Before Header

ଦୁଇ ଦିନ ହେଲାଣି ସ୍କୁଲରେ ଝୁଲୁଛି ତାଲା, ଗଛ ମୂଳରେ ଚାଲିଛି ପାଠପଢା

0 21

ରାଇଘର(ବଡ଼ ଖବର ବ୍ୟୁରୋ); ଦୁଇ ଦିନ ଧରି ବିଦ୍ୟାଳୟରେ ଝୁଲୁଛି ତାଲା , ଶିକ୍ଷକ ଅଭାବ ଯୋଗୁଁ ଗ୍ରାମବାସୀଙ୍କ ପ୍ରତିବାଦ । ଗଛ ତଳେ ଅତି ଦୟନୀୟ ଭାବେ ଚାଲିଛି ଶିକ୍ଷାଦାନ । ଶିକ୍ଷା ବିଭାଗର ଏଥିପ୍ରତି ନିଘା ନାହିଁ ଯାହାଫଳରେ ଅନ୍ଧାର ରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସରାଗୁଡା ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରଏ ବିକଳ ଚିତ୍ର । ୧୫୮ ପିଲାଙ୍କ ପାଇଁ କେବଳ ଅଛନ୍ତି ୨ ଶିକ୍ଷକ । ବାରମ୍ବାର ଶିକ୍ଷକ ନିଯୁକ୍ତି ଦାବି କରିବା ସହ ଶ୍ରେଣୀ ଗୃହ ଅଭାବ ଯୋଗୁଁ ନୂତନ ଶ୍ରେଣୀ ଗୃହ ପାଇଁ ଦାବି କରିଆସୁଥିଲେ ଗ୍ରାମବାସୀ । ଶେଷରେ ବାଧ୍ୟ ହୋଇ ସେମାନଙ୍କ ପ୍ରତିବାଦ ଜଣାଇ ସ୍କୁଲରେ ତାଲା ଠୁଙ୍କିଲେ ଗ୍ରାମବାସୀ । ତେଣୁ ପିଲାମାନେ ବାଧ୍ୟ ହୋଇ ଗଛମୂଳେ ପଢୁଛନ୍ତି ପାଠ । ଗତ ଦୁଇ ଦିନ ଧରି ଏ ଅବସ୍ଥା ଲାଗିରହିଥିଲେ ମଧ୍ୟ ନା ଶିକ୍ଷାବିଭାଗ ଏହାର ସମାଧାନ କରିପାରୁଛି ନା ଜନ ପ୍ରତିନିଧି ।

ସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ୟ୍ୟନ୍ତ ୧୫୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ଶିକ୍ଷକ କେବଳ ଅଛନ୍ତି ୨ ଜଣ । ପ୍ରଧାନ ଶିକ୍ଷକ ଅଧିକାଂଶ ସମୟ ରେ ଅଫିସ୍ କାମରେ ବିଇଓ କାର୍ୟ୍ୟାଳୟ କୁ ଯାଉଛନ୍ତି ତେଣୁ କେବଳ ଜଣେ ଶିକ୍ଷକ ହିଁ ପିଲାମାନଙ୍କୁ ପ୍ରାୟ ସମୟରେ ପାଠ ପଢ଼ାଉଛନ୍ତି । ପୂର୍ବରୁ ୪ ଜଣ ଶିକ୍ଷକ ଥିଲେ , ପ୍ରଧାନଶିକ୍ଷକ ଙ୍କ ଅବସର ପରେ ମାତ୍ର ୩ ଜଣ ଶିକ୍ଷକ ଶିକ୍ଷାଦାନ ଦେଇଆସୁଥିଲେ । କିଛିଦିନ ତଳେ ୩ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣଙ୍କର ବଦଳି ହୋଇଥିଲା । ଉକ୍ତ ଶିକ୍ଷକଙ୍କ ବଦଳି ପରେ ନୂତନ ଶିକ୍ଷକ ଆସିବେ ବୋଲି ଗାଁ ଲୋକ ଆଶା ବାନ୍ଧି ବସିଥିଲେ । ଗାଁ ଲୋକ ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ବ୍ଲକ ଶିକ୍ଷା ଅଧିକାରୀ ଓ ଡାବୁଗାଁ ବିଧାୟକଙ୍କ ପାଖରେ ଲିଖିତ ଅଭିଯୋଗ ମଧ୍ୟ ଜଣାଇଥିଲେ । ଏହାସହ ଶ୍ରେଣୀ ଗୃହ କମ୍ ରହିଥିବାରୁ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ମଧ୍ୟ ଗ୍ରାମାବସି ମାନେ ଗୁହାରି ଜଣାଇଥିଲେ ଶିକ୍ଷା ବିଭାଗ ନିକଟରେ ।

ଦୀର୍ଘ ୨ ମାସ ପରେ ସମସ୍ୟାର ସମାଧାନ ନହେବାରୁ ବାଧ୍ୟ ହୋଇ ବିଦ୍ୟାଳୟ ରେ ତାଲା ଠୁଙ୍କିଲେ ଗ୍ରାମବାସୀ । ଏଣୁ ଦୁଇ ଦିନ ହେଲା ପିଲାମାନେ ସ୍କୁଲ ସମ୍ମୁଖରେ ଏକ ଗଛମୂଳେ ବସି ପାଠ ପଢୁଛନ୍ତି । ଶିକ୍ଷକ ନିଯୁକ୍ତି ନହେବା ପର୍ୟ୍ୟନ୍ତ ସ୍କୁଲରୁ ତାଲା ଖୋଲିବୁ ନାହିଁ ବୋଲି ଜିଦରେ ଅଟଳ ଅଛନ୍ତି ଗ୍ରାମବାସୀ ।ଅନ୍ୟପଟେ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି , ଶିକ୍ଷକ ନିଯୁକ୍ତି ଆମ ହାତରେ ନୁହଁ , ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି ଏହାର ସମାଧାନ କରାଯିବ , ଏବଂ ନୂତନ ଶ୍ରେଣୀ ଗୃହ ପାଇଁ ବିଡ଼ିଓ ଙ୍କ ସହ ଯୋଗାଯୋଗ କରି ଶୀଘ୍ର ନୂତନ ଗୃହ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ତେବେ ପ୍ରଶାସନ କେବେ ସମସ୍ୟାର ସମାଧାନ କରିବ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.