ପାଟନା (ବଡ଼ ଖବର ବ୍ୟୁରୋ): ବିହାରର ମୁଜାଫରପୁର ସ୍ଥିତ ପ୍ରସାଦ ହସ୍ପିଟାଲର ଆଇସିୟୁ ୱାର୍ଡରେ ଭୟାବହ ଅଗ୍ନିକାଣ୍ଡ । ମୁଜାଫରପୁରର ପ୍ରସାଦ ହସ୍ପିଟାଲରେ ଅଗ୍ନିକାଣ୍ଡ । ହସ୍ପିଟାଲ ଆଇସିୟୁରେ ଲାଗିଲା ନିଆଁ । ନିଆଁରେ ଜଳିଯାଇଛନ୍ତି ଅନେକ ରୋଗୀ । ୧୦ରୁ ଅଧିକ ରୋଗୀ ମୃତ , ୧୫ ଗୁରୁତର ହୋଇଛନ୍ତି ବୋଲି ସୂଚନା ମିଳିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସର୍ଟ୍ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ ଓ ନିନ୍ଦନୀୟ ବିଷୟ ହେଉଛି, ଆଇସିୟୁ ଭିତରେ ରୋଗୀମାନେ ଜୀବନ୍ତ ଜଳୁଥିବା ସମୟରେ ହସ୍ପିଟାଲର ଡାକ୍ତର ଏବଂ ସମସ୍ତ କର୍ମଚାରୀ ସେମାନଙ୍କୁ ସେହି ଅସହାୟ ଅବସ୍ଥାରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ସୂଚନା ଅନୁଯାୟୀ, ପ୍ରସାଦ ହସ୍ପିଟାଲରେ ସକାଳ ପ୍ରାୟ ୩ଟା ସମୟରେ ହଠାତ୍ ନିଆଁ ବ୍ୟାପି ଯାଇଥିଲା । ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁ ଲାଗିବା ମାତ୍ରେ ସମଗ୍ର ଆଇସିୟୁ ୱାର୍ଡ କଳା ଧୂଆଁରେ ଛାଇଯାଇଥିଲା । ଗୁରୁତର ଅବସ୍ଥାରେ ଭେଣ୍ଟିଲେଟର ଏବଂ ବେଡ୍ରେ ପଡ଼ି ରହିଥିବା ରୋଗୀମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରି ଚିତ୍କାର କରିଥିଲେ । କିନ୍ତୁ ସେମାନଙ୍କ ଜୀବନ ରକ୍ଷା କରିବା ପରିବର୍ତ୍ତେ ହସ୍ପିଟାଲ ପ୍ରଶାସନ ନିଜ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇଥିଲେ । ଅଗ୍ନିଶମ ଅଧିକାରୀ ଆର.ଏନ. ପାଣ୍ଡେ ଜଣାଇଛନ୍ତି ଯେ, ସକାଳେ ଅଗ୍ନିକାଣ୍ଡର ସୂଚନା ପାଇ ଯେତେବେଳେ ଫାୟାର ବ୍ରିଗେଡ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା, ସେତେବେଳେ ହସ୍ପିଟାଲ ପରିସରରେ କୌଣସି ଜଣେ ହେଲେ କର୍ମଚାରୀ ଉପସ୍ଥିତ ନଥିଲେ ।
ଆଇସିୟୁ ୱାର୍ଡଟି ସମ୍ପୂର୍ଣ୍ଣ ରୂପେ ଜଳୁଥିଲା ଏବଂ ଧୂଆଁରେ ଭରି ରହିଥିଲା । ଶେଷରେ ଦମକଳ ଗାଡ଼ିର କର୍ମଚାରୀମାନେ ହସ୍ପିଟାଲର ଝରକା ଓ କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ ଏବଂ ସେଠାରେ ଫସି ରହିଥିବା ପ୍ରାୟ ୨୦ରୁ ଅଧିକ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । “ଆମ ବାପା ଆଇସିୟୁରେ ଭର୍ତ୍ତି ହୋଇଥିଲେ । ନିଆଁ ଲାଗିବା ପରେ ଡାକ୍ତର ଏବଂ ଷ୍ଟାଫ୍ ସେମାନଙ୍କୁ ମରିବା ପାଇଁ ଛାଡ଼ି ପଳାଇଲେ । ଏପରିକି ଦୁର୍ଘଟଣା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ମୃତ ଶରୀର ମଧ୍ୟ ହସ୍ତାନ୍ତର କରୁନାହାନ୍ତି ।” ଏହି ଅଭାବନୀୟ ଦୁର୍ଘଟଣାରେ ୨୦ରୁ ଅଧିକ ରୋଗୀ ଗୁରୁତର ଭାବେ ଆହତ ହୋଇଛନ୍ତି ।
ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନେକ ରୋଗୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି । ସିଭିଲ ସର୍ଜନ ଘଟଣାସ୍ଥଳରେ ପହଞ୍ଚି ମେଡିକାଲ ସହାୟତାର ତଦାରଖ କରୁଛନ୍ତି । ନିଆଁ ଲାଗିବା ପରେ କିଛି ପରିବାର ନିଜ ସମ୍ପର୍କୀୟଙ୍କ କୌଣସି ସନ୍ଧାନ ପାଉନଥିବା ପ୍ରଶାସନକୁ ଜଣାଇଛନ୍ତି । ସେମାନଙ୍କର ସ୍ଥିତି ଯାଞ୍ଚ କରାଯାଉଛି । ଏହି ସମ୍ପୂର୍ଣ୍ଣ ମାମଲାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
