Before Header

ଆଜି ବି ଆଖି ଆଗରେ ନାଚି ଯାଉଛି ସେହି ଲୋମଟାଙ୍କୁରା ଦୃଶ୍ୟ

0 74

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ):  ବାହାନଗା ଟ୍ରେନ ଟ୍ରାଜେଡି । ଚାହୁଁ ଚାହୁଁ ପୂରିଲା ମାସେ । ଠିକ୍ ଆଜିର ଦିନରେ ଆସିଥିଲା କାଳରାତି । ଜୁନ ୨ , ଶୁକ୍ରବାର । ସମୟ ପାଖାପାଖି ୭ଟା । ଡ଼ାଉନ ଲାଇନରେ ଆସୁଥିଲା ବାଙ୍ଗାଲୁରୁରୁ ହାୱାଡ଼ା ଯାଉଥିବା ଯଶୋବନ୍ତପୁର ହାୱଡ଼ା ସୁପରଫାଷ୍ଟ ଏକପ୍ରେସ । ଠିକ ଏହି ସମୟରେ ଅପ ଲାଇନରେ ଆସୁଥିଲା ଶାଲିମାର ହାୱଡ଼ା-ଚେନ୍ନାଇ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ । ସବୁ ଠିକ୍ ଥିଲା । ଟ୍ରାକ ଚେଞ୍ଜ ପାଇଁ ଟ୍ରାକମ୍ୟାନକୁ କଲ ଆସିଥିଲା । ଏକ ନମ୍ବର ଲାଇନରେ ଠିଆ ହୋଇଥିଲା ମାଲ ଗାଡ଼ି । ଯେଉଁ ଟ୍ରାକରେ ଆସୁଥିଲା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ । ଟ୍ରେନର ବେଗ ପାଖାପାଖି ୮୦ସ୍ପିଡରେ ଥିଲା । ଯାତ୍ରୀମାନଙ୍କ ମଧ୍ୟରୁ କିଏ ଶୋଇଥିଲେ, କିଏ ମୋବାଇଲ୍ ଦେଖୁଥିଲେ।

ଆଉ କିଏ ଘର ଲୋକଙ୍କ ସହ କଥା ହେଉଥିଲେ। କିଏ ଖାଉଥିଲେ ତ କିଏ ଚା ପିଉଥିଲେ। ବାଲେଶ୍ବର ଜିଲ୍ଲା ବାହାନଗା ରେଳଷ୍ଟେସନ୍ ନିକଟ ପଣପଣାଠାରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହେଲା। ଟେନ୍ର ବଗିଗୁଡ଼ିକ ସତେଯେମିତି ପବନରେ ଉଡ଼ିବାକୁ ଲାଗିଲା। ଯାତ୍ରୀମାନେ କିଏ କେଉଁଆଡ଼େ ଛିଟିକି ପଡ଼ିଲେ, କିଛି ଠିକଣା ନଥିଲା। ଯେଉଁମାନେ ସଚେତନ ଥିଲେ, ସେମାନେ ଜାଣିଲେ ଯେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଭୟ ଟ୍ରେନ୍ ମଧ୍ୟରେ ହୋଇଥିଲା ଶକ୍ତ ଧକ୍କା। ଏହିସମୟରେ ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ୫ କିଲୋମିଟର ଦୂରକୁ ଶୁଭିଥିଲା। ସ୍ଥାନୀୟ ଲୋକ କେହି କିଛି ବୁଝିପାରି ନଥିଲେ। ହେଲେ, କେଇ ମିନିଟ୍ ପରେ ଘଟଣା ବିଷୟରେ ଜଣାପଡ଼ିଥିଲା। କେହି କିଛି ଭାବିବା ପୂର୍ବରୁ ଆଖି ପିଛୁଳାକେ କରମଣ୍ଡଳ ଟ୍ରାକରୁ ଖସିଯାଇ ମାଲଗାଡ଼ିକୁ ଧକ୍କା ଦେଇଥିଲା । କରମଣ୍ଡଳର ଦୁଇଟି ବଗି ଲାଇନଚ୍ୟୁତ ହୋଇ ଅଲଗା ଟ୍ରାକରେ ପଡ଼ିଥିଲା । ସେହି ଟ୍ରାକରେ ଆସୁଥିଲା ଯଶୋବନ୍ତପୁର ହାୱଡ଼ା ସୁପରଫାଷ୍ଟ ଏକପ୍ରେସ ।

ଲାଇନଚ୍ୟୁତ ହୋଇଥିବା କରମଣ୍ଡଳର ଦୁଇଟି ବଗିକୁ ପୁଣି ଧକ୍କା ଦେଇଥିଲା । ଦୁଇଟି ଟ୍ରେନ ମଧ୍ୟରେ ଧକ୍କା ହେବା ପରେ ସବୁଠୁ ବେଶୀ କ୍ଷତିଗସ୍ତ ହୋଇଥିଲା କରମଣ୍ଡଳ । ଇଞ୍ଜିନ ସହିତ ଜେନେରାଲ ଓ ଏସି ବଗି ଓଲଟି ପଡ଼ିଯାଇଥିଲା । ଖାଲି ସେତିକି ନୁହେଁ ବଗି ଉପରେ ବଗି ଚଢି ଯାଇଥିଲା । ବଗିରେ ଥିବା ଲୋକଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଥିଲା । କାହାର ହାତ ଗୋଡ଼ ଛିଡ଼ି ଯାଇଥିଲା ତ କହାର ମୁଣ୍ଡ ଛିଡ଼ି ପଡ଼ିଥିଲା । ଘଟଣାସ୍ଥଳରେ ଅନେକ ଲୋକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାର ଚିତ୍ର ଅତ୍ୟନ୍ତ ଭୟଙ୍କର ଥିଲା । ଅନ୍ଧାର ଯୋଗୁଁ କିଛି ଦିଶୁ ନଥିଲା ।

ଉଦ୍ଧାର କାର୍ଯ୍ୟ ଠିକ ରେ ହୋଇପାରୁ ନଥିଲା ।ପ୍ରାୟ ଦେଢ ଘଂଟା ପରେ ସ୍ଥାନୀୟ ପ୍ରଶାସନ ଅଧିକାରୀ ଓ ଉଦ୍ଧାରକାରୀ ଦଳଙ୍କ ଭିଡ଼ ଜମି ଥିଲା । ପ୍ରଶାସନ ଓ ବାହାନଗା ରେଳଷ୍ଟେସନ ପକ୍ଷରୁ ଲାଇଟର ବ୍ୟବସ୍ଥା କରାଯାଇଥିଲା । ଲାଇଟ ଆସିବା ପରେ ସେଠାର ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା । ଯାହା ଦେଖିଲା ପରେ ସମସ୍ତେ ହତବାକ ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ନିଜ ଉଦ୍ୟମରେ ଆହାତଙ୍କୁ ଉଦ୍ଧାର କରିବାକୁ ଅପ୍ରାଣ ଉଦ୍ୟମ କରିଥିଲେ । ଶତାଧିକ ମୃତାହତଙ୍କୁ ଓଲଟିଥିବା ବଗି ଭିତରୁ, ତଳୁ ଏବଂ ଆଖପାଖରୁ ଉଦ୍ଧାର କରାଯାଇଥିବା ବେଳେ ରାତିତମାମ ଏହି କାର୍ଯ୍ୟ ଜାରି ରହିଥିଲା। ବାହାନଗାରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ଜାତୀୟ ରାଜପଥ ଦେଇ ରାତିସାରା ଶତାଧିକ ଆମ୍ବୁଲାନ୍ସର ସୁଅ ଛୁଟୁଥିବା ଦେଖାଯାଇଥିଲା। ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇବା ଲାଗି ଗୋଟିଏ ଗୋଟିଏ ଆମ୍ବୁଲାନ୍ସରେ ୩/୪ ଜଣ ଆହତମାନଙ୍କୁ ମଧ୍ୟ ଅଣାଯାଇଥିଲା।

ଦୁର୍ଘଟଣା ପରେ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ବାହାନଗା ଓ ସୋର ଡାକ୍ତରଖାନା ସହ ବାଲେଶ୍ବର ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ବାଲେଶ୍ବର ଡାକ୍ତରଖାନାରେ ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ତେବେ, ଦୁର୍ଘଟଣା ଯୋଗୁ ଗୁରୁତର ଯାତ୍ରୀଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଫଳରେ, ସେମାନଙ୍କ ପାଇଁ ରକ୍ତର ଆବଶ୍ୟକ ହୋଇଥିଲା। ବାଲେଶ୍ବର ରକ୍ତଭଣ୍ଡାରରେ ଯାହା ରକ୍ତ ଗଚ୍ଛିତ ଥିଲା, ସେଗୁଡ଼ିକ ସରିଯାଇଥିଲା। ଏପରିସମୟରେ ଅନେକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ରକ୍ତଦେବା ସହ ଜନସାଧାରଣଙ୍କୁ ରକ୍ତଦାନ କରିବା ପାଇଁ ସୋସିଆଲ୍ ମିଡିଆରେ ଆହ୍ବାନ ଦେଇଥିଲେ। ଫଳରେ, ମାତ୍ର କେଇ ମିନିଟ୍ ମଧ୍ୟରେ ଶତାଧିକ ଲୋକ ରକ୍ତ ଦେବାପାଇଁ ଡାକ୍ତରଖାନରେ ପହଞ୍ଚିଯାଇଥିଲେ। ଆଉ ଏହି ଲୋମଟାଙ୍କୁରା ଦୁର୍ଘଟଣାରେ ଏବେ ସୁଦ୍ଧା ୨୯୩ ଜଣଙ୍କ ଜୀବନ ଯାଇଥିବା ବେଳେ କେତେକ ଗୁରୁତର ଯାତ୍ରୀ ଚିକିତ୍ସିତ ହେଉଛନ୍ତି।

ମାସେ ପରେ ମଧ୍ୟ ମାମଲା ଉପରୁ ପରଦା ଉଠାଇ ପାରିନାହିଁ ସିବିଆଇ। କେବଳ ଘଟଣାସ୍ଥଳ ଯାଞ୍ଚ, ସାମଗ୍ରୀ ଜବତ, ରେଳ ଅଧିକାରୀଙ୍କୁ ପଚରାଉଚରାରେ ତଦନ୍ତ ସୀମିତ ହୋଇରହିଛି। ଯେଉଁଭଳି ଆରମ୍ଭରୁ ତତ୍ପରତା ଦେଖାଗଲା ସିବିଆଇ ତଦନ୍ତକାରୀ ଦଳ ସେଭଳି କିଛି ପର୍ଦ୍ଦାଫାସ୍ କରି ନ ପାରିବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। କାହିଁକି ଏହି ରହସ୍ୟ ଉପରୁ ପରଦା ହଟିପାରିନାହିଁ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସିଗନାଲ୍ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା ଆରମ୍ଭରୁ କୁହାଯାଉଥିବା ବେଳେ ଏହାର କାରଣ ଖୋଜିବା ସମ୍ପୂର୍ଣ୍ଣ ଭାବେ ବୈଷୟିକ ବିଶେଷଜ୍ଞଙ୍କ ଉପରେ ନିର୍ଭର କରୁଛି।

Leave A Reply

Your email address will not be published.