Before Header

କର୍ଣ୍ଣାଟକରେ ବିଜେପି ଓ ଜେଡିଏସ କଳିରୁ ଫାଇଦା ଉଠାଇବାକୁ କଂଗ୍ରେସର ଅପରେସନ ପଂଝା

0 20

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ): ଦିନେ ଜେଡିଏସ ଓ କଂଗ୍ରେକୁ ଭାଙ୍ଗିଥିଲା ବିଜେପି । ଆଜି ବିଜେପି ଓ ଜେଡିଏସ କଳିରୁ ଫାଇଦା ଉଠାଇବାକୁ ରଣନୀତି କରୁଛି କଂଗ୍ରେସ । ଲୋକସଭା ନିର୍ବାଚନରେ କର୍ଣ୍ଣାଟକରୁ କଂଗ୍ରେସ ଅଧିକରୁ ଅଧିକ ସାଂସଦ ପଠାଇବାକୁ ଯୋଜନା କରୁଛି । ଆଉ ରାଜ୍ୟ ରାଜନୀତିର ଅଳିନ୍ଦୁରେ ଅପରେସନ ପଂଝାକୁ ନେଇ ଜୋରଦାର ଚର୍ଚ୍ଚା । ବିଜେପି ଓ ଜେଡିଏସ ମଧ୍ୟରେ ଚାଲିଥିବା ତୁ ତୁ ମେ ମେରେ କଂଗ୍ରେସ ନିର୍ବାଚନ ରଣନୀତିକୁ ନିଜ ସପକ୍ଷରେ କରାଇବା ପାଇଁ ରଚୁଛି ଚାଲ । ୨୦୧୯ରେ ଅପରେସନ ଲୋଟସର ଏହି ମିଶନ ପ୍ରତିଶୋଧ ବୋଲି ଚର୍ଚ୍ଚା ହେଉଛି । ତେବେ ଶୁଣାଯାଉଛି ଯେ, ଅପରେସନ ପଂଝା ୩ ରୁ ୪ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ଯାହାର ମୂଳ ଲକ୍ଷ୍ୟ ରହିବ ବିଜେପି ଓ ଜେଡିଏସ ମଧ୍ୟରେ ଫାଟ ସୃଷ୍ଟି କରିବା । ଯାହାର ପ୍ରଭାବ ଦୁଇ ଦଳ ମଧ୍ୟରେ ଦେଖିବାକୁ ମିଳିଲାଣି । କାରଣ ଶୁଣାଯାଉଛି ଯେ ୧୫ ବିଧାୟକ ଦଳ ବଦଳ ପ୍ରକ୍ରିୟାରେ ସାମିଲ ହୋଇ କଂଗ୍ରେସରେ ଯୋଗ ଦେବେ । ଏହି ବିଧାୟକମାନଙ୍କ ସହ ପୂର୍ବରୁ ଆଲୋଚନା ସରିଛି । କଥା ପକ୍କା ହେବା ପରେ ସେମାନେ କଂଗ୍ରେସର ହାତ ଧରିବେ । ସେପଟେ ଏନେଇ ବିଜେପି ମଧ୍ୟ ଉତ୍ତର ରଖିଛି । କଂଗ୍ରେସ ଯେତେ ବି ମିଶନ ପ୍ରସ୍ତୁତ କରୁ ନା କାହିଁକି, ବିଜେପି ପକ୍ଷରୁ ଗୋଟିଏ ବି ବିଧାୟକ କଂଗ୍ରେସରେ ମିଶିବେନି । ଏପରି କହିଛନ୍ତି ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ ବୋମ୍ମାଇ ।

ତେବେ କଂଗ୍ରେସର ଏହି ଅପରେସନ ପଂଝା କ’ଣ? ଏହି ଅପରେସନରେ କଂଗ୍ରେସ ନଜରରେ ରହିଛନ୍ତି ବିଜେପି ତଥା ଜେଡିଏସର ଶକ୍ତିଶାଳୀ ନେତା । ଏହି ନେତାମାନେ ଯଦି ବିଜେପି ସପକ୍ଷରେ ରୁହନ୍ତି ତେବେ କଂଗ୍ରେସ ପାଇଁ ନିର୍ବାଚନ ବୈତରଣୀ ପାର କରିବା କଷ୍ଟକର ହୋଇପଡିବ । ଯାହାକୁ ସହଜ କରିବା ପାଇଁ କଂଗ୍ରେସ ଆରମ୍ଭ କରିଛି ଏହି ମିଶନ । ଏହାରି ସହ ୨୪ରେ ୨୦ଟି ଆସନ କବ୍ଚା କରିବା ପାଇଁ ଲକ୍ଷ୍ୟ ରଖିଛି ଦଳ । ସେପଟେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ସଭାପତି ଡି କେ ଶିବକୁମାରଙ୍କ ରାଜନୈତିକ ବିବୃତ୍ତି ଅପରେସନ ପଂଝାର କଳ୍ପନାକୁ ଆହୁରି ଗୁରୁତ୍ୱ ଦେଇଛି । ରାଜନୀତିରେ ସବୁକିଛି ସମ୍ଭବ, ଏପରି କହି ପ୍ରତିକ୍ରିୟା ସେ ଦେଇଛନ୍ତି । ଶିବକୁମାରଙ୍କ ମତରେ ୨୦୨୩ ନିର୍ବାଚନ ସମୟରେ ଯେଉଁ ଅଂଚଳରେ କଂଗ୍ରେସର ପ୍ରଦର୍ଶନ କମ ଥିଲା, ସେହି ଅଂଚଳକୁ ଅଧିକ ଗୁରୁତ୍ୱ ଦିଆଯିବ । ଭୋଟ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ରଣନୀତି ଆପଣାଉଛି ଦଳ । ଆମର ଲକ୍ଷ୍ୟ ହେଉଛି ଲୋକସଭାରେ ଅଧିକ ଆସନରେ ବିଜୟୀ ହେବା । ଶିବକୁମାରଙ୍କ ବୟାନରୁ ଏକଥାର ସ୍ପଷ୍ଟତା ବାରି ହେଉଥିବା ବେଳେ ବାହାରି ପାରିପାଶ୍ୱିର୍କ ମାହୋଲ ମଧ୍ୟ ଏକଥାରେ ସହମତ କରୁଛି । କାରଣ ମିଳିଥିବା ସୂଚନା ଅନୁସାରେ ଜେଡିଏସର ୧୦ରୁ୧୨ ଜଣ ବିଧାୟକ ଲଗାତାର ଭାବେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି । ଜେଡିଏସରେ ବର୍ତ୍ତମାନ ୧୯ ଜଣ ବିଧାୟକ ରହିଛନ୍ତି । ଅନ୍ୟପକ୍ଷେ କଂଗ୍ରେସର ଅପରେସନ ପଂଝା ପରେ ବିଜେପିର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ବିଜେପି କହିଛି, ଜେଡିଏସର ବିଧାୟକମାନେ ଖୁବଶୀଘ୍ର ବିଜେପିରେ ଯୋଗଦେବେ । କିନ୍ତୁ ଲାଗୁଛି ଏଥର କଂଗ୍ରେସ ନିଜ ଭୋଟ ବ୍ୟାଙ୍କକୁ ସୁଦୃଢ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ କରିଛି ।

ନିର୍ବାଚନ ସାରା ଦେଶ ପାଇଁ ଗୁରୁତ୍ୱ ରଖୁଥିବା ବେଳେ କର୍ଣ୍ଣାଟକରେ ହିଁ କଂଗ୍ରେସର ଅପରେସନ ପଂଝା କାହିଁକି କାର୍ଯ୍ୟ କରୁଛି? ଏହାର ଉତ୍ତର ହେଉଛି ରାଜ୍ୟରେ ହୁଏତ ଜେଡିଏସ କିଙ୍ଗମେକର ଭାବେ ଭୂମିକା ନିଭାଉନାହିଁ, କିନ୍ତୁ ଏହାର ସଂଖ୍ୟା ଖେଳ କଂଗ୍ରେସ ପାଇଁ ଚିନ୍ତା ବଢାଇବାରେ ବେଶ ସମର୍ଥ । ଯଦି ଜେଡିଏସ ବିଜେପି ସପକ୍ଷରେ ଯାଏ, ତେବେ କଂଗ୍ରେସ ପଲ୍ଲା ତଳକୁ ଖସି ଆସିବ । କାରଣ ୨୦୩ ନିର୍ବାଚନରେ ଜେଡିଏସ ୧୩ ପ୍ରତିଶତ ଭୋଟ ପାଇଥିଲା ଏବଂ ଦଳର ୧୯ ଜଣ ପ୍ରାର୍ଥୀ ବିଧାୟକ ହୋଇଥିଲେ ।୧୩୫ଟି ଆସନ ଜିତି ସରକାର ଗଠନ କରିଥିବା କଂଗ୍ରେସ ୪୨% ଭୋଟ ପାଇଥିଲା । ସେହିଭଳି ବିଜେପି ୩୬% ଭୋଟରେ ୬୬ଟି ସିଟ ହାତେଇବାରେ ସକ୍ଷମ ହୋଇଥିଲା । ନିର୍ବାଚନ ପରଠାରୁ ବିଜେପି ଓ ଜେଡିଏସ ମଧ୍ୟରେ ମିଳିତ ଭାବେ ଭଲ ସମ୍ପର୍କ ରହିଆସିଛି । ଯାହାକୁ ଭାଙ୍ଗିବା ପାଇଁ ଅପରେସନ ପଂଝା କରି ଯୋଜନା କରିଛି କଂଗ୍ରେସ ।

Leave A Reply

Your email address will not be published.