Before Header

ଧନୀ ଜିଲ୍ଲାରେ ବିକାଶର ବିକଳଚିତ୍ର

0 173

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): କେନ୍ଦୁଝରରେ ପିଇବା ପାଣି ଟୋପାଏ ପାଇଁ ମରସୁଆ ଗାଁ ଲୋକେ ଡହଳ ବିକଳ। ୩୦୦ ପରିବାରକୁ ଗୋଟିଏ ନଳକୂପ । ଦଶ ବର୍ଷ ଧରି କାମରେ ଆସୁନି ମରସୁଆ ପାନୀୟ ଜଳ ପ୍ରକଳ୍ପ। ଏଠି ପ୍ରହସନ ପାଲଟିଛି ସାମାଜିକ ଅଦ୍ୟୋଗିକ ଦାୟିତ୍ୱବୋଧ । କେନ୍ଦୁଝର ସଦର ବ୍ଲକ ପକାଶପଙ୍ଗା ପଞ୍ଚାୟତର ମରସୁଆ ଗାଁ। ଏହି ଗାଁର ଚାରୋଟି ସାହିରେ ରୁହନ୍ତି ତିନି ଶହରୁ ଅଧିକ ପରିବାର। ଏମାନେ ସମସ୍ତେ ପାଣି ଟୋପାଏ ପାଇଁ ନିର୍ଭର କରନ୍ତି ଗାଁରେ ଥିବା ଏକମାତ୍ର ନଳକୂପ ଉପରେ। ଫଳରେ ପାଣି ଟୋପାଏ ପାଇଁ ସକାଳୁ ସକାଳୁ ଏହି ନଳକୂପ ମୂଳେ ଗାଁର ସ୍ତ୍ରୀ ଲୋକଙ୍କର ଲାଗେ ପ୍ରବଳ ଭିଡ । ଏପରିକି ପାଣି ଟୋପାଏ ପାଇଁ ଏଠାରେ ତାଙ୍କ ତାଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଝାଟି ମଧ୍ୟ ହୁଏ।

ଏହି ଗାଁର ଲୋକେ ଗାଁରେ ଥିବା ପୋଖରୀ ରେ ଗାଧୁଆ ପାଧୁଆ, ବାସନ ମଜା ଓ ଲୁଗା ସଫା କରୁଥିବାବେଳେ ଏହି ନଳକୂପ ପାଣିକୁ ପିଇବା ସହ ରୋଷେଇ ବାସ କରିବାରେ ବ୍ୟବହାର କରନ୍ତି। ଆଉ ଏହି ପାଣି ସଂଗ୍ରହ କରିବା ପାଇଁ ତାଙ୍କୁ ପ୍ରତିଦିନ ଦୁଇ ରୁ ତିନି କିଲୋମିଟର ବାଟ ପ୍ରଚଣ୍ଡ ଖରାରେ ଚାଲି ଚାଲି ଆସିବାକୁ ପଡିଥାଏ। କେନ୍ଦୁଝର ଜିଲ୍ଲାରେ ମାଟି ତଳେ ରତ୍ନର ଭଣ୍ଡାର ଓ ମାଟି ଉପରେ କଳ କାରଖାନାର ସମ୍ଭାର। କେନ୍ଦ୍ର ଓ ରାଜ୍ୟ ସରକାର ନାରା ଦେଲେ ଖଣି ଚାଲିଲେ ଓ କଳକାରଖାନା ସ୍ଥାପନ ହେଲେ ସ୍ଥାନୀୟ ଅଞ୍ଚଳର ଲୋକଙ୍କର ଉନ୍ନତି ହେବ ଆଉ ଏହି କଥା କୁ ବିଶ୍ୱାସ କରି କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତର ମରସୁଆ ଗାଁ ଲୋକେ ତାଙ୍କ ଗାଁରେ ବ୍ରାଣ୍ଡ ଆଲଏଜ ଲିଃ ନାମକ ଏକ ସ୍ପଞ୍ଜ କାରଖାନା ସ୍ଥାପନ ପାଇଁ ଶାଗମାଛ ଦରରେ ନିଜର ଚାଷ ଜମିକୁ ଟେକି ଦେଲେ।କାରଖାନା ସ୍ଥାପନ ହେଲା କାର୍ଯ୍ୟକ୍ଷମ ମଧ୍ୟ ହେଲା ଓ କାରଖାନା ମାଲିକ କୋଟି କୋଟି ଟଙ୍କା ଲାଭ ମଧ୍ୟ କଲେ।

ହେଲେ କାରଖାନା ମାଲିକ ପାରିପାର୍ଶ୍ବିକ ବାକାଶ କଥା ଭୁଲି ଗଲେ। ଧର୍ମ କୁ ଆଖିଠାର ମାରିବା ଭଳି ଗାଁର ଖେଳ ପଡିଆ ନିକଟରେ ଏକ ବୋରୱଲ ଖନନ କରି ଓଭର ହେଡ ଟ୍ୟାଙ୍କ ବସାଇ ପାଇପ ମାଧ୍ୟମରେ ଗାଁ ଲୋକଙ୍କୁ ପାଣି ଯୋଗାଇ ଦେବାର ବ୍ୟବସ୍ଥା କଲେ। ହେଲେ କରେଣ୍ଟ ସଂଯୋଗ କଲେ ନାହିଁ। ଫଳରେ ଗାଁର ଜଣେ ବ୍ୟକ୍ତି ନିଜ ଘରୁ କରେଣ୍ଟ ଦେଇ ଗାଁ ଲୋକଙ୍କୁ ପାଣି ଯୋଗାଇବାର ବ୍ୟବସ୍ଥା କଲେ। ହେଲେ ମାତ୍ର ୧୦ ଦିନ ପରେ ବିଦ୍ୟୁତ ତାର ପୋଡି ଯିବାରୁ ସେହି ଦିନରୁ ଆଜକୁ ୧୦ ବର୍ଷ ଧରି ଜଳଯୋଗାଣ ବନ୍ଦ ରହିଛି।

ଗାଁ ଲୋକେ କାରଖାନା ମାଲିକଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଅନେକ ଅଧିକାରୀଙ୍କୁ ଗୁହାରି କରି କରି ସୁଦ୍ଧା କେହି ଶୁଣୁନାହାନ୍ତି । ଫଳରେ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। ଏନେଇ ଆମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ସେ ତୁରନ୍ତ ଗ୍ରାମୀଣ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀଙ୍କ କଥା ହେବା ସହ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.