ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟି ଉତ୍ତର ରଖିଛନ୍ତି ଗଛର ମୂଲ୍ୟ କ’ଣ ହୋଇପାରେ । ଗଛର ମୂଲ୍ୟ ସ୍ଥିର କରିବାକୁ ସୁପ୍ରିମକୋର୍ଟ ଗଠନ କରିଥିଲେ ଏକ କମିଟି । ପ୍ରଧାନ ବିଚାରପତି ଏସ.ଏ ବୋବଡେଙ୍କ ଅଧ୍ୟକ୍ଷତାରେ ପରିବେଶବିତମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା । ଏହି ହାଇଲେବଲ୍ କମିଟିରେ ସହମ ପାଣ୍ଡିଆ, ବିକେ ମାଜି, ନିରଞ୍ଜନ ମିତ୍ର, ଏନ୍କେ ମୁଖାର୍ଜି, ସୁନିତା ନାରାୟଣ ପ୍ରମୁଖ ସଦସ୍ୟ ଥିଲେ । କମିଟି ସ୍ଥିତି ଅନୁଧ୍ୟାନ କରି ସୁପ୍ରିମ୍ କୋର୍ଟଙ୍କୁ ଦେଇଥିଲା ରିପୋର୍ଟ । ଗୋଟିଏ ଗଛର ମୂଲ୍ୟ ବର୍ଷକୁ ୭୪ ହଜାର ୫ଶହ ଟଙ୍କା ହୋଇପାରେ । ଏଥୋରେ କାଠ, ଅମ୍ଳଜାନ, ଉର୍ବରତା ଆଦିର ହିସାବ ରହିଛି । ପ୍ରତି ବର୍ଷ ଏହାର ମୂଲ୍ୟ ମଧ୍ୟ ବଢି ଥାଏ । ମାନେ ୭୪ ହଜାର ୫୦୦ ଗୁଣନ ଗଛର ବର୍ଷ ।
ଏବେ ଆସିବା ମୁଖ୍ୟ ପ୍ରସଙ୍ଗକୁ । କେନ୍ଦ୍ର ସରକାରଙ୍କ ସେତୁ ଭାରତମାଳା ଅଧିନରେ ଜାତୀୟରାଜପଥକୁ ରେଳ କ୍ରସିଂରୁ ମୁକ୍ତ କରାଯିବ । ଏହି ଯୋଜନା ଅଧିନରେ ଦେଶର ୧୯ଟି ରାଜ୍ୟରେ ୨୦ ହଜାର ୮ଶହ କୋଟି ଟଙ୍କା ବ୍ୟୟରେ ୨୦୮ଟି ରେଳ ଓଭରବ୍ରିଜ ନିର୍ମାଣ କରାଯିବ । ଏହି ପ୍ରକଳ୍ପ ଅଧିନରେ ପଶ୍ଚିମବଙ୍ଗରେ ୨୨୯୪ କୋଟି ଟଙ୍କାରେ ୨୨ଟି ରେଳ ଓଭରବ୍ରିଜ ନିର୍ମାଣ ହେବ ।
ପଶ୍ଚିମବଙ୍ଗ ସରକାର ପ୍ରଥମେ ୫ଟି ରେଳ ଓଭରବ୍ରିଜ ନିର୍ମାଣ ପାଇଁ ୩୫୬ଟି ଗଛ କାଟିବାକୁ ଯାଉଥିଲେ । ୧୧୨ ନମ୍ବର ଜାତୀୟ ରାଜପଥରେ ଏହି ଓଭରବ୍ରିଜ ନିର୍ମାଣ ହେବ । ୫୯ କିଲୋମିଟର ରାସ୍ତା ମଧ୍ୟରେ ୫ଶହ କୋଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟ କରାଯାଉଥିଲା । ଗଛକାଟି ଓଭରବ୍ରିଜ ନିର୍ମାଣ ନିଷ୍ପତିକୁ ଜଣେ ସମାଜସେବୀ ବିରୋଧ କରିଥିଲେ । ସେ ସୁପ୍ରିମ କୋର୍ଟରେ ଆଗତ କରିଥିଲେ ଏକ ଜନସ୍ୱାର୍ଥ ମାମଲା ।
ସୁପ୍ରିମକୋର୍ଟ ଏହି ମାମଲାକୁ ଅତି ଗୁରୁତର ସହ ଗ୍ରହଣ କଲେ । କମିଟି ଗଠନ ମଧ୍ୟ କରିଥିଲେ । କମିଟି ରିପୋର୍ଟରେ ଦର୍ଶାଇଥିଲା ଯେ, ରାଜ୍ୟ ସରକାର ୫୦ଟି ଗଛ କାଟିଛନ୍ତି । ୩୦୬ଟି ଗଛ କାଟିବାକୁ ବାକି ଅଛି । ଗଛଗୁଡ଼ିକ ବହୁ ଦିନର । ଯାହାର ମୂଲ୍ୟ ୨୨୦ ନିୟୁତ ଟଙ୍କା ହୋଇପାରେ । ଗଛ ଗୁଡ଼ିକର ବୟସ ୧୦୦ ବର୍ଷରୁ ଉଦ୍ଧ୍ୱର୍ ହୋଇଥିୁବାରୁ ସେହି ଆଧାରରେ ମୂଲ୍ୟ ସ୍ଥିର କରାଯାଇଛି । କମିଟି ସରଳ ଭାଷାରେ କହିଛନ୍ତି ଯେ, ଗୋଟିଏ ଗଛର ବାର୍ଷିକ ମୂଲ୍ୟ ୭୪ ହଜାର ୫୦୦ ଟଙ୍କା ହେଲେ, ଗଛଟି ୧୦୦ ବର୍ଷ ବଞ୍ଚିଥିବାରୁ ମୂଲ୍ୟକୁ ଏକଶହରେ ଗୁଣନ କଲେ ଯେତେ ଟଙ୍କା ହେବ ରାଜ୍ୟ ସରକାରଙ୍କୁ ଦେବାକୁ ପଡ଼ିବ ।
ଗଛର ମୂଲ୍ୟ କେବଳ କାଠ ଆଧାରରେ ନିର୍ଣ୍ଣୟ କରାଯାଇ ପାରିବ ନାହିଁ । ଗଛ ଦେଉଥିବା ଅମ୍ଳଜାନ, ସାର, ସୁବିଧା ଓ ବୟସ ଆଧାରରେ ନିର୍ଣ୍ଣୟ କରାଯିବ ବୋଲି କମିଟି ରିପୋର୍ଟର ଉଲ୍ଲେଖ କରିଛି । ଯଦି ଗଛର ବାର୍ଷିକ ମୂଲ୍ୟ ୭୪.୫ ହଜାର ଟଙ୍କା ତାହେଲେ ଏଥିରେ ଥିବା ଅମ୍ଳଜାନର ମୂଲ୍ୟ ୪୫ ହଜାର । ସାରର ମୂଲ୍ୟ ୨୦ ହଜାର ଏବଂ ଅବଶିଷ୍ଟ କାଠର ମୂଲ୍ୟ । କମିଟିର ରିପୋର୍ଟ ଉପରେ ପ୍ରଧାନ ବିଚାରପତି ବବଡେ ଓ ଜଷ୍ଟିସ ଏସ୍ ବପାନ୍ନା, ଜଷ୍ଟିସ ଭି ରାମ ଶୁଭ୍ରମନ୍ୟମ୍ କହିଛନ୍ତି ଯଦି ସୁପ୍ରିମକୋର୍ଟ କମିଟିର ରିପୋର୍ଟ ଗ୍ରହଣ କରନ୍ତି ତେବେ ପଶ୍ଚିମବଙ୍ଗ ସରକାର ଦେବାଳିଆ ହୋଇଯିବେ । ମୂଲ୍ୟାଙ୍କନକୁ ଅଧିକ ଯୁକ୍ତିଯୁକ୍ତ କରିବାର ଆବଶ୍ୟକତା ଅଛି । ପରେ ପ୍ରକଳ୍ପର ମୂଲ୍ୟ ସହିତ ବୃକ୍ଷର ପରିମାଣ ମିଶାଯାଇ ପାରିବ ।