ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ବି ମନେ ପଡ଼େ ସେହି କରାଳ ଦୃଶ୍ୟ । ଭାବିଲେ ଛାତି ଥରିଯାଏ । ଲୋମ ଟାଙ୍କୁରି ଉଠେ । ମେ ୩, ୨୦୧୯ । ସବୁଦିନ ପରି ସେଦିନର ସକାଳ ବି ଥିଲା ସ୍ୱାଭାବିକ । କିନ୍ତୁ କେହି ଭାବିନଥିଲେ ଏତେ ଭୟଙ୍କର ହେବ ସକାଳ । ଝଡ ପୂର୍ବର ନୀରବତା ଏତେ ଭୟଙ୍କର ହୋଇପାରେ, ତାର ପରିକଳ୍ପନା କେହି ବି କରିନଥିଲେ । । ଧୀରେ ଧୀରେ ପବନ ବହିବା ଆରମ୍ଭ ହୋଇଥିଲା । ଆଉ କିଛି କ୍ଷଣ ମଧ୍ୟରେ ପ୍ରକୃତି ସବୁ ଛାରଖାର କରିଦେଇଥିଲା ।
ଭୟଙ୍କର ରୂପ ନେଇ ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିଲ ଫନି। ପ୍ରାୟ ୨୦୦ କିଲୋମିଟର ବେଗରେ ମାଡ଼ି ଆସିଥିଲା ସାମୁଦ୍ରିକ ଝଡ । ପ୍ରକୃତିର ଏମିତି ତାଣ୍ଡବ ବୋଧହୁଏ ଆଗରୁ କେବେ ଦେଖିନଥିଲା ଓଡ଼ିଶା । ଆଶା ଆଶଙ୍କା ଭିତରେ ପୁରୀ ଚନ୍ଦ୍ରଭାଗାରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଫୋନି । ସ୍ଥଳଭାଗ ଛୁଇଁବା ପରେ ବିକଟାଳ ଗର୍ଜନ କରି ମାଡି ଆସିଲା ପବନ । ପାଖାପାଖି ୨୦୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । କେଇ ଘଂଟା ମଧ୍ୟରେ ବଦଳିଯାଇଥିଲା ଅଧା ଓଡ଼ିଶାର ରୂପ । ପାଖାପାଖି ୩ରୁ ୪ ଘଂଟା ଧରି ତାଣ୍ଡବ ରଚିଥିଲା ପ୍ରକୃତି । ଉଜାଡି ଦେଲା ହଜାର ହଜାର ଲୋକଙ୍କ ଜୀବନ ଜୀବିକା ।
ଫନି ଚାଲିଗଲା ପରେ ସାଙ୍ଗରେ ନେଇଯାଇଥିଲା ବଞ୍ଚିବାର ରାହା । କେତେ ଯେ କ୍ଷୟକ୍ଷତି ହେଲା ତାହା ଆକଳନ କରି ହୋଇନଥିଲା । ଓଡ଼ିଶାର ମେରୁଦଣ୍ଡକୁ ଏମିତି ଭାଙ୍ଗିଦେଇଥିଲାଯେ ଠିଆ ହେବା ପାଇଁ ବହୁତ ଦିନ ଲାଗିଯାଇଥିଲା । ହଜାର ହଜାର ଘର ମାଟିରେ ମିଶିଯାଇଥିଲା । ଉଜୁଡି ଯାଇଥିଲା ଶହ ଶହ ଲୋକଙ୍କ ହସଖୁସିର ସଂସାର । ବାତ୍ୟା ଫନିକୁ ଆଜି ୨ ବର୍ଷ ପୂରିଛି । ହେଲେ ୨ ବର୍ଷ ତଳର ଅପାସୋରା ସ୍ମୃତି ଆଜି ବି ଜୀବନ୍ତ ଓ ସତେଜ ହୋଇ ରହିଛି ।