Before Header

ଓଡ଼ିଶା ହାରିଲା, ଆନ୍ଧ୍ର ଜିତିଲା

0 43

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବଂଶଧାରା ନଦୀ ଉପରେ ନେରେଡି ଠାରେ ପ୍ରକଳ୍ପ ନିର୍ମାଣ ପାଇଁ ସୁପ୍ରିମକୋର୍ଟ ଆନ୍ଧ୍ରକୁ ସବୁଜ ସଂକେତ ଦେବା ପରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଆନ୍ଧ୍ର ସରକାର ତେବେ ଆବଶ୍ୟକୀୟ ଓଡ଼ିଶା ଜମି ଗ୍ରହଣ କରିବାରେ ସହାୟତା କରିବା ପାଇଁ ମଧ୍ୟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି କୋର୍ଟ । ତେବେ ଓଡ଼ିଶା ସରକାର ଏହାକୁ କିଭଳି ଗ୍ରହଣ କରିବେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କ୍ଷତିଗ୍ରସ୍ତ ଅଂଚଳର ଲୋକଙ୍କୁ ଉପଯୁକ୍ତ ଦର ମିଳିବା ସହ ଥଇଥାନ ଆଗୁଆ ନକଲେ ଆମେ ଭିଟା ମାଟି ଛାଡିବୁ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସୀମାକୁ ସୁରକ୍ଷା ଦେବାରେ ଓଡ଼ିଶା ସରକାର ବାରମ୍ବାର ବିଫଳ ହେବା ସୀମାନ୍ତବର୍ତି ଲୋକଙ୍କ ପାଇଁ ସମସ୍ୟା ହେଉଛି ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ । ବଂଶଧାରା ନଦୀ ଉପରେ ନେରେଡି ଠାରେ ଆନ୍ଧ୍ର ସରକାର ପ୍ରକଳ୍ପ ନିର୍ମାଣ କରିବା ପାଇଁ ଗତ ୨୦୦୬ ମସିହାରେ ଅଂଟା ଭିଡ଼ିଥିଲେ । ଏହି ପ୍ରକଳ୍ପ ନିର୍ମାଣ ହେଲେ ଓଡ଼ିଶା ଉଭୟ ବଢ଼ି ଓ ମରୁଡ଼ିର ସମ୍ମୁଖୀନ ହେବା ନିଶ୍ଚିତ ଥିବାରୁ ଏହାର ପ୍ରତିବାଦରେ ଓଡ଼ିଶା ସରକାର ଏହା ବିରୁଦ୍ଧରେ ସୁପ୍ରମିକୋର୍ଟର ଦ୍ଵାରସ୍ଥ ହୋଇଥିଲେ ।

ସୁପ୍ରମିକୋର୍ଟ ଦ୍ବାରା ଗଠିତ ଟ୍ରିବୁନାଲ ଏହାର ଶୁଣାଣି କରି ୨୦୧୭ ମସିହାରେ ଏହାର ନିର୍ମାଣ ପାଇଁ ଆନ୍ଧ୍ର ସରକାରଙ୍କୁ ଅନୁମତି ପ୍ରଦାନ କରିଥିଲେ । ତେବେ ଏହି ରାୟ ବିରୁଦ୍ଧରେ ଓଡ଼ିଶା ସରକାର ପୁନଃ ଆବେଦନ କରିଥିଲେ । ହେଲେ ସୁପ୍ରିମ କୋର୍ଟ ଏହାର ଶୁଣାଣି କରି ଏବେ ପୁଣି ସେହି ପୁରୁଣା ରାୟକୁ କାଏମ ରଖିଛନ୍ତି । ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ଧ୍ରକୁ ଅନୁମତି ଦେବା ସହ ଏଥିପାଇଁ ଓଡ଼ିଶା ପଟରୁ ଆବଶ୍ୟକୀୟ ଜମି ଅଧିଗ୍ରହଣ କରି ଆନ୍ଧ୍ରକୁ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟ ପ୍ରକାଶ ପାଇବା ପରେ କ୍ଷତିଗ୍ରସ୍ତ ହେବାକୁ ଥିବା ଓଡିଶାର ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ମାମଲାର ଶୁଣାଣି କରୁଥିବା ଟ୍ରିବୁନାଲ ସଦସ୍ୟ ଦୁଇ ଦୁଇ ଥର ଏହି ଅଂଚଳକୁ ଗସ୍ତ କରି ସ୍ଥିତି ପରଖିବା ପରେ ଏଭଳି ରାୟ ଦେବା ଦୁର୍ଭାଗ୍ୟଜନକ । ସରକାର ଜମି ଅଧିଗ୍ରହଣ କରିବା ବେଳେ ଉପଯୁକ୍ତ ଦର ଦେବା ସହ ଆଗୁଆ ଥଇଥାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । କେବଳ ଯେତିକି ଜମି ଆବଶ୍ୟକ ସେତିକି ଅଧିଗ୍ରହଣ ନକରି ସମସ୍ତ ଗ୍ରାମବାସୀଙ୍କୁ ଏହି କ୍ଷତିପୁରଣ ମିଳିବା ଦରକାର । ଏହା ନହେଲେ ଆମେ ଭିଟାମାଟି ଛାଡିବୁନାହିଁ କି ଜୀବନ ଗଲେ ମଧ୍ୟ ଦାବି ପୁରଣ ନହେବା ଯାଏଁ ପ୍ରକଳ୍ପ କାମ କରିଦେବୁନାହିଁ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି ।

ଓଡିଶା ଉପରେ ଆନ୍ଧ୍ର ସରକାର ସବୁବେଳେ ନିଜର ଦାଦାଗିରି ଦେଖାଇ ଆସିଛି । କେତେବେଳ ଜଳ ତ କେତେବେଳେ ଜଙ୍ଗଲକୁ ଅପହରଣ କରିନେବାକୁ ପ୍ରୟାସ କରୁଛି ଆନ୍ଧ୍ର । ହେଲେ ଗୋଟିଏ ବି କ୍ଷେତ୍ରରେ ଓଡିଶା, ଆନ୍ଧ୍ରକୁ ଉଚିତ ଜବାବ ଦେଇପାରିନାହିଁ । ଫଳରେ ଆନ୍ଧ୍ର ସବୁ ବେଳେ ସୀମାରେ ଅନୁପ୍ରବେଶ କରୁଥିବା ବେଳେ ସୀମାନ୍ତବର୍ତି ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୀମାରେ ଏଭଳି ସ୍ଥିତି ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ଦାୟୀ ବୋଲି କହିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ । ଆନ୍ଧ୍ରକୁ ପ୍ରକଳ୍ପ ପାଇଁ ଅନୁମତି ଦେବା ସହ ଆବଶ୍ୟକୀୟ ଜମି ଅଧିଗ୍ରହଣ ପାଇଁ ଓଡିଶାକୁ ନିର୍ଦ୍ଦେଶ ଦେବା କେବଳ ଓଡ଼ିଶାର ପରାଜୟ ନୁହେଁ, ବରଂ ଲଜ୍ଜା ମଧ୍ୟ । ତେବେ ଏହାକୁ ଓଡ଼ିଶା ସରକାର କିଭଳି ଗ୍ରହଣ କରୁଛନ୍ତି ଏବଂ ରାଜ୍ୟ ସରକାରଙ୍କ ପରବର୍ତ୍ତି ପଦକ୍ଷେପ କଣ ହେବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେଣୁ ସମସ୍ତେ ଏହାକୁ ଚାହିଁ ରହିଛନ୍ତି । ଆନ୍ଧ୍ରକୁ ଜବାବ ପାଇଁ ଆଉ କିଛି କରୁଛନ୍ତି ନା ସୁପ୍ରିମକୋର୍ଟଙ୍କ ଏହି ଆଦେଶକୁ ଗ୍ରହଣ କରୁଛନ୍ତି ତାହା ରାଜ୍ୟ ସରକରକଙ୍କ ପଦକ୍ଷେପରୁ ହିଁ ସ୍ପଷ୍ଟ ହେବ ।

Leave A Reply

Your email address will not be published.