Before Header

କାହାଣୀ ଅଞ୍ଜନା ମିଶ୍ରଙ୍କ

0 272

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅସହାୟ ମହିଳା ଅଞ୍ଜନା ମିଶ୍ରଙ୍କ କାହାଣୀ ଯେତିକି କରୁଣ ସେତିକି ଯନ୍ତ୍ରଣା ଦାୟକ । ଭଙ୍ଗାମନ ଓ ଅସଯଡ଼ା ଜୀବନ ତାଙ୍କୁ ବ୍ୟଥିତ କରୁଥିଲା । ତଥାପି ସେ ଅନ୍ୟାୟ ବିରୁଧରେ ଏକାକି ଚଳାଇଛନ୍ତି ସଂଗ୍ରାମ । ଲଜ୍ୟା ଓ ଅପମାନକୁ ପ୍ରତି ମୁହୁର୍ତ୍ତରେ ପିଉଥିବା ଅଞ୍ଜନାଙ୍କୁ ଅପେକ୍ଷା କରିବାକୁ ପଡ଼ିଛି ୨୨ ବର୍ଷ । ଅଞ୍ଜନା କହିଛନ୍ତି ‘୨୨ ବର୍ଷ ହେଲା ମରି ମରି ବଞ୍ଚିଛି । ମାନସିକ ସ୍ତରରେ ବହୁତ କଷ୍ଟ ପାଇଛି । ଜୀବନରେ ମାରି ଦେବାକୁ ଉଦ୍ୟମ ହୋଇଛି । ଘରକୁ ପଥର ମାଡ଼ କରାଯାଇଛି । ମୁହଁ ବନ୍ଦ ରଖିବାକୁ ଧମକ ଦିଆଯାଇଛି । ତଥାପି ମୁଁ ଦବି ଯାଇନି । ନ୍ୟାୟ ପାଇବା ପାଇଁ ଲଢେଇ ଜାରୀ ରଖିଛି’ ।

ଅଞ୍ଜନା ମିଶ୍ର । ଉଚ୍ଚ ଶିକ୍ଷିତା । ରାଜଧାନୀ ନୟାପଲ୍ଲୀ ଅଂଚଳର ବାସିନ୍ଦା । ସ୍ୱାମୀ ଭାରତୀୟ ଜଙ୍ଗଲ ସେବାର ଜଣେ ଅଧିକାରୀ । ବେଶ ହସ ଖୁସିରେ ଚାଲିଥିଲା ତାଙ୍କ ସଂସାର । ହଟାତ ସବୁ କିଛି ଓଲଟପାଲଟ ହୋଇଗଲା । ୧୯୯୯ ଜାନୁଆରୀ ୯ ତାରିଖ । ଅଞ୍ଜନା ମିଶ୍ର ତାଙ୍କ ସାମ୍ବାଦିକ ବନ୍ଧୁଙ୍କ ସହ କଟକ ଯାଉଥିଲେ । ଭୁବନେଶ୍ୱର ବାରଙ୍ଗ ରାସ୍ତାରେ ଯାଉଥିଲେ କଟକ । ବାରଙ୍ଗ ନିକଟରେ ଅଞ୍ଜନାଙ୍କୁ ଗଣବଳାତ୍କାର କରାଯାଇଥିଲା ।

ପଦିଆ ଓ ଟୁନିଆକୁ ପୋଲିସ ଗିରଫ କରିଥିଲା । କିନ୍ତୁ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବିବନକୁ ପୋଲିସ ଧରିବାରେ ସଫଳ ହୋଇ ନଥିଲା । ବିବନର ଘର ବାରଙ୍ଗ ଥାନା ବେଲଗୋଛିଆ ପଂଚାୟତ ନରଣପୁର । ଭୁବନେଶ୍ୱର କୋର୍ଟ ପଦିଆ ଓ ଟୁୁନିଆକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ । ଜେଲରେ ଥିବାବେଳେ କଟକ ଚାଉଳିଆଗଞ୍ଜ ଅଂଚଳର ପଦିଆର ମୃତ୍ୟୁ ହୋଇଛି । ଅନ୍ୟପଟେ କଟକ ସଦର ଥାନା କାଜିପାଟଣାର ଟୁନିଆର ମଧ୍ୟ ଜେଲରେ ମୃତ୍ୟୁ ହୋଇଛି । ଏହି ସମ୍ବେଦନଶୀଳ ଘଟଣାରେ ଏକମାତ୍ର ଜୀବିତ ମୁଖ୍ୟ ଅଭିଯୁକ୍ତ ବିବନ ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିଲା । ଫେଲ ମାରିଲା ସିବିଆଇ । ବିବନ ରାଜ୍ୟବାହାରେ ବିଭିନ୍ନ ସ୍ଥାନରେ ନିଜର ନାମ ବଦଳାଇ ରହୁଥିଲା । ପୁଣେର ଆମ୍ବିଭ୍ୟାଲିରେ ଜଳନ୍ଦର ସ୍ୱାଇଁ ନାଁରେ ୨୦୦୭ରେ ବିବନ ରହୁଥିଲା । ସେଠାରେ ଏକ କନଷ୍ଟ୍ରକସନ କମ୍ପାନୀରେ ପାଣି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲା । ୨୦୧୧ରେ ସେ ସେହି କମ୍ପାନୀର ହୋଇଥିଲା ରେଗୁଲାର କର୍ମଚାରୀ ।

ସେଠାରେ ସେ ଆଧାର କାର୍ଡ ପ୍ରସ୍ତୁତ କରିଥିଲା । ଆଉ ଖୋଲିଥିଲା ବ୍ୟାଙ୍କ ଆକାଉଂଟ । ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ ମରି ଯାଇଛି ବୋଲି ଡେଥ୍ ସାଟିର୍ଫିକେଟ ଯୋଗାଡରେ ଥିଲା ଏହି ଦୁର୍ଷ୍କମକାରୀ । ତାକୁ ଧରିବା ପାଇଁ ପୋଲିସ ‘ସାଇଲେଂଟ ବାଇପର’ ଆରମ୍ଭ କରିଥିଲା । ଏହି ଘଟଣା ତତକାଳୀନ କଂଗ୍ରେସ ସରକାର ମୁହଁରେ କାଳି ବୋଳିଦେଇଥିଲା । ଆଉ ଅଞ୍ଜନାଙ୍କ ଚିତ୍କାର ଖାଲି ଭୁବନେଶ୍ୱର ନୁହେଁ ଦିଲ୍ଲୀରେ ମଧ୍ୟ ପ୍ରତିଧ୍ୱନି ସୃଷ୍ଟି କରିଥିଲା । ତତକାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଓଡିଶା ମୁଖ୍ୟମନ୍ତ୍ରୀ ପଦ ଜାନକୀବଲ୍ଲଭ ପଟ୍ଟନାୟକ ଛାଡିବାକୁ ବାଧ୍ୟ ହୋଇଥିଲେ । ଗିରିଧାରି ଗମାଙ୍ଗ ହୋଇଥିଲେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।

Anjana Mishra gang-rape case: Prime accused on the run for 22 years nabbed  from Maharashtra | Sambad Englishପୂର୍ବରୁ ଅଞ୍ଜନା ସାମ୍ବିଧାନିକ ପଦପଦବୀରେ ଥିବା ଜଣେ ବ୍ୟକ୍ତିଙ୍କ ଦ୍ୱାରା ହୋଇଥିଲେ ନିର୍ଯାତିତ । ୧୯୯୭ ଜୁଲାଇ ୧୧ ତାରିଖ । ତତକାଳୀନ ଆଡଭୋକେଟ ଜେନେରାଲ ଇନ୍ଦ୍ରଜିତ ରାୟଙ୍କ ଡାକରା ପାଇ କଟକସ୍ଥିତ ତାଙ୍କ ବାସଭବନରେ ପହଂଚିଥିଲେ ଅଞ୍ଜନା ମିଶ୍ର । ଇନ୍ଦ୍ରଜିତ ଅଞ୍ଜନାଙ୍କୁ ଅଶ୍ଲୀଳ ବ୍ୟବହାର ଦେଖାଇଥିଲେ । ସେଠାରୁ କାନ୍ଦି କାନ୍ଦି ଅଞ୍ଜନା ଭୁବନେଶ୍ୱର ଫେରି ପରଦିନ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଅବଗତ କରାଇଥିଲେ । ମାତ୍ର ଏଜି ଇନ୍ଦ୍ରଜିତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ବାଧ୍ୟ ହୋଇ ଅଞ୍ଜନା ୧୯ ତାରିଖରେ କଟକ କ୍ୟାଣ୍ଟେନମେଣ୍ଟ ଥାନାରେ ଏଜିଙ୍କ ବିରୋଧରେ ଦେଇଥିଲେ ଏତଲା । ମୁଖ୍ୟମନ୍ତୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିରୋଧରେ ରାଜଧାନୀ ରାଜରାସ୍ତାରେ ମହିଳାଙ୍କ ବିରାଟ ବିକ୍ଷୋଭ । ଇନ୍ଦ୍ରଜିତ ରାଏ ହାଏ ହାଏ , ଜାନକୀ ପଟ୍ଟନାୟକ ହାଏ ହାଏ, ମୁଖ୍ୟମନ୍ତ୍ରୀ ହାଏ ହାଏ ଧ୍ୱନିରେ କମ୍ପିଥିଲା ରାଜଧାନୀ ଭୁବନେଶ୍ୱରର ଗାନ୍ଧୀ ମାର୍ଗ । ବିରୋଧିଙ୍କ ସମର୍ଥନରେ ମହିଳାମାନେ କରିଥିଲେ ଆନ୍ଦୋଳନ । ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଥିଲେ ସିବିଆଇ । ସିବିଆଇର ସ୍ୱତନ୍ତ୍ର କୋର୍ଟ ଅଭିଯୁକ୍ତ ଇନ୍ଦ୍ରଜିତଙ୍କୁ ୩ ମାସ ସଶ୍ରମ କାରାଦଣ୍ଡ ଆଦେଶ ଦେଇଥିଲେ ।

ଅଞ୍ଜନା ଗଗଣମାଧ୍ୟମ ଆଗରେ ବଖାଣିଛନ୍ତି ଜୀବନର ଅପାସୋର କାହାଣୀ ।‘ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ବଞ୍ଚିଥିବା ବେଳେ ବିବନ ଧରାପଡ଼ିଥିଲେ ଭଲ ହୋଇଥାନ୍ତା । ୨୨ ବର୍ଷ ପରେ ବିବନ ବିଶ୍ୱାଳ ଧରାପଡ଼ିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଅଞ୍ଜନା ମିଶ୍ର । ବିବନକୁ କମିଶନରେଟ୍ ପୁଲିସ୍ ପୁନେରୁ ଗିରଫ କରିବା ପରେ ଅଞ୍ଜନା ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ‘୨୨ ବର୍ଷ ଧରି ମରି ମରି ବଞ୍ଚିଛି’। ପାଟି ବନ୍ଦ ରଖିବାକୁ ଧମକ ମିଳିଛି। ମୁଁ ରହୁଥିବା ଘରକୁ ବାରମ୍ବାର ପଥର ମାଡ଼ କରାଯାଇଥିଲା। ତେଣୁ ବାଧ୍ୟ ହୋଇ ସେ ଘର ଛାଡ଼ିଲି। ଘରକୁ ପଥର ମାଡ଼ ଘଟଣାରେ କଂଗ୍ରେସ କର୍ମୀ ସୁଶ୍ରୀ କାନୁନଗୋ ମହାନ୍ତି ନାଁ ନେଇଥିଲେ ଅଞ୍ଜନା। ତାଙ୍କ ସ୍ୱାମୀ ସାମରିକ ବିଭାଗର କର୍ମଚାରୀ। ସୁଶ୍ରୀଙ୍କ ପ୍ରରୋଚନାରେ ତାଙ୍କ ସ୍ୱାମୀ ଯବାନ ଲଗାଇ ତାଙ୍କ ଘରେ ପଥର ମାଡ଼ କରାଉଥିଲେ ବୋଲି ଅଞ୍ଜନା କହିଥିଲେ।
ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଧରାପଡ଼ିଥିବାରୁ ଅଞ୍ଜନା ପ୍ରେସ୍‌ମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହିତ ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

Leave A Reply

Your email address will not be published.