Before Header

୧୦ ବର୍ଷରେ ମଲେଣି ୯ ହାତୀ : ଚୁପ୍ ଜଙ୍ଗଲ ବିଭାଗ

0 62

ସଇଁନ୍ତଳା,(ବଡ ଖବର ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ମଠଖାଇ ସଂରକ୍ଷିତ ଜଙ୍ଗଲରେ ହୋଇଥିବା ହାତୀ ମୃତ୍ୟୁକୁ ଇତି ମଧ୍ୟରେ ୨ ସପ୍ତାହ ବିତିଛି । ହାତୀ ମୃତ୍ୟୁକୁ ନେଇ ଅନେକ ବାଦ ବିବାଦ ମଧ୍ୟ ଦେଖାଦେଇଛି । ଗୋଟିଏ ରେଞ୍ଜରେ ଦୁଇ ବର୍ଷ ମଧ୍ୟରେ ଦୁଇଟି ହାତୀ ମୃତ୍ୟୁବରଣ କରିଥିବାରୁ ସ୍ଥାନୀୟ ଲୋକ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି । ବରାହ ଫାଶରେ ପଡ଼ି ହାତୀ ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ ଲୋକ କହୁଥିଲେ ମଧ୍ୟ ଏ ଦିଗରେ ତଦନ୍ତ କରିବାକୁ ନାରାଜ ଜଙ୍ଗଲ ବିଭାଗ । ଅନ୍ୟପଟେ ଉପରଝର ଓ ରତାଖଣ୍ଡିରେ ହୋଇଥିବା ହାତୀ ମୃତ୍ୟୁ ବି ସେହି ବିଦ୍ୟୁତ ଜେଇ ତାର ଦ୍ୱାରା ହୋଇଛି କିନ୍ତୁ ବରାହ ଶିକାରୀଙ୍କ ଠାରୁ ଲାଞ୍ଚ ନେଇ ଏ ଦିଗରେ ଜଙ୍ଗଲ ଅଧିକାରୀ ଚୁପ ରହୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି ।

ଉପରଝର ହାତୀ ମୃତ୍ୟୁରେ କାର୍ୟ୍ୟାନୁଷ୍ଠାନ ଭାବେ ବିଭାଗ ଜଣେ ତଳିଆ କର୍ମଚାରୀକୁ ନିଲମ୍ବିତ କରି କାମ ସାରି ଦେଇଥିବା ବେଳେ ରତାଖଣ୍ଡି ହାତୀ ମୃତ୍ୟୁରେ କାର୍ୟ୍ୟାନୁଷ୍ଠାନ ବଦଳରେ ନୀରବତା ଅବଲମ୍ବନ କରାଯାଇଛି, ଯାହାକୁ ନେଇ ବର୍ତ୍ତମାନ ସନ୍ଦେହ ଦେଖାଦେଇଛି । ଗତ କିଛି ବର୍ଷ ହେଲା ବୌଦ୍ଧ ଜିଲ୍ଲା କଣ୍ଟାମାଲ ବାରପହାଡ଼ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ତେଲ ନଦୀ ପାର ହୋଇ ବଲାଙ୍ଗିର ଜିଲ୍ଲା ଦେଓଗାଁ ଜଙ୍ଗଲ ଭିତରକୁ ପ୍ରବେଶ କରିଥାନ୍ତି ହାତୀପଲ । ଏମାନେ ବଲାଙ୍ଗିର ଓ ଦେଓଗାଁ ରେଞ୍ଜ ଅଞ୍ଚଳରେ ଘୁରି ବୁଲି ଚାଷ ଓ ପନିପରିବାକୁ ନଷ୍ଟ କରୁଛନ୍ତି । ଦେଓଗାଁ ଅଞ୍ଚଳରେ ଘୁରି ବୁଲୁଥିବା ୧୪ଟି ହାତୀରୁ ୨ଟି ହାତୀ ବିଛି‌ନ୍ନ ହୋଇଥିବା ନେଇ ଜଙ୍ଗଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି, ଏହି ଦୁଇଟି ହାତୀର ଗତିବିଧିକୁ ବନ ବିଭାଗ ଅନୁସରଣ କରୁଥିଲା କି ନାହିଁ, ତାହା ତଦନ୍ତ ସାପେକ୍ଷ ।

ପ୍ରତିଦିନ ବଲାଙ୍ଗିର ଓ ଦେଓଗାଁ ରେଞ୍ଜର ବଣ ଜଙ୍ଗଲ ଘେରା ଗାଁ ଗୁଡିକରେ ବନ୍ୟଜନ୍ତୁ ଶିକାରୀମାନେ ନିଜ ନିଜ ଦେଶୀ ବନ୍ଧୁକରେ ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବନ ବିଭାଗ ଚୁପ୍‌ ରହୁଛି । ଯାହା ଫଳରେ ଜଙ୍ଗଲ ଭିତରେ ଗଜରାଜର ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି । ଗତ ଦଶ ବର୍ଷ ଭିତରେ ବଲାଙ୍ଗିର ଜିଲ୍ଲାରେ ୯ ଟି ହାତୀ ବିଭିନ୍ନ ସ୍ଥାନରେ ମୃତ୍ୟୁ ବରଣ କରିଥିବା ସରକାରୀ ତଥ୍ୟ କହୁଛି । ହେଲେ ଏହି ହାତୀମାନେ କେମିତି ମଲେ ତାହା ରହସ୍ୟ ଘେରରେ ରହିଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି ଜଙ୍ଗଲ ଅଧିକାରୀ କହୁଥିଲେ ମଧ୍ୟ ରିପୋର୍ଟ ସାର୍ବଜନୀନ କରୁ ନ ଥିବାରୁ ହାତୀ ମୃତ୍ୟୁ ରହସ୍ୟ ଘେରରେ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.