ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଆକାଶରୁ ବର୍ଷୁଛି ନିଆଁପିଣ୍ଡୁଳା । ପ୍ରଚଣ୍ଡ ରୌଦ୍ର ତାପ ଓ ଅସହ୍ୟ ଗୁଳୁଗୁଳିରେ ଆଉଟପାଉଟ ହେଉଛି ପୂରା ଓଡ଼ିଶା । ରାଜ୍ୟରେ ପାରା ୪୬ ଡିଗ୍ରୀ ଛୁଇଁଲାଣି । ଆଗାମୀ ୫ ଦିନ ନୁହେଁ, ବରଂ ଆସନ୍ତା ୩୦ ମଇ ଯାଏଁ ଓଡ଼ିଶାବାସୀଙ୍କୁ ଏହି ତାତିରୁ ମିଳିବନି ତ୍ରାହି । ଏହି ସମୟ ମଧ୍ୟରେ ତାପମାତ୍ରା ଆହୁରି ୨ ଡିଗ୍ରୀ ପର୍ୟ୍ୟନ୍ତ ବଢିବାର ଆଶଙ୍କା ରହିଛି ।ଗୋଟିଏ ଘଣ୍ଟା ଖରାରେ ଠିଆ ହେଲେଟ୍ଟ ହୃଦଘାତ, ଅଂଶୁଘାତ ସମ୍ଭାବନା ବି ଢେର୍ ଅଧିକ ଅଛି । ପାଣିପାଗକୁ ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ବଙ୍ଗୋପସାଗରୀୟ ପବନ ଦୁର୍ବଳ ଥିବାରୁ କାଳବୈଶାଖୀ ସମ୍ଭାବନା ଏବେ କ୍ଷୀଣ ହୋଇପଡ଼ିଛି ।
ଦିନ ବେଳା ଆକାଶ ମେଘମୁକ୍ତ ରହୁଥିବାରୁ ସିଧାସଳଖ ସୂର୍ୟ୍ୟତାପ ସହିତ ରାତିରେ ବାଦଲ ଯୋଗୁଁ ଗୁଳୁଗୁଳି ଅଧିକ ଅନୁଭୂତ ହେଉଛି । ପଶ୍ଚିମ ଓଡ଼ିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଗରମ ଶୁଷ୍କ ପବନ ମାଡ଼ୁଥିବାରୁ ସ୍ଥିତି ଅଧିକ ଜଟିଳ ହେଉଛି ।ତେବେ ଆସନ୍ତା ୨୯ କିମ୍ବା ୩୦ ତାରିଖରେ ପାଗରେ ସାମାନ୍ୟ ପରିବର୍ତ୍ତନ ହେଇପାରେ । ମେ ଶେଷ ପର୍ୟ୍ୟନ୍ତ ଓଡ଼ିଶାରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବା ସହ ଅନେକ ସ୍ଥାନରେ ତାପମାତ୍ରା ୪୦ରୁ ୪୫ ଡିଗ୍ରି ରହିବ । ଦିନବେଳେ ଆକାଶ ମେଘମୁକ୍ତ ରହୁଥିବାରୁ ଖରାର ପ୍ରଭାବ ମଧ୍ୟ ବଢ଼ୁଛି । ଅନ୍ୟପଟେ ଜୁନ ୫ ତାରିଖ ପୂର୍ବରୁ ମୌସୁମୀ ଆସିବାର କୌଣସି ସମ୍ଭାବନା ନଥିବାରୁ ଆହୁରି କିଛି ଦିନ ଯାଏଁ ଲୋକଙ୍କୁ ତାତି ସହିବାକୁ ପଡ଼ିବ ।
- ସବୁଠି ତାତି ଅସମ୍ଭାଳ; ପଶ୍ଚିମ ଓଡ଼ିଶା ୪୦ ଡିଗ୍ରୀ ଉପରେ
- ଝାରସୁଗୁଡ଼ା ୪୧.୮, ସମ୍ବଲପୁର ୪୧.୨, ହୀରାକୁଦ ୪୦.୬ ଡିଗ୍ରୀ
- ରାଜଧାନୀ ଭୁବନେଶ୍ବର ଆକାଶରୁ ଅଗ୍ନିବର୍ଷା
- ସାଢ଼େ ୧୧ ସୁଦ୍ଧା ଭୁବନେଶ୍ବର ତାତି ୩୮.୪ଡିଗ୍ରୀ
- ଗତକାଲି ଏହି ସମୟରେ ତାପମାତ୍ରା ୩୫.୪ ରେକର୍ଡ ହୋଇଥିଲା
