Before Header

ଓପନର ଆସିବେ-ଯିବେ, ସେହ୍ୱାଗ ଭଳି କେହି ନାହାନ୍ତି ; ଜଣାନ୍ତୁ ସେହ୍ୱାଗଙ୍କୁ ଜନ୍ମଦିନରେ ଶୁଭେଚ୍ଛା

0 73

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗଙ୍କ ଜନ୍ମଦିନ । ଆଜି ସେହ୍ୱାଗ ୪୨ ବର୍ଷରେ ପର୍ଦାପଣ କରିଛନ୍ତି । ୧୯୭୮ ମସିହା ଅକ୍ଟୋବର ୨୦ରେ ସେ ଦିଲ୍ଲୀର ନଜାଫଗଡ଼ରେ ଜନ୍ମ ଗ୍ରହଣ କରିଥିଲେ । ସେହ୍ୱାଗ ତାଙ୍କ ଧୁଆଁଧାର ବ୍ୟାଟିଂ ପାଇଁ ବେଶ ଚର୍ଚ୍ଚିତ ଥିଲେ । ସେ ୧୯୯୭ରେ ଦିଲ୍ଲୀ ପକ୍ଷରୁ ନିଜର ଘରୋଇ କ୍ରିକେଟ ଆରମ୍ଭ କରିଥିଲେ । ପରେ ସେ ୧୯୯୯ ଏପ୍ରିଲ ୧ରେ ପାକିସ୍ତାନ ବିପକ୍ଷରେ ନିଜର ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ । ସେ ୨୫୧ଟି ଦିନିକିଆ ମ୍ୟାଚ ଖେଳି ୧୫ ଶତକ ଓ ୩୮ ଅର୍ଦ୍ଧଶତକ ବଳରେ ୮ହଜାର୨୭୩ ରନ କରିଥିଲେ । ସେ ୨୦୧୧ ଡିସେମ୍ବର ୮ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆରେ ପ୍ରଥମ ଦ୍ୱିଶତକ ହାସଲ କରିଥିଲେ ।

Virender Sehwag (@virendersehwag) | Twitter

ସେ ୨୦୦୧ ନଭେମ୍ବରରେ ନିଜର ଟେଷ୍ଟ ଡେବ୍ୟୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ କରିଥିଲେ । ସେ ନିଜର ଟେଷ୍ଟ ଡେବ୍ୟୁରେ ଶତକ ମଧ୍ୟ କରିଥିଲେ । ସେ ୨୦୦୪ରେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜରେ ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ତ୍ରିଶତକ କରିଥିଲେ । ସେହି ମ୍ୟାଚରେ ସେ କ୍ରିଜ୍‌ରେ ୯ଘଣ୍ଟା ରହି ୩୦୯ ରନ ସଂଗ୍ରହ କରିଥିଲେ । ଏହି ଦମଦାର ଇନିଂସ ପରେ ତାଙ୍କୁ ନଜାଫଗଡ଼ର ନୱାବ ଓ ମୁଲତାନର ସୁଲତାନ ବୋଲି ସମ୍ବୋଧନ କରାଯାଉଥିଲା । ସେ ୧୦୪ଟି ଟେଷ୍ଟ ମ୍ୟାଚ ଖେଳି ଦୁଇଟି ତ୍ରିଶତକ ସହ ୮ହଜାର ୫୮୬ ରନ ସଂଗ୍ରହ କରିଛନ୍ତି । ସେ ତାଙ୍କ କ୍ରିକେଟ ଜୀବନ ମଧ୍ୟରେ ତିନୋଟି ବିଶ୍ୱକପ ଖେଳିଛନ୍ତି । ୨୦୦୪, ୨୦୦୭ ଏବଂ ୨୦୧୧ ବିଶ୍ୱକପ ଦଳର ସଦସ୍ୟ ଥିଲେ ବୀରୁ । ୨୦୧୧ ବିଶ୍ୱକପ ବିଜୟୀ ଦଳରେ ସେ ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ । ସେହିପରି ୨୦୦୭ ଟି-୨୦ ବିଶ୍ୱକପ ବିଜୟୀ ଦଳରେ ମଧ୍ୟ ତାଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା ।

ସେ ଆଇପିଏଲରେ ମଧ୍ୟ ତାଙ୍କ ଛାପ ଛାଡ଼ିଛନ୍ତି । ସେ ପ୍ରଥମେ ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳିଥିଲେ । ଏହା ପରେ ସେ ୨୦୧୪ରେ କିଙ୍ଗସ୍ ଏକାଦଶ ପଞ୍ଜାବର ଅଧିନାୟକ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ସେହ୍ୱାଗ ୨୦୧୫ ଅକ୍ଟୋବର ୨୦ରେ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଥିଲେ । ସେ ୨୦୦୨ରେ ଅର୍ଜୁନ ପୁରସ୍କାର ଏବଂ ୨୦୧୦ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ଅବସର ନେବା ପରେ ମଧ୍ୟ ତାଙ୍କର ସେ ବିସ୍ଫୋରକ ଅନ୍ଦାଜ ବଦଳି ନାହିଁ। ସେ ଯେପରି ପଡ଼ିଆରେ ଚମତ୍କାର ଢ଼ଙ୍ଗରେ ଖେଳୁଥିଲେ ବର୍ତ୍ତମାନ କମେଣ୍ଟ୍ରି ବକ୍ସରେ ମଧ୍ୟ ସେହି ଅନ୍ଦାଜ ବଜାୟ ରଖିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଭିନ୍ନ ଏକ ରୂପରେ ଦେଖିବାକୁ ମିଳୁଛି ସେହ୍ୱାଗଙ୍କୁ । ସେ ସୋସିଆଲ ମିଡିଆରେ ନିଜର ଚିରାଚରିତ ଢ଼ଙ୍ଗରେ ବିସ୍ଫୋରକ ବୟାନ ଦେଇ ସବୁବେଳେ ଚର୍ଚ୍ଚକୁ ଆସିଥାନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ବିସିସିଆଇ, ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମେତ ବହୁ କ୍ରିକେଟରଙ୍କ ସମେତ ତାଙ୍କର ବହୁ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜାଣାଇଛନ୍ତି ।

Leave A Reply

Your email address will not be published.