Before Header

ଛେରାପହଁରା କରିବେ ମୁଦିରସ୍ତ, ଜାଣନ୍ତୁ କିଏ ମୁଦିରସ୍ତ, କିପରି ହୁଏ ତାଙ୍କ ଚୟନ

0 191

ପୁରୀ(ବଡ଼ ଖବର ବ୍ୟୁରୋ):ପ୍ରଚଳିତ ପରମ୍ପରା ଅନୁଯାୟୀ ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରସ୍ତ ବା ମୁଦିରଥ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାନ୍ତି । ଶ୍ରୀମନ୍ଦିର ରିତି ନୀତି ମଧ୍ୟରେ ଏହି ମୁଦିରସ୍ତ ସେବା ଏକ ଅନନ୍ୟ ସେବା । ତାଙ୍କୁ ଗଜପତି ମହାରାଜାଙ୍କ ପ୍ରତିନିଧି ରୁପେ ବିଚାର କରାଯାଏ । ଗଜପତି ମହାରାଜା ଶ୍ରୀଗୁଣ୍ଡିଚା, ବାହୁଡ଼ା, ସ୍ନାନ ପୂର୍ଣ୍ଣିମାରେ ଛେରାପହଁରା କରନ୍ତି । ଏ ତିନୋଟିକୁ ଛାଡ଼ି ମହାପ୍ରଭୁଙ୍କର ଯେଉଁ ଦ୍ୱାଦଶ ଯାତ୍ରା ହୁଏ ଯେପରି ଦୋଳଯାତ୍ରା, ଚନ୍ଦନ ଯାତ୍ରା, ଚମ୍ପକ ଦ୍ୱାଦଶୀ ଇତ୍ୟାଦିରେ ମହାପ୍ରଭୁଙ୍କର ରାଜନୀତି ବନ୍ଦାପନା ହୋଇଥାଏ । ଏଥିରେ ମଙ୍ଗଳାର୍ପଣ ବା ପୁଷ୍ପାଞ୍ଜଳିର ବିଧି ରହିଛି । ଆଉ ଏ ସମସ୍ତ କାର୍ଯ୍ୟକୁ ଗଜପତି ମହାରାଜା କରିବାକୁ ଆସିପାରନ୍ତି ନାହିଁ, ତେଣୁ ମହାରାଜାଙ୍କ ଏହିସବୁ କର୍ମ ମୁଦିରସ୍ତ ସେବକ ହିଁ କରିଥାନ୍ତି ।

ଯେପରି ନିଳାଦ୍ରୀବିଜେରେ ମହାପ୍ରଭୁ ଶ୍ରୀମନ୍ଦିରକୁ ବାହୁଡ଼ନ୍ତି । ଆଉ ଏହି ସମୟରେ ଆଗ ମୁଦିରସ୍ତ ଆସି ପୁଷ୍ପାଞ୍ଜଳି ଦେଲେ ହିଁ ମହାପ୍ରଭୁଙ୍କ ଦେବନୀତିି ହୋଇଥାଏ । ତେଣୁ ବର୍ଷ ତମାମ ମହାପ୍ରଭୁଙ୍କର ଯେଉଁସବୁ ଉତ୍ସବ ହୁଏ ସେଥିରେ ଗଜପତି ମହାରାଜାଙ୍କର ଯାହା ରାଜକୀୟ ନୀତି କରିବା କଥା ସେଗୁଡ଼ିକ ମୁଦିରସ୍ତଙ୍କ ଦ୍ୱାରା ହିଁ ସମ୍ପନ୍ନ ହୋଇଥାଏ । ତେବେ ବିଶେଷ କଥା ହେଉଛି ମୁଦିରସ୍ତ ହେଉଛନ୍ତି ଜଣେ ନାବାଳକ । କୌଣସି ସାବାଳକ ମୁଦିରସ୍ତ ହୋଇପାରିବେନି । ଆଉ ସେହି ନାବାଳକଙ୍କୁ ଗଜପତି ମହାରାଜା ଶାଢ଼ୀ ବନ୍ଦାଇ ନିଯୁକ୍ତ କରିବେ । ତେବେ ଏହି ମୁଦିରସ୍ତଙ୍କ ସ୍ୱତନ୍ତ୍ର ବସ୍ତ୍ର ମଧ୍ୟ ରହିଛି । ମୁଦିରସ୍ତ କେବଳ ଧଳା ବସ୍ତ୍ର ପିନ୍ଧିପାରିବେ । ମସ୍ତକରେ ଧଳାର ପଗଡ଼ି ସହିତ ଶରୀରରେ ଶ୍ୱେତ ବସ୍ତ୍ର ପିନ୍ଧନ୍ତି ମୁଦିରସ୍ତ । ତେବେ ମୁଦିରସ୍ତଙ୍କର ଏକ ବିଶେଷ କାର୍ଯ୍ୟ ମଧ୍ୟ ରହିଛି । ଯେତେବେଳେ ମନ୍ଦିର ଭିତରକୁ ଗଜପତି ମହାରାଣୀଙ୍କର ଗହଣ ବିଜେ ହୋଇଥାଏ ସେତେବେଳେ ପ୍ରଥା ଅନୁସାରେ ମହାରାଣୀ ପାଲିଙ୍କିରେ ଯାଇ ଦକ୍ଷିଣ ଦ୍ୱାରରେ ହିଁ ପ୍ରବେଶ କରିଥାନ୍ତି । ଏହି ସମୟରେ ମନ୍ଦିରକୁ ସମ୍ପୂର୍ଣ୍ଣ ଜନଶୂନ୍ୟ କରାଯାଇଥାଏ । ଆଉ ଏହି ସମୟରେ କେବଳ ମୁଦିରସ୍ତ ହିଁ ମହାରାଣୀଙ୍କୁ ମହାପ୍ରଭୁଙ୍କ ନିକଟରେ ଦର୍ଶନ କରାଇବା ସହ ପୂଜାର୍ଚ୍ଚନା କରାଇବେ । ଏହା ହେଉଛି ମୁଦିରସ୍ତଙ୍କର ସବୁଠାରୁ ବିଶେଷ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ।

ଯେପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଜେ ପ୍ରତିମା ପ୍ରତିନିଧି ହେଉଛନ୍ତି ମଦନମୋହନ, ସେପରି ଗଗପତି ମହାରାଜାଙ୍କର ପ୍ରତିନିଧି ହେଉଛନ୍ତି ମୁଦିରସ୍ତ । ଯେଉଁ ଯେଉଁ ସ୍ଥାନରେ ଗଜପତି ମହାରାଜାଙ୍କ ରାଜନୀତି ବନ୍ଦାପନାର ଆବଶ୍ୟକ ରହିଛି ଆଉ ମହାରାଜା ଅନୁପସ୍ଥିତ ରୁହନ୍ତି, ସେଠାକୁ ମୁଦିରସ୍ତ ଯାଇ ସେବା ପ୍ରଦାନ କରନ୍ତି । ଶ୍ରୀମନ୍ଦିରରେ ଆବାହମାନକାଳରୁ ଚାଲିଆସିଛି ମୁଦିରସ୍ତ ସେବା । ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ଅଛନ୍ତି ଦୁଇଟି ପରିବାର । ଶାସ୍ତ୍ର ଅନୁସାରେ ବ୍ରତ ହୋଇଥିବା ନାବାଳକ ହିଁ ମୁଦିରସ୍ତ ସେବା ପାଇଁ ଯୋଗ୍ୟ ହୋଇଥାନ୍ତି । ସେ ସାବାଳକ ହେବା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସେବା କରନ୍ତି । ପରେ ଅନ୍ୟ ଜଣେ ମୁଦିରସ୍ତ ହୋଇଥାନ୍ତି । ସେ ଗଜପତିଙ୍କ ପ୍ରତିନିଧି ହୋଇଥିବାରୁ ସେବା ଆରମ୍ଭ ପୂର୍ବରୁ ମହାରାଜ ତାଙ୍କ ମସ୍ତକରେ ବାନ୍ଧନ୍ତି ଶାଢ଼ୀ ।

Leave A Reply

Your email address will not be published.