Before Header

ଭକ୍ତ ପାଇଁ ଅଟକିଥିଲା ନନ୍ଦିଘୋଷ

0 34

ପୁରୀ (ବଡ଼ ଖବର ବ୍ୟୁରୋ): ଭାବର ଠାକୁର ସିଏ । ଭକ୍ତ ପାଇଁ ବାହାରି ଆସନ୍ତି ବଡ଼ଦାଣ୍ଡକୁ । ଜଗନ୍ନାଥ ସଂସ୍କୃତିରେ ଭାବର ଠାକୁରଙ୍କୁ ନେଇ ରହିଛି ଅନେକ କାହାଣୀ, ଅନେକ ପ୍ରମାଣ । ଜଗତ ଠାକୁରଙ୍କ ଭକ୍ତି ଅର୍ଘ୍ୟରେ ଯେ କେହିବି ମନ ଜିଣିପାରେ । ଜାତି,  ଧର୍ମ, ବର୍ଣ୍ଣର କୌଣସି ମାନେ ନଥାଏ । ଭକ୍ତିର ଭାବରେ ବନ୍ଧା ଜଗତ ଠାକୁର । ଯାହାର ପ୍ରମାଣ ହେଉଛନ୍ତି ଭକ୍ତ ସାଲବେଗ । ଯାହାଙ୍କ ପାଇଁ ଅଟକି ଥିଲା ନନ୍ଦିଘୋଷ । ଭାବ ଓ ବିଶ୍ୱାସର ଠାକୁର ମହାପ୍ରଭୁ ଜଗନ୍ନାଥ । ଭକ୍ତି ହିଁ ମହାପ୍ରଭୁଙ୍କୁ ଜିିଣିବାର ଗୋଟିଏ ମାଧ୍ୟମ । ଭକ୍ତକୁ ଦର୍ଶନ ଦେବାକୁ ବଡ଼ ଦେଉଳରୁ ବଡ଼ ଦାଣ୍ଡକୁ ଓହ୍ଲାଇ ଆସନ୍ତି କାଳିଆ ସାଆନ୍ତ ।

ଭାବର ଠାକୁରଙ୍କ ଭକ୍ତିରେ ବିଭୋର ଜଣେ ଭକ୍ତ ଥିଲେ ସାଲବେଗ । ମନେପଡ଼େ ଭକ୍ତ ସାଲବେଗ ଅନନ୍ୟ ଭକ୍ତି । ଯାହାଙ୍କ ପାଇଁ ଦିନେ ଅଟକି ଯାଇଥିଲା ନନ୍ଦିଘୋଷ । ସାଲବେଗ ଏକ ଅଣହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଲାଲବେଗ ବିହାରରେ ଜାହାଙ୍ଗିରଙ୍କ ରାଜଦରବାରରେ ମୋଗଲ କର୍ମଚାରୀ ଥିଲେ । ତେବେ ସାଲବେଗଙ୍କ ମାଆ କିନ୍ତୁ ଜଣେ ହିନ୍ଦୁ ବ୍ରାହ୍ମଣ ପରିବାରର ଥିଲେ । ଲାଲବେଗ ତାଙ୍କ ମାତାଙ୍କୁ ବଳ ପୂର୍ବକ ବିବାହ କରିଥିଲେ । ଜଣେ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ସାଲବେଗ ଶୁଣି ଶୁଣି ଅନେକ ଶାସ୍ତ୍ର ପୁରାଣ ମୁଖସ୍ତ କରିଥିଲେ । ଯୁଦ୍ଧକ୍ଷେତ୍ରରେ ଆକ୍ରମଣର ଶିକାର ହୋଇ ଗଭୀର ଆଘାତର ଶିକାର ହୋଇଥିଲେ ସାଲବେଗ । ବଞ୍ଚିବାର ସବୁ ଆଶା ହରାଇ ବସିଥିଲେ ସେ । ଏତିକି ବେଳେ ମା ତାଙ୍କୁ ଈଶ୍ୱର ବିଶ୍ୱାସୀ ହେବାକୁ ଉପଦେଶ ଦେଇଥିଲେ । ଜଗନ୍ନାଥ ହିଁ ବଞ୍ଚିବାର ଏକମାତ୍ର ରାସ୍ତା ବୋଲି ବୁଝାଇଥିଲେ ।

ଶାସ୍ତ୍ର ପୁରାଣ ବାବଦରେ ଶୁଣି ହିନ୍ଦୁ ଦେବାଦେବୀଙ୍କ ପ୍ରତି ତାଙ୍କର ଭକ୍ତିଭାବ ଆସିଥିଲା । ଏହାପରେ ବୃନ୍ଦାବନବାଗ ଠାରେ ସାଲବେଗ ତିନିରାତି ତିନି ଦିନ ଶ୍ରୀକୃଷ୍ଣ ନାମ ଜପିଥିଲେ । ଏହାପରେ ତାଙ୍କ ଦେହ ସୁସ୍ଥ ହୋଇଥିଲା । ତେଣୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ସେ ଓ ତାଙ୍କ ମା ପୁରୀ ଆସିଥିଲେ । କିନ୍ତୁ ଅନ୍ୟ ଧର୍ମରେ ବିବାହ କରିଥିବା କାରଣରୁ ତାଙ୍କ ମା ଓ ତାଙ୍କୁ ମନ୍ଦିର ଭିତରେ ପ୍ରବେଶର ଅନୁମତି ମିଳିନଥିଲା । ଏହି ସମୟରେ ସାଲବେଗ , କିବତା ମଧ୍ୟ ରଚନା କରିଥିଲେ । ପିତା ମୋଗଲ ମାତା ମୋ ବ୍ରାହ୍ମଣୀ, ଏକୂଳେ ଜନ୍ମିଲି ହିନ୍ଦୁ ନ ଛୁଏଁ ମୋ ପାଣି । ମହାପ୍ରଭୁଙ୍କ ଦର୍ଶନ ନକରି ନିରାଶ ସାଲବେଗ ତାଙ୍କ ମାଆଙ୍କୁ ଧରି ବାଲେଶ୍ୱରରେ ୧୬୦୮ରୁ ୧୬୧୫ ମସିହା ଯାଏଁ ଦାମୋଦରପୁରର ଶ୍ୟାମସୁନ୍ଦର ମନ୍ଦିର ନିକଟରେ ରହିଥିଲେ ।

୧୬୨୨ରୁ ୧୬୪୭ ମଧ୍ୟରେ ବହୁ ଭଜନ ଜଣାଣ ରଚନା କରିଥିଲେ ସାଲବେଗ । ତାଙ୍କ ରଚିତ ଆହେ ନିଳ ଶଇଳ, ପ୍ରବଳ ମତ୍ତ ବାରଣ…. ଓଡ଼ିଆ ଭକ୍ତି ସଂଗୀତରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ଆଜିବି ଏହି ଭଜନର ଆଦର ରହିଛି । ଏଥିରେ ଶ୍ରୀମନ୍ଦିର ଉପରେ ହୋଇଥିବା ବିଭିନ୍ନ ଆକ୍ରମଣ, ଲୁଟିବା ଦେଉଳରୁ ଭଗବାନଙ୍କୁ ସ୍ଥାନାନ୍ତର କରିବା ଆଦି ଘଟଣାକୁ ଅତି ସୁନ୍ଦର ଭାବରେ ଉପସ୍ଥାପନା କରାଯାଇଛି । ତେବେ ସାଲବେଗଙ୍କ ପିତା ବଙ୍ଗ ଅଭିମୁଖେ ଯାତ୍ରା କରୁଥିବା ବେଳେ ପ୍ରାଣ ହରାଇଥିଲେ । ଏହାପରେ ଲାଲବେଗଙ୍କ ସମ୍ପର୍କୀୟ ସାଲବେଗ ଓ ତାଙ୍କ ମାଆଙ୍କୁ ଘରୁ ବାହାର କରିଦେଇଥିଲେ ।

ଏହାପର ବର୍ଷ ହିଁ ସାଲବେଗ ରଥଯାତ୍ରାରେ ପ୍ରଭୁଙ୍କ ଦର୍ଶନ ପାଇଁ ଇଚ୍ଛା କରିଥିଲେ । ବିଳମ୍ବ କାରଣରୁ ରଥ ଟଣା ସରିଯିବ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ ରଥଟଣା ବିଳମ୍ବ ହେଉ । ମହାପ୍ରଭୁ ତାଙ୍କ ଗୁହାରୀ ରକ୍ଷା କରିଥିଲେ । ସାଲବେଗ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ଅଟକି ଥିଲା ନନ୍ଦିଘୋଷ ରଥ । ସାଲବେଗ ବଡ଼ଦାଣ୍ଡରେ ପହଞ୍ଚି ରଥେ ବିରାଜିତ ମହାବାହୁଙ୍କୁ ଦର୍ଶନ କରିବା ପରେ ଗଡ଼ିଥିଲା ରଥଯାତ୍ରା । ସାଲବେଗ ମହାପ୍ରଭୁଙ୍କର ଏକ ବଡ଼ ଭକ୍ତ ଥିଲେ । ଏହି ମହାନ ଭକ୍ତଙ୍କ ପରଲୋକ ପରେ ପୁରୀରେ ବଳଗଣ୍ଡି ଠାରେ ତାଙ୍କ ସମାଧି ତିଆରି ହୋଇଛି । ଆଉ କିମ୍ବଦନ୍ତୀ ଅନୁସାରେ ପ୍ରତିବର୍ଷ ସେହିଠାରେ ରଥ କିଛି ସମୟ ରଖାଯାଇଥାଏ ।

Leave A Reply

Your email address will not be published.