Before Header

ପାର୍ବଣରେ ପରିବାର ସହ ଘରେ ରୁହନ୍ତୁ: ମୁଖ୍ୟମନ୍ତ୍ରୀ

0 96

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): କୋଭିଡକୁ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, “ଗତ ସାତ ମାସ ହେଲା ଓଡିଶା କରୋନା ବିରୋଧରେ ଲଢେଇ ଜାରି ରଖିଛି । ମୁଁ ଜାଣେ ଏଥିପାଇଁ ଆପଣମାନଙ୍କୁ ଅନେକ କଷ୍ଟ, ଅନେକ ତ୍ୟାଗ ସ୍ୱୀକାର କରିବାକୁ ହେଉଛି। ବିଶେଷକରି ଆମର ପିଲାମାନେ ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି । ପିଲାମାନେ ସ୍କୁଲ ସାଙ୍ଗସାଥି ଓ ଖେଳିବାର ମଜା ନେଇ ପାରୁନାହାନ୍ତି । ବୟସ୍କ ଲୋକ ଏବଂ ପିଲାମାନେ ଘରେ ରହିବା ଦ୍ୱାରା ଆମେ କରୋନା ବିରୋଧରେ ଲଢେଇକୁ ଭଲ ଭାବରେ ଲଢି ପାରିବା । ମୁଁ କହିବାକୁ ଚାହେଁ ଯେ, ଆପଣମାନଙ୍କ ତ୍ୟାଗ ବୃଥା ଯାଇ ନାହିଁ । ଓଡି଼ଶା ଗତ ୬ ମାସରେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି । ଏଥିରେ ରାଜ୍ୟର ସବୁ ନାଗରିକଙ୍କ ସହଯୋଗ ରହିଛି ।” ଏହା ସହ ସେ କହିଥିଲ, “ଆପଣମାନେ ମୋର ଅନୁରୋଧ ରକ୍ଷା କରି ମାସ୍କ ପିନ୍ଧୁଛନ୍ତି । ହାତ ଧୋଉଛନ୍ତି ଏବଂ ସାମାଜିକ ଦୂରତା ରକ୍ଷା ମଧ୍ୟ କରୁଛନ୍ତି । ଅବଶ୍ୟ କିଛି ଲୋକ ଟିକେ ଅମାନିଆ ହେଉଛନ୍ତି ସେମାନେ ପରିସ୍ଥିତିକୁ ଠିକ୍‌ ଭାବରେ ବୁଝିବା ଦରକାର ।

ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ଆରମ୍ଭ କରିଛି। ୨୬ ସେପ୍ଟେମ୍ବରରେ ରାଜ୍ୟରେ ପଜିଟିଭ ସଂଖ୍ୟା ଚାରି ହଜାର ରୁ ଅଧିକ ଥିବାବେଳେ ଆଜି ସଂକ୍ରମଣ ଦୁଇ ହଜାର ତଳକୁ ଖସିଛି । ପଜିଟିଭ ହାର ମଧ୍ୟ କମିଛି ଏବଂ ଆଗକୁ ଆହୁରି କମିବ । ଆପଣ ଗଞ୍ଜାମ ଓ ଗଜପତି କଥା ଦେଖନ୍ତୁ । ଦୁଇ ମାସ ତଳେ ଗଞ୍ଜାମ ହଟସ୍ପଟ ଥିଲା । ପ୍ରତିଦିନ ଶହ ଶହ ପଜିଟିଭ କେସ୍ ବାହାରୁଥିଲା । ଲୋକଙ୍କ ସହଯୋଗ, କମ୍ୟୁନିଟ୍ ପାର୍ଟିସିପେସନ ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି। ଗଞ୍ଜାମ ଓ ଗଜପତି ରେ ସଂକ୍ରମଣ ବହୁତ କମିଯାଇଛି ଏବଂ ସେମାନେ ଏବେ ଅନ୍ୟ ଜିଲ୍ଲା ପାଇଁ ପ୍ରେରଣା ହୋଇଛନ୍ତି। କିନ୍ତୁ ଏଥିରେ ଆତ୍ମସନ୍ତୋଷ କରିବାର କିଛି ନାହିଁ । କରୋନାର କ୍ୟାରେକ୍ଟର ପ୍ରୋଫାଇଲ ବହୁତ କ୍ରିଟିକାଲ । ତେଣୁ ଆମକୁ ମେଡିସିନ ଓ ଭ୍ୟାକସିନ୍ ବାହାରିବା ପର୍ଯ୍ୟନ୍ତ ସାବଧାନ ରହିବାକୁ ହେବ । ଆପଣ ୟୁରୋପ କଥା ଦେଖନ୍ତୁ । ୟୁକେ, ଫ୍ରାନ୍ସ, ସ୍ପେନ ଆଦି ଦେଶର ମାର୍ଚ୍ଚ-ଅପ୍ରେଲରେ କରୋନା ଭୟଙ୍କର ରୂପ ନେଇଥିଲା । ଅନେକ ଲୋକ ଜୀବନ ହରାଇଲେ । ତା ପରେ କରୋନା ଧୀରେ ଧୀରେ କମିଲା । କିନ୍ତୁ ଏବେ ଦେଖନ୍ତୁ ସେଠାରେ ସଂକ୍ରମଣ ପୁଣି ଥରେ ବହୁତ ବଢ଼ି ଯାଇଛି ।

ସେପ୍ଟେମ୍ବର ୧ ରେ ୟୁକେ ରେ ଦୈନନ୍ଦିନ ବାରଶହରୁ ଅଧିକ ପଜିଟିଭ କେସ ଥିଲା । ୮ ଅକ୍ଟୋବର ରେ ଏହା ୧୭ ହଜାରରୁ ଅଧିକ ହେଲାଣି । ସେହିପରି ଫ୍ରାନ୍ସରେ ୩୧ ଅଗଷ୍ଟରେ ତିନି ହଜାରରୁ ଅଧିକ ପଜିଟିଭ କେସ ଥିବାବେଳେ ୧୦ ଅକ୍ଟୋବରରେ ଏହା ୨୬ ହଜାରରୁ ଅଧିକ ହେଲାଣି। ଆମ ଭାରତ କଥା ଦେଖନ୍ତୁ । ଆମେରିକା ପରେ ଭାରତ ଏବେ ବିଶ୍ୱରେ ଦୁଇ ନମ୍ବରରେ ରହିଛି । କେରଳ ବହୁତ ସୁନ୍ଦର ଭାବରେ କରୋନା ସଂକ୍ରମଣକୁ ରୋକିଥିଲା । କିନ୍ତୁ ତାଙ୍କର ପ୍ରସିଦ୍ଧ ଓନମ୍ ପର୍ବ ପରେ ଏବେ କେରଳରେ ସଂକ୍ରମଣ ତିନି ଗୁଣ ବଢ଼ି ଯାଇଛି ।

ଏକ୍ସପର୍ଟ ମାନେ କହୁଛନ୍ତି ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ । ଆଗକୁ ଦୁର୍ଗାପୂଜା ଓ ଦୀପାବଳୀ ଆସୁଛି । ମୋର ଅନୁରୋଧ, ପୂଜା ସମୟରେ ଜନସମାଗମ ସ୍ଥାନ ମାନଙ୍କରେ ଭିଡ କରନ୍ତୁ ନାହିଁ । ଘରେ ରହି ମା’ଙ୍କ ପୂଜା କରନ୍ତୁ । ପ୍ରାର୍ଥନା କରନ୍ତୁ । ପରିବାର ସହ ଘରେ ରହି ପର୍ବ ପାଳନ କରନ୍ତୁ । ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ ହାତ ଧୁଅନ୍ତୁ ଏବଂ ସାମାଜିକ ଦୂରତା ରଖନ୍ତୁ । ଆଉ ଥରେ ସଂକ୍ରମଣ ବଢ଼ିଲେ ଆମେ ହଇରାଣ ହେବା । ଆମ ପରିବାର ହଇରାଣ ହେବ । ଆମେ ସାବଧାନ ହେଲେ ସଂକ୍ରମଣ ବଢିବ ନାହିଁ । ତେଣୁ ସଂକ୍ରମଣ ଯେପରି ନ ବଢ଼ିବ ସେଥିପାଇଁ ଆସନ୍ତୁ ମା’ ଙ୍କ ପାଖରେ ଶପଥ ନେଇ କାମ କରିବା । ଆପଣ ଓ ଆପଣଙ୍କ ପରିବାର କୁ ପୁଣି ଥରେ ପୂଜା ପାଇଁ ଅଭିନ୍ଦନ । ବନ୍ଦେ ଉତ୍କଳ ଜନନୀ ।

Leave A Reply

Your email address will not be published.