Before Header

ମାଟିରେ ମିଶିବ ପ୍ଲାଷ୍ଟିକ

0 30

ୟାଲେ ୟୁନିଭର୍ସିଟି (ବଡ଼ ଖବର ବ୍ୟୁରୋ): ଜୀବଜଗତରେ ସବୁ କିଛି ମାଟିରେ ମିଶିଯାଏ । କିନ୍ତୁ ଏପରି କିଛି ପଦାର୍ଥ ରହିଛି, ଯାହା ମାଟିରେ କେବେ ମିଶିପାରେନି । ତାହା ହେଉଛି ପ୍ଲାଷ୍ଟିକ । ଆଉ କେବଳ ପ୍ଲାଷ୍ଟିକ କାରଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ସାମୁଦ୍ରିକ ଜୀବ ପ୍ରାଣ ହରାଉଛନ୍ତି । ଯେଉଁ କାରଣରୁ ଭାରତରେ ପ୍ଲାଷ୍ଟିକ ବ୍ୟାନ ମଧ୍ୟ କରାଯାଇଛି । ତଥାପି ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତି ପାଉ ନାହାନ୍ତି ଜୀବଜଗତ । ତେବେ ୟାଲେ ୟୁନିଭର୍ସିଟିର ବୈଜ୍ଞାନିକ ମାନେ ଏବେ ଏହାର ସମାଧାନକୁ ଖୋଜି ବାହାର କରିଛନ୍ତି । ପ୍ଲାଷ୍ଟିକ ପ୍ରଦୂଷଣ ସମଗ୍ର ଜୀବ ଜଗତ ପାଇଁ ଦିନକୁ ଦିନ ବିପଦ ହେବାରେ ଲାଗିଛି । ତେବେ ପ୍ଲାଷ୍ଟିକ କାରଣରୁ ବହୁ ପଶୁପକ୍ଷୀଙ୍କର ପ୍ରତିଦିନ ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି ।

ମଣିଷ ପ୍ଲାଷ୍ଟିକ ବ୍ୟବହାର କରି ଫିଙ୍ଗି ଦେବା ପରେ ଏହା ସିଧାସଳଖ ଯାଇ ସମୁଦ୍ରରେ ମିଶିଥାଏ । ଆଉ ପ୍ଲାଷ୍ଟିକ ନଷ୍ଟ ନହେଉଥିବା କାରଣରୁ ଏହା ବର୍ଷ ବର୍ଷ ଧରି ସମୁଦ୍ର ମଧ୍ୟରେ ଭାସି ବୁଲେ । ଯେଉଁ କାରଣରୁ ସାମୁଦ୍ରିକ ପ୍ରାଣୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଉ ରିପୋର୍ଟ କହୁଛି ୧୦୦ମିଲିୟନ ସାମୁଦ୍ରିକ ପ୍ରାଣୀଙ୍କର ପ୍ରତିବର୍ଷ ପ୍ଲାଷ୍ଟିକ କାରଣରୁ ମୃତ୍ୟୁ ହେଉଛି । ସେଥିମଧ୍ୟରୁ ଏକ ଲକ୍ଷ କେବଳ ପ୍ଲାଷ୍ଟିକରେ ଛନ୍ଦି ହେବା କାରଣରୁ ମୃତ୍ୟୁ ବରଣ କରିଥାନ୍ତି । ସେହିପରି ସମୁଦ୍ରରେ ପ୍ଲାଷ୍ଟିକ ଭାସୁଥିବା କାରଣରୁ ଏହାକୁ ଅନେକ ସାମୁଦ୍ରିକ ଜୀବ ଖାଦ୍ୟ ସହ ଗ୍ରହଣ କରିଥାନ୍ତି । ଯେଉଁ କାରଣରୁ ଏହାର ପ୍ରଭାବ ମଣିଷଙ୍କ ଉପରେ ମଧ୍ୟ ପଡ଼ିଥାଏ । ପ୍ରତିବର୍ଷ ୧୨ ଶହରୁ ୧୪ଶହ ଟନ୍ ପ୍ଲାଷ୍ଟିକ ମାଛ ଦ୍ୱାରା ମଣିଷକୁ ଖାଇବାକୁ ଦିଆଯାଏ । ତେବେ ୧୯୫୦ରୁ ବର୍ତ୍ତମାନ ପର୍ୟ୍ୟନ୍ତ ୯ବିଲିୟନ୍ ଟନ୍ ବା ୮୧୬ କୋଟି କିଲୋଗ୍ରାମରୁ ଅଧିକ ପ୍ଲାଷ୍ଟିକ ତିଆରି କରାଯାଇଛି । ସେଥିମଧ୍ୟରୁ ମାତ୍ର ୯% ବର୍ୟ୍ୟ ପ୍ଲାଷ୍ଟିକ ପୁନଃ ବ୍ୟବହାର କରାଯାଇଛି ।
୧୨% ପ୍ଲାଷ୍ଟିକ ଜଳାଇ ଦିଆଯାଇଛି । ଆଉ ବାକି ୭୯% ପ୍ଲାଷ୍ଟିକ ପୃଥିବୀ ପାଇଁ ବିପଦ ହୋଇ ରହିଛି । ତେବେ ଏହି ଚିନ୍ତାରୁ ବର୍ତ୍ତମାନ ସାମାନ୍ୟ ଆଶ୍ବସ୍ତି କରିବା ଭଳି ଖବର ଆସିଛି । ବୈଜ୍ଞାନିକ ମାନେ ଏବେ ପ୍ଲାଷ୍ଟିକ ନଷ୍ଟ କରିବାର ପ୍ରାକୃତିକ ଉପାୟ ଖୋଜି ପାଇଛନ୍ତି । ଅନେକ ବର୍ଷର ଗବେଷଣା ଏବେ ଆଣି ଦେଇଛି ବୈଜ୍ଞାନିକ ମାନଙ୍କୁ ସଫଳତା ।

ଆଗରୁ ଗବେଷଣା ମାଧ୍ୟମରେ ପ୍ଲାଷ୍ଟିକ ନଷ୍ଟ କରିପାରୁଥିବା ଏକ ଏନଜାଇମ୍ ବୈଜ୍ଞାନିକ ମାନେ ଲ୍ୟାବ୍ରେ ତିଆରି କରି ଥିଲେ । କିନ୍ତୁ ପ୍ରାକୃତିକ ଉପାୟରେ ଯେ, ପ୍ଲାଷ୍ଟିକ ନଷ୍ଟ କରି ହେବ ତାହାର ଆବିଷ୍କାର ମଧ୍ୟ ହୋଇ ସାରିଛି । ୟାଲେ ୟୁନିଭର୍ସିଟିର ବୈଜ୍ଞାନିକ ମାନେ ଏହାକୁ ଖୋଜି ପାଇବାରେ ସଫଳ ହୋଇଛନ୍ତି । ଆମାଜନ ଜଙ୍ଗଲ ମଧ୍ୟରେ ଦୀର୍ଘଦିନର ଗବେଷଣା ପରେ ଏପରି ଏକ ଛତୁର ଆବିଷ୍କାର ହୋଇଛି ଯାହ ପ୍ଲାଷ୍ଟିକ ଜୈବିକ ଖତ କରିବାରେ ସଫଳ ହେଉଛି । ତେବେ ଏହି ଛତୁର ନାଁ ହେଉଛି ପେଷ୍ଟାଲୋଟିଓପିସ୍ ମାଇକ୍ରୋସ୍ପୋରା ।

ଏହାକୁ ଆମାଜନର ଘଞ୍ଚ ଜଙ୍ଗଲ ମଧ୍ୟରୁ ଖୋଜା ଯାଇଛି । ତେବେ ଏହି ଛତୁକୁ ପ୍ଲାଷ୍ଟିକ ସହ ଲଗାଇବା ଦ୍ୱାରା ଦୁଇ ସପ୍ତାହ ମଧ୍ୟରେ ଏହା ପ୍ଲାଷ୍ଟିକ ଜୈବିକ ଖତରେ ପରିଣତ କରିବାରେ ସକ୍ଷମ ହେଉଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଛତୁ ସମ୍ପୂର୍ଣ୍ଣ ଖାଦ୍ୟ ଉପଯୋଗୀ । ଆଉ ଖୁବ୍ ଶୀଘ୍ର ଏହାକୁ ଆମାଜନ୍ରୁ ଅଣାଯାଇ ପ୍ଲାଷ୍ଟିକକୁ ନଷ୍ଟ କରାଯିବାକୁ ବ୍ୟବହାର କରାଯିବ । ପ୍ଲାଷ୍ଟିକ୍ ପ୍ରଦୂଷଣ ଏବେ ସମସ୍ତଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ । କାରଣ ଏହା ଅପଚୟ ହୋଇ ନଥାଏ । ବର୍ଷ ବର୍ଷ ଧରି ପଡ଼ି ରହିବା କାରଣରୁ ଏହା ଅନେକ ଜୀବଙ୍କ ମୃତ୍ୟୁର କାରଣ ବି ପାଲଟି ତାଏ । ଆଉ ଏପରି ସମୟରେ ବୈଜ୍ଞାନିକ ମାନଙ୍କର ଏହି ଆବିଷ୍କାର ପ୍ରକୃତି ପ୍ରେମୀଙ୍କ ମନରେ ଆନନ୍ଦର ଲହରୀ ଆଣି ଦେଇଛି ।

Leave A Reply

Your email address will not be published.