Before Header

ବୃକ୍ଷରୋପଣ ନାଁରେ କୋଟି କୋଟି ଟଙ୍କା ହଡପ

0 103

ଘଟଗାଁ(ବଡ଼ ଖବର ବ୍ୟୁରୋ): ପରିବେଶକୁ ସୁରକ୍ଷିତ ଓ ସବୁଜ ରଖିବା ପାଇଁ ସରକାର ବହୁ ପଦକ୍ଷେପ ନେଉଛନ୍ତି । ସେଥିପାଇଁ ପ୍ରତିବର୍ଷ ବୃକ୍ଷରୋପଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରିଥାନ୍ତି ସରକାର । ପରିବେଶକୁ ସବୁଜ ଓ ସୁନ୍ଦର କରିବା ପାଇଁ କେବଳ ରାଜ୍ୟ କି ଦେଶ ନୁହେଁ, ସାରା ବିଶ୍ୱ ଚେଷ୍ଠା ଆରମ୍ଭ କରିଦେଇଛନ୍ତି । ହେଲେ ଆମ ଦେଶରେ ଜଙ୍ଗଲ ସୃଷ୍ଟି ଦାୟିତ୍ୱରେ ଥିବା ଅଧିକାରୀମାନେ ସରକାରୀ ଅର୍ଥକୁ ଆତ୍ମସାତ କରୁଥିବା ଦେଖାଯାଉଛି । କେନ୍ଦୁଝର ବନଖଣ୍ଡ ଘଟଗାଁ ବନାଚଂଳରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି । ବୃକ୍ଷରୋପଣ ନାଁରେ ଲକ୍ଷାଧିକ ଟଙ୍କାର ହେରଫେର ହୋଇଛି । ଘଟଗାଁ ବନ ବିଭାଗର କିଛି ଅସାଧୁ କର୍ମଚାରୀ କାଗଜପତ୍ରରେ ହେରଫେର କରି ମନରେଗା ଯୋଜନାରେ ରାସ୍ତା ପାଶ୍ୱର୍ରେ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟରୁ ଲକ୍ଷ୍ୟାଧିକ ଟଙ୍କା ହଡ଼ପ କରିଛନ୍ତି ।

୨୦୧୯-୨୦ରେ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ପୋଇଯାମୁଡା ଛକଠାରୁ ମେଲାଣ ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ ପାଇଁ ସରକାର ୧୦ଲକ୍ଷ ୨୪ ହଜାର ୬୩୦ ଟଙ୍କା ଅନୁମୋଦନ କରିଥିଲେ । ଘଟଗାଁ ବନବିଭାଗ କାମ ଆରମ୍ଭ କରି ସେହି ଆର୍ôଥକ ବର୍ଷରେ ମୋଟ ୯,୯୮,୭୫୨ଟଙ୍କା ଖର୍ଚ୍ଚ କରି ୨୫୦୦ ଗଛ ଲଗାଇଲେ । ୨୦୨୦-୨୧ ବର୍ଷରେ ରକ୍ଷଣାବେକ୍ଷଣ ବାବଦକୁ ୨୧୫,୩୧୬ଟଙ୍କା ଖର୍ଚ୍ଚ ହୋଇଥିବା କାଗଜପତ୍ରରେ ଦର୍ଶାଇଛି । ଏହି କାମରେ ବ୍ୟାପକ ଜାଲିଆତି ହୋଇଥିବା ଦସ୍ତାବିଜ ଆମ ହାତରେ ଲାଗିଛି । ପ୍ରଥମେ ଏହି କାର୍ଯ୍ୟରେ ଜିନିଷ କିଣା ବାବଦକୁ ମୋଟ ୭୫୨, ୮୪୮ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଜିନିଷ କିଣିବା ସମୟରେ କୌଣସି କୋଟେସନ୍ /ଟେଣ୍ଡର କିମ୍ବା ଜିଲ୍ଲା ପରଚେଜ୍ କମିଟିର ଅନୁମୋଦନକୁ ଗ୍ରହଣ କରିନଥିବା ଜଣାପଡିଛି । କାଗଜପତ୍ରରେ ୨୫୦୦ ଗଛ ଲାଗିଥିବା ବେଳେ ବର୍ତ୍ତମାନ ୧୫୦୦ରୁ କମ ଗଛ ରାସ୍ତା ପଶ୍ୱର୍ରେ ଥିବା ଦେଖିବାକୁ ମିଳୁଛି । ଏଥିରୁ ପ୍ରମାଣିତ ହେଉଛିକି ୧୦୦୦ ଗଛ ପାଇଁ ବ୍ୟୟ ବରାଦ ହୋଇଥିବା ପାଖାପାଖି ୫ଲକ୍ଷ ଟଙ୍କା ବିଭାଗୀୟ ଅଧିକାରୀମାନେ ହରିଲୁଟ କରିଛନ୍ତି । ଜଣେ ନିର୍ଦ୍ଦିଷ୍ଟ ଭେଣ୍ଡର ଠାରୁ ବନ ବିଭାଗର ଅଧିକାରୀମାନେ ବୃକ୍ଷରୋପଣରେ ଦରକାର ପଡୁଥିବା ପାଣି, ଗୋବର, ସାର, ବାଉଁଶ, ଲୁହାତାର ଆଦି ବଜାର ମୁଲ୍ୟ ଠାରୁ ବହୁତ ଅଧିକ ଦାମରେ କିଣିଥିବାର ଦସ୍ତାବିଜ ଭେଣ୍ଡର ଓ ବନକର୍ମଚାରୀଙ୍କ ମଧୁଚନ୍ଦ୍ରିକାକୁ ସ୍ପଷ୍ଟ କରୁଛି । ଯେମିତିକି ଗଛ ସୁରକ୍ଷା ବାଡରେ ବାଉଁଶ ଖୁଣ୍ଟ ଦିଆଯାଇ ଥିବାର ବିଲ ହୋଇଛି କିନ୍ତୁ ଅଧାରୁ ଅଧିକ ସ୍ଥାନରେ ବାଉଁଶ ଖୁଣ୍ଟ ଜାଗାରେ ଜଙ୍ଗଲରୁ ଛୋଟ ଗଛ ସବୁକୁ କାଟି ସେସବୁକୁ ବାଡରେ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳୁଛି । ବନବିଭାଗ କାଗଜପତ୍ରରେ ଏହି ବୃକ୍ଷରୋପଣରେ ୧୮୭୫୦ଟଙ୍କାର ଗୋବର ଖତ ବ୍ୟବହାର କରିଥିବା ଓ ଗଛଗୁଡିକୁ ପାଣି ଦେବା ବାବଦରେ ତିନୋଟି ପର୍ଯ୍ୟାୟରେ ୭୬୮୭୫ଟଙ୍କା ଖର୍ଚ୍ଚ କରିଥିବା ଦର୍ଶାଇଛି । ପ୍ରକୃତ ପକ୍ଷେ ସେଠାରେ କେବେବି ଗୋବର ଖତ ଦିଆଯାଇ ନାହିଁ । ଥରେ ଦୁଇଥର ପାଣି ଦିଆଯାଇଥିବା ଗ୍ରାମବାସୀ ଆମ କ୍ୟାମେରା ସାମ୍ନାରେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଭେଣ୍ଡର କ୍ୟାମେରା ସାମ୍ନାରେ କହିବାକୁ ନାରାଜ୍ ହୋଇଥିଲେ ମଧ୍ୟ ଚଳିତ ବର୍ଷ ଲକ୍ଡାଉନ୍, ସଟ୍ଡାଉନ୍ ହେବା ଯୋଗୁଁ ଆଦୌ ଗଛଗୁଡିକରେ ପାଣି ଓ ଗୋବର ଖତ ଦିଆଯାଇନାହିଁ ବୋଲି ପ୍ରକାଶ କରିଛନ୍ତି ।

ଏମିତିକି କାଗଜପତ୍ରରେ ଯେଉଁ ଶ୍ରମିକମାନେ କାମଟି କରିଥିବା ବନବିଭାଗ ଦର୍ଶାଇଛି ପ୍ରକୃତ ପକ୍ଷେ ସେମାନଙ୍କ ଜବ୍କାର୍ଡକୁ କଲେକସନ କରି ମିଛ ମଷ୍ଟରୋଲ ପ୍ରସ୍ତୁତ କରିବା ସହ ଉକ୍ତ ଶ୍ରମିକମାନଙ୍କ ବ୍ୟାଙ୍କ ଖାତାକୁ ଯାଉଥିବା ଅର୍ଥକୁ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ଠାରୁ ନେଇଯାଉଥିବା ଶ୍ରମିକମାନେ କହିଛନ୍ତି । ଯାହ ସିଧାସଳଖ ଅର୍ଥ ହେରଫେର ଓ ବେଆଇନ କାର୍ଯ୍ୟର ପ୍ରମାଣ ଦେଉଛି ।
ତେବେ ଘଟଗାଁ ବନବିଭାଗ ଦ୍ୱାରା ଜଙ୍ଗଲ ନିକଟରେ କୁତ୍ରିମ ଜଙ୍ଗଲ ସୃଷ୍ଟି ନାଁରେ ଲକ୍ଷାଧିକ ଟଙ୍କା ହଡପ କରାଯାଉଥିବାର ପ୍ରମାଣ ଆମ ହାତରେ ଲାଗିବା ପରେ ଏବେ ବିଭାଗୀୟ ଅଧିକାରୀମାନେ ନିଜ ନିଜ ଉପରୁ ଦୋଷ ଛଡାଇବାରେ ଲାଗିପଡିଛନ୍ତି । ଏମିତିକି ବର୍ତମାନ ଦାୟୁତ୍ୱରେ ଥିବା ବନପାଳ ସବୁ ଦୋଷ ପୁର୍ବରୁ ଥିବା ବନପାଳଙ୍କ ଉପରେ ଲଦିଦେଇଛନ୍ତି ଓ ସେ କିଛି ନଜାଣି ଦସ୍ତଖତ କରିଥିବା କହିଛନ୍ତି ଯାହା ଆମ ଷ୍ଟିଙ୍ଗ କ୍ୟାମେରାରେ କଏଦ ହୋଇଛି । ଅନ୍ୟ ପକ୍ଷରେ ଘଟଗାଁ ବନାଂଚଳ ଅଧିକାରୀ ପନ୍ଦରଦିନ ହେବ ଦାୟୁତ୍ୱ ନେଇଥିବାରୁ କିଛି ଜାଣିନଥିବା କହିବା ସହ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକେ ଗଛ ଉପାଡି ଦିଅନ୍ତି ଓ ଏଠି ମଧ୍ୟ ସେମିତି ହୋଇଥିବ କହିବା ସହ ଚିରାଚରିତ ଢଙ୍ଗରେ ତଦନ୍ତ କରିବେ ବୋଲି କହିଛନ୍ତି ।

ତେବେ ଜଙ୍ଗଲ ସୃଷ୍ଟି ନାଁରେ ଏମିତି ଅର୍ଥ ହଡପ କରି ପର୍ବରୁ ବହୁ ଅଧିକାରୀ ଦଣ୍ଡିତ ହୋଇଥିବା ବେଳେ ଘଟଗାଁ ବନାଂଚଳରେ ହୋଇଥିବା ଏହି ଦୁର୍ନୀତି ଏବେ ଜିଲ୍ଲାରେ ହୋଇଥିବା ବିଭିନ୍ନ ବୃକ୍ଷରୋପଣ କାର୍ଯ୍ୟର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଏହି ଦୁର୍ନୀତିର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବନବିଭାଗର ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.