ ବିଜେଡି ନିଶ୍ଚିତ ହୋଇପାରୁ ନଥିଲା । ବିଶେଷକରି ସତ୍ତା ବିରୋଧୀ ଲହର ଓ ଟିକେଟ୍ ନପାଇଲେ ନିଜରି ଦଳର ଆଶାୟୀଙ୍କ ବିଦ୍ରୋହ ବିଜେଡି ହାଇକମାଣ୍ଡଙ୍କୁ ବିବ୍ରତ କରିଦେଇଥିଲା । ଗୋଟିଏ ପଟେ ବିଜେଡି ଖସୁଥିଲା, ସିଟିଂ ଏମ୍ଏଲ୍ଏ ଦଳ ଛାଡ଼ିବାକୁ ପଛାଉ ନଥିଲେ ।

 

ସେପଟେ ବିଜେପି ଅଫିସ୍ରେ ପ୍ରତିଦିନ ମହାମିଶ୍ରଣ ଚାଲୁଥିଲା । କ୍ଷମତାଶାଳୀ ଲୋକମାନେ ରାମମନ୍ଦିର କଡ଼ରେ ପଦ୍ମ ଧରୁଥିଲେ । ୨୦୧୯ରେ ବିଜେଡିରୁ ଜିତିଥିବା ଚାରିଜଣ ବିଧାୟକ ପଦ୍ମ ଶିବିରରେ ପ୍ରବେଶ କରିଥିଲେ । ଅନେକ ପୂର୍ବତନ ବିଧାୟକ, ସାଂସଦ ବି ବିଜେପି ମୁହାଁ ହୋଇଛନ୍ତି । ଏପରିକି ହୃଷିକେଶ ପଣ୍ଡା, ତପନ ଚାନ୍ଦଙ୍କ ଭଳି ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମଧ୍ୟ ବିଜେପିରେ ମିଶିଛନ୍ତି । ଗୋଟିଏପଟେ ବିଜେଡିକୁ ବିଦ୍ରୋହ ଭୟ, ଅନ୍ୟପଟେ ବିଜେପିର ଶକ୍ତିବୃଦ୍ଧି ନିଶ୍ଚିତ ଭାବେ କାହାକୁ ଭୟଭୀତ କରିଥିବ? ତେଣୁ ଏଭଳି କଥାରେ ରୋକ୍ ଲଗାଇବାକୁ ଯେଉଁ ମାଷ୍ଟର୍ଷ୍ଟ୍ରୋକ୍ ଖେଳାଗଲା ତା’ର ନାଁ ହେଉଛି ମେଣ୍ଟ ଚର୍ଚ୍ଚା । ମେଣ୍ଟ ହେଉ କି ନହେଉ କିନ୍ତୁ ମେଣ୍ଟ ହେବ ବୋଲି ଗୋଟିଏ ପ୍ରକ୍ରିୟାର ଏତେ ପ୍ରଚାର ପ୍ରସାର ହେଲା ବିଦ୍ରୋହୀମାନେ ବିଜେଡି ଛାଡ଼ିବାକୁ ଡରିଲେ । ବିଜେପି ଅଫିସ୍ରେ ମିଶ୍ରଣ ବଦଳରେ କାଉ ଉଡ଼ିଲେ । ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୫ରେ ଓଡ଼ିଶା ଆସିଲେ । ତାଙ୍କ ଚଣ୍ଡିଖୋଲ ସଭାରେ ଏତେ ଲୋକ ହେଲେ ତାଙ୍କୁ ମୋଦିଙ୍କ ଗସ୍ତ ନକହି ମୋଦିଙ୍କ ସୁନାମୀ ବୋଲି କୁହାଗଲା ।

ହେଲେ ତା’ପରେ ମେଣ୍ଟ ଚର୍ଚ୍ଚାର ମାୟା ଜାଲରେ ବିଜେପିର ଗତିକୁ ବ୍ରେକ୍ କରିଦିଆଗଲା । ଏହା କାହାରିକୁ ଅଛପା ନାହିଁ, ବିଜେଡି ମେଣ୍ଟ କଥାକୁ ଜୀବିତ କରି ରଖିବାକୁ ଶେଷ ଯାଏଁ ଉଦ୍ୟମ କରିଥିଲା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରଥମରୁ ମେଣ୍ଟ ହେଉନାହିଁ ବୋଲି ବାରମ୍ବାର ସ୍ପଷ୍ଟ ମତ ରଖି ଆସୁଥିଲେ । ହେଲେ କେନ୍ଦ୍ର ବିଜେପି ମିଶନ ୪୦୦ ଆଧାରରେ ଓଡ଼ିଶାରୁ ଏନ୍ଡିଏର ୨୧ରୁ ୨୧ ଲକ୍ଷ୍ୟ ହାସଲ କରିବାକୁ ବିଜେଡିର ମେଣ୍ଟ ପ୍ରସ୍ତାବରେ ବିଚାରବିମର୍ଷ କରୁଥିଲା । କିନ୍ତୁ ଏଇଠି ବିଜେଡିର ଚାଲାକି ଧରା ପଡ଼ିଥିଲା । ବିଜେଡି କେନ୍ଦ୍ର ବିଜେପିକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହିଁ । କୌଣସି ପରିସ୍ଥିତିରେ ଓଡ଼ିଶାରେ ଇଡି, ସିବିଆଇ ସକ୍ରୀୟ ନହେଉ ସେଥିପାଇଁ ସବୁବେଳେ କେନ୍ଦ୍ର ବିଜେପି ନିକଟରେ ସରେଣ୍ଡର୍ କରି ଆସିଛି ବିଜେଡି । ହେଲେ ରାଜ୍ୟ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ନନ୍ପାର୍ଟିସିପେଟୋରି ଫର୍ମୁଲା ଉତ୍ଥାପନ କରିଥିଲା ଯାହାକୁ ସଫା ସଫା ପ୍ରତ୍ୟାଖ୍ୟାନ କରିଦେଇଛି ବିଜେପି । ବିଜେଡିର ପ୍ରସ୍ତାବ ଥିଲା ଉଭୟ ମେଣ୍ଟ କରି ନିର୍ବାଚନ ଲଢ଼ିବେ । ହେଲେ ବିଜେଡିର ସାଂସଦମାନେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ୍ ହେବେନି କିମ୍ବା ବିଜେପିର ବିଧାୟକମାନେ ଏଠାରେ ମନ୍ତ୍ରୀ ହେବେନି । ବିଜେଡିର ଏହି ଚାଲାଖିକୁ ବୁଝି ଯାଇଥିଲା କେନ୍ଦ୍ର ବିଜେପି । ଡେରିରେ ହେଉ ପଛେ ଏକାଠି ନୁହେଁ ଏକାକୀ ଲଢ଼ିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରିଛି ଦଳ ।

Leave A Reply

Your email address will not be published.