Before Header

ଶ୍ରଦ୍ଧାଙ୍କ ତଦନ୍ତ ଦାବି କଲେ ଜୟନାରାୟଣ 

0 30

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । ଏକ ସାମ୍ବାଦିକ ସମ୍ମିଳନୀ  କରି କହିଛନ୍ତି ୨୦୧୯ ପରଠୁ ବିଧାନସଭାକୁ ସଂପୂର୍ଣ୍ଣ ଚଳାଇ ନାହାଁନ୍ତି ସରକାର ।  ଏଥିରୁ ବିଜେଡିର ଉଦ୍ଦେଶ୍ୟ ପ୍ରମାଣିତ ହେଉଛି ।  ଏଥର ବିଧାନସଭା ୮ ଦିନ ଥିଲା । କିନ୍ତୁ ୭ ଦିନରେ ବନ୍ଦ ହୋଇଗଲା । ୭ ଦିନରୁ ୭ ଘଣ୍ଟା ମଧ୍ୟ ଚାଲି ନାହିଁ ବିଧାନସଭା । ଗୋଟିଏ ବି ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇନାହିଁ । ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ୫ଟି ସଚିବ, ଜନ ପ୍ରତିନିଧିଙ୍କ ଅପମାନ ଆଦି ପ୍ରସଙ୍ଗ ବିଜେପି ଚର୍ଚ୍ଚାକୁ ଆଣିଥିଲା । କିନ୍ତୁ କୌଣସି କଥା ଚର୍ଚ୍ଚା ହୋଇପାରିଲା ନାହିଁ । ସରକାରରେ ସଚିବ ବଡ ନା ନିର୍ବାଚିତ ପ୍ରତିନିଧି ବଡ । ଏ ନେଇ ମୁଲତବୀ ପ୍ରସ୍ତାବ ଆଣିଥିଲୁ । କିନ୍ତୁ ଗ୍ରହଣ କରାଗଲା ନାହିଁ । ଅନେକ କର୍ମଚାରୀ ସଂଘ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲେ । କିନ୍ତୁ ସେମାନଙ୍କ ବିଷୟ ବିଧାନସଭାରେ ଆଲୋଚନା ହୋଇପାରିଲା ନାହିଁ ।

ବିଧାନସଭାରେ ଯଦି କିଛି ତ୍ରୁଟି ହୁଏ ବା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବ୍ୟାହତ ହେଲେ ସର୍ବଦଳୀୟ ବୈଠକ ହୁଏ । କିନ୍ତୁ ଦୁଃଖର କଥା, ଏ ସରକାର ସର୍ବଦଳୀୟ ବୈଠକ ଡାକିବାକୁ ପଛଘୁଞ୍ଚା ଦେଉଛି । ଯେଉଁ ଗୋଟିଏ ଦୁଇ ଥର ଡାକିଲେ, କିନ୍ତୁ କୌଣସି ନିଷ୍ପତି ଶାସକ ଦଳ ନିଜେ କାର୍ଯ୍ୟକାରୀ କଲା ନାହିଁ । ବିଧାନସଭା ଚାଲିବା ପାଇଁ ନିଷ୍ପତି ହେବା ସତ୍ବେ ଶାସକ ଦଳ ତରଫରୁ ବିଧାନସଭା ଚାଲିବାକୁ ଦିଆଗଲା ନାହିଁ । ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇପାରିବେ ନାହିଁ ବୋଲି ବନ୍ଦ କରିଦେଲେ ।  ଜଣେ ମନ୍ତ୍ରୀ କହିଲେ, ବିଧାନସଭାରେ ସର୍ବଦଳୀୟ ବୈଠକ କରିବା ମୁଖ୍ୟମନ୍ତ୍ରୀଙ୍କ କାମ । କିନ୍ତୁ ଏତେ ଦିନ ବିଧାୟକ ଏବଂ ଏବେ ମନ୍ତ୍ରୀ ଥିବା ସତ୍ବେ ସେ କେମିତି ଜାଣିନାହାନ୍ତି । ତାଙ୍କ ମୁହଁରୁ ସତ କଥା ବାହାରି ଗଲା । ଏଠି କିନ୍ତୁ ମୁଖ୍ୟମନ୍ତ୍ରୀ ନୁହେଁ, ଜଣେ ସଚିବ ନିଷ୍ପତି ନେଉଛନ୍ତି । ତେଣୁ ସରକାରର ଗତି କୁଆଡ଼େ ଲୋକ ବିଚାର କରନ୍ତୁ ।  ଯେତେବେଳେ ଗୃହର ନେତା କିମ୍ବା ବିରୋଧୀ ଦଳ ନେତା ଗୃହ ମଧ୍ୟରେ କହିବେ, ସଂପୂର୍ଣ୍ଣ ବକ୍ତବ୍ୟ ନସରିବା ପର୍ଯ୍ୟନ୍ତ ତାଙ୍କ ମାଇକ କଟାଯାଇ ପାରିବ ନାହିଁ । କିନ୍ତୁ ବିରୋଧୀ ଦଳ ନେତା କହିଲା ବେଳେ ବାରମ୍ବାର ମାଇକ କଟା ଯାଇଛି । ବିରୋଧୀ ଦଳ ଏକ ଛାୟା ସରକାର । ବିରୋଧୀ ଦଳ ନେତା ଛାୟା ମୁଖ୍ୟମନ୍ତ୍ରୀ ।

ଏହା କେଉଁ ପ୍ରକାର ଗଣତାନ୍ତ୍ରିକ କାର୍ଯ୍ୟ । ବିରୋଧୀ ଦଳ ନେତା ଶ୍ରଦ୍ଧା ପ୍ରସଙ୍ଗ ଉଠାଇ ଥିଲେ । କିନ୍ତୁ ଶ୍ରଦ୍ଧା ପ୍ରସଙ୍ଗକୁ ବିଧାନସଭା ବିବରଣୀରୁ ଏକ୍ସପଞ୍ଜ କରାଗଲା । ଯଦି ଶ୍ରଦ୍ଧା ବିଷୟ ବାଦ ପଡ଼ିଲା । ତେବେ ଗତକାଲି ମୁଖ୍ୟମନ୍ତ୍ରୀ କେମିତି ଶ୍ରଦ୍ଧା ବିଷୟରେ ସ୍ଵତଃ ପ୍ରବୃତ୍ତ ଭାବେ ବିବୃତି ଦେଲେ ? ଏ କଥାକୁ କେମିତି ଗ୍ରହଣ କରାଗଲା । ଏକ୍ସପଞ୍ଜ କାହିଁକି କରାଗଲା ନାହିଁ ?  ଜଣେ ଶାସକ ଦଳ ବିଧାୟକ ବିରୋଧୀ ଦଳ ନେତାଙ୍କୁ ମସ୍ତିଷ୍କ ବିକୃତି ବୋଲି କହୁଛନ୍ତି । ସେ ମସ୍ତିଷ୍କ ବିକୃତି କାହାର ? ସେ ଜ୍ଞାନୀ ଗୁଣି ବିଧାୟକ କୁହନ୍ତୁ, ଯେ ଶ୍ରଦ୍ଧା ପ୍ରସଙ୍ଗ ବିଧାନସଭା ବିବରଣୀରୁ ବାଦ ପଡ଼ିଲା ପରେ ମୁଖ୍ୟମନ୍ତ୍ରୀ ସେ ବିଷୟ ପୁଣି କହୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କର ମସ୍ତିଷ୍କ ବିକୃତି ହୋଇଛି ନା ମୋର ମସ୍ତିଷ୍କ ବିକୃତି ହୋଇଛି ସେ ବିଧାୟକ କୁହନ୍ତୁ ।

ମୁଖ୍ୟମନ୍ତ୍ରୀ କହିଲେ, ଶ୍ରଦ୍ଧା ତାଙ୍କ ଫିଜିଓଥେରାପିଷ୍ଟ । ଏଥିରେ କୌଣସି ଆପତ୍ତି ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସହ କେଉଁ ହିସାବରେ ଶ୍ରଦ୍ଧା ଭେଟିକାନ ସିଟି ଯାଇଥିଲେ । କେଉଁ ଅଧିକାରରେ ଯାଇଥିଲେ ? ପୋପଙ୍କୁ କେମିତି ଭେଟିଲେ ? ପୋପ କେମିତି ତାଙ୍କୁ ଗିଫ୍ଟ ଦେଲେ ? ମୁଖ୍ୟମନ୍ତ୍ରୀ ବିଭିନ୍ନ ଦେଶକୁ ଗସ୍ତ କରିଛନ୍ତି । କିନ୍ତୁ ସେ ସବୁ ଦେଶକୁ ମୁଖ୍ୟମନ୍ତ୍ରଙ୍କ ସହ ଶ୍ରଦ୍ଧା କାହିଁକି ଯାଇନଥିଲେ । କେବଳ ଭାଟିକାନ ସିଟି କାହିଁକି ଗଲେ ? ଭେଟିକାନ ସିଟିକୁ କେଉଁ ଉଦ୍ଦେଶ୍ୟରେ ଶ୍ରଦ୍ଧାଙ୍କୁ ନେଇ ଯାଇଥିଲେ ମୁଖ୍ୟମନ୍ତ୍ରୀ ? ଆଗରୁ ଶ୍ରଦ୍ଧା କଣ ଏବଂ କେଉଁଠି କାମ କରୁଥିଲେ ? ମୁଖ୍ୟମନ୍ତ୍ରୀ କହିଲେ ତାଙ୍କ ଭଉଣୀ ଶ୍ରଦ୍ଧାଙ୍କୁ ପଠାଇଥିଲେ । ହେଲେ କେହି ଏମିତି ଖାଲି ପଠାଇଦେଲେ ହେବ ନାହିଁ । କାରଣ ମୁଖ୍ୟମନ୍ତ୍ରୀ ରାଜ୍ୟର ମୁଖ୍ୟ । ତେଣୁ ତାଙ୍କ ସୁରକ୍ଷା ଏକ ବଡ ଦାୟିତ୍ଵ । ତାହେଲେ ଯେ କେହି ଆସି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପଶିଯିବ କି ? ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଇଁ ଶ୍ରଦ୍ଧାଙ୍କୁ ନିୟୋଜିତ କରାଯାଇଛି ବୋଲି କୁହାଗଲା ।

ହେଲେ ଶ୍ରଦ୍ଧାଙ୍କ ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତଦନ୍ତ କରି ନିଯୁକ୍ତି ଦେଇଛି କି ? ଶ୍ରଦ୍ଧାଙ୍କର ସୁରକ୍ଷା ଯାଞ୍ଚ କରାଯାଇଛି କି ନାହିଁ ? ଏ ସବୁର ତଦନ୍ତ ହେବାର ଆବଶ୍ୟକତା ଅଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ ବିରୋଧୀ ଦଳ ଜନ ବିରୋଧୀ । ସାମ୍ବିଧାନିକ ବ୍ୟବସ୍ଥାରେ ବିରୋଧୀ ଦଳ ଏବଂ ବିରୋଧୀ ଦଳ ନେତା ଅଛନ୍ତି । ଲୋକ ଯେତେବେଳେ ନିର୍ବାଚିତ କରି ପଠାଇଲେ । ତେବେ ବିରୋଧୀ ଦଳ ବିଧାୟକ ମାନେ କେମିତି ଜନ ବିରୋଧୀ ହେଲେ । ମୁଖ୍ୟମନ୍ତ୍ରୀଙ୍କ ଏ କଥା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ । ନିଜେ ମୁଖ୍ୟମନ୍ତ୍ରୀ ଜନବିରୋଧୀ ବୋଲି କହିଲେ ବିରୋଧୀ ଦଳ ନେତା । ବାଚସ୍ପତି କିଛି ଜାଣୁ ନାହାଁନ୍ତି । ଯାଜପୁର ବିଧାୟକଙ୍କ ଇସରାରେ ଗୃହକୁ ଚଳାଉଛନ୍ତି ।

Leave A Reply

Your email address will not be published.