Before Header

ଗୁଜୁରାଟରେ ପାଳନ ହେଲା ରଥଯାତ୍ରା

0 14

ଅହମ୍ମଦାବାଦ(ବଡ଼ ଖବର ବ୍ୟୁରୋ):  ପୁରୀ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ରଥଯାତ୍ରା କେବଳ ପୁରୀ କି ଓଡିଶାରେ ନୁହଁ ବରଂ ଓଡିଶା ବାହାରେ ମଧ୍ୟ ମହାଆଡମ୍ବରରେ ପାଳିତ ହେଉଛି । ସେହିପରି ଗୁଜୁରାଟରେ ମହାଆଡମ୍ବରରେ ପାଳିତ ହୋଇଛି ରଥଯାତ୍ରା । ଗୁଜୁରାଟର ଅହମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅବସ୍ଥିତ ଅଡାଲଜ ଠାରେ ଥିବା ଜଗନ୍ନାଥ ମନ୍ଦିରରେ ଗତକାଲି ପବିତ୍ର ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି । ଚଳିତ ବର୍ଷ ଏଠାରେ ଏହି ପବିତ୍ର ଯାତ୍ରାକୁ ନେଇ ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା।

ସକାଳେ ପାଗ ଅନୁକୂଳ ଥିବାରୁ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ମାନଙ୍କର ଭାରି ଭିଡ଼ ନଜରକୁ ଆସିଥିଲା। ମନ୍ଦିରକୁ ପରିଚାଳନା କରୁଥିବା ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଓ ଅନୁସନ୍ଧାନ କେନ୍ଦ୍ର(ଜେ.ସି. ଏ. ଆର୍.ସି) ତରଫରୁ ଏହାର ସଦସ୍ୟ ସଚିବ ଡଃ ବଦ୍ରି ମହାପାତ୍ରଙ୍କ ତତ୍ତ୍ଵାବଧାନରେ ସ୍ୱେଚ୍ଛାସେବକ ମାନଙ୍କ ଦ୍ଵାରା ଦର୍ଶକ ମାନଙ୍କୁ ନିୟନ୍ତ୍ରଣ ତଥା ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିଲା । ଭୋର ରୁ ମନ୍ଦିରରେ ଠାକୁର ମାନଙ୍କର ଯଥାରୀତି ପୂଜାର୍ଚ୍ଚନା କରାଯାଇ ସକାଳ ୯ଟା ବେଳେ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡ ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା।

ଦେବୀ ସୁଭଦ୍ରାଙ୍କର ପହଣ୍ଡି ମହିଳା ମାନେ କରୁଥିବାର ଦୃଶ୍ୟ ବେଶ ମନୋଲୋଭା ଥିଲା। ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହ ଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହେଉଥିବାର ଭବ୍ୟ ଅନୁଭୁତି ଖୁବ୍ ନିଆରା ଥିଲା। ମୁଖ୍ୟ ଅତିଥି ରାଜ୍ୟ ଜନଜାତି ଉନ୍ନୟନ ମନ୍ତ୍ରୀ ଡଃ କୁବେର ଭାଇ ଦିନଦୋର, ସକାଳ ୯ଟା ୧୫ ମିନିଟରେ ପାରମ୍ପରିକ ଢଙ୍ଗରେ ଛେରା ପହଁରା କାର୍ୟ୍ୟ ସମ୍ପନ୍ନ କରିଥିଲେ। ଏହା ପରେ ସକାଳ ସାଢେ଼ ୯ଟା ବେଳେ ମନ୍ଦିର ସାମ୍ନାର ବଡ଼ ଦାଣ୍ଡରେ ରଥ ଟଣା କାର୍ୟ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୨୦ ହଜାର ଭକ୍ତଙ୍କର ସମାଗମରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନଗର ପରିକ୍ରମାରେ ନିଆଯାଇଥିଲା।

ରଥଟିକୁ ଆଡ଼ାଲଜ ଠାରୁ ୩ କିଲୋମିଟର ଦୂରବର୍ତ୍ତୀ ମା ଅନ୍ନପୂର୍ଣ୍ଣା ମନ୍ଦିରକୁ ନିଆଯାଇ ମଧ୍ୟାହ୍ନ ସୁଦ୍ଧା ପୁଣି ମୁଖ୍ୟ ମନ୍ଦିରର ବେଢ଼ାକୁ ଫେରାଇ ଅଣାଯାଇଥିଲା। ଏହାପରେ ଠାକୁର ମାନଙ୍କୁ ମନ୍ଦିରର ତଳତାଲାରେ ଥିବା କମ୍ୟୁନିଟି ହଲ୍ ପରିସରରେ ବନି ଥିବା ମାଉସୀମା ଘରକୁ ନିଆଯାଇ ସେଠାରେ ଥିବା ସିଂହାସନରେ ବିରାଜମାନ କରାଯାଇଥିଲା। ଆସନ୍ତା ନୀଳାଦ୍ରି ବିଜେ ପର୍ୟ୍ୟନ୍ତ ଦିଅଁ ମାନେ ଏହି ଠାରେ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର ସୂତ୍ରରୁ ଜଣାଯାଇଛି। ରଥଯାତ୍ରା ଅବସରରେ ମା ଅନ୍ନପୂର୍ଣ୍ଣା ମନ୍ଦିର ଓ ଆଡ଼ାଲଜ ମନ୍ଦିରଠାରେ ଆଗନ୍ତୁକ ମାନଙ୍କୁ ମହାପ୍ରସାଦ ବିତରଣ କରାଯାଇଥିଲା। ଚଳିତ ବର୍ଷ ରଥଯାତ୍ରାର ଆୟୋଜନରେ ବିଶ୍ଵ ବ୍ରାହ୍ମଣ ସଂଗଠନର ସଭାପତି ଶଶିକାନ୍ତ ତିୱାରୀ, ମହାସଚିବ ଦୀପକ ଯୋଶୀ ଏବଂ ମାଆ ଅନ୍ନପୂର୍ଣ୍ଣା ଟ୍ରଷ୍ଟର ପରିଚାଳନା କମିଟି ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

Leave A Reply

Your email address will not be published.