Before Header

ଜନ୍ମଦିନରେ ଜାଣନ୍ତୁ କିଙ୍ଗ୍ କୋହଲିଙ୍କ କ୍ୟାରିୟର

0 17

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଆଜି ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ଆଧୁନିକ ଯୁଗର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଜନ୍ମଦିନ । ସେ ଆଜି ତାଙ୍କର ୩୨ତମ ଜନ୍ମଦିନ ପାଳନ କରୁଛନ୍ତି । ବିରାଟ ୫ ନଭେମ୍ବର ୧୯୮୮ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । କୋହଲି ମାତ୍ର ୧୯ ବର୍ଷ ବୟସରେ ଡମ୍ବୁଲ୍ଲାରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ଏହା ପରଠାରୁ ସେ ଭାରତୀୟ କ୍ରିକେଟ ଦଳରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରହିଛନ୍ତି । ସେ ଆଧୁନିକ କ୍ରିକେଟରେ ନିଜର ପତିଆରା ବିସ୍ତାର କରିଛନ୍ତି । ସେ ବହୁ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ସେ ହେଉଛନ୍ତି ସବୁଠୁ ଦ୍ରୁତଗାମୀ ବ୍ୟାଟ୍ସମ୍ୟାନ ଯିଏକି ୧୦ହଜାର ରନ କମ୍ ମ୍ୟାଚରେ ହାସଲ କରିଛନ୍ତି । ସେ ଏହି ରେକର୍ଡ ୨୦୫ଟି ଇନିଂସରେ ପୂରଣ କରିଛନ୍ତି । ସେ ଏକମାତ୍ର କ୍ୟାପଟେନ୍ ଯିଏ ଗୋଟିଏ ବର୍ଷରେ ଦିନିକିଆରେ ସର୍ବାଧିକ ରନ(୧୪୬୦) ହାସଲ କରିଛନ୍ତି । କୋହଲି ହେଉଛନ୍ତି ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏ ସମସ୍ତ ଫର୍ମାଟରେ ଆଭେରେଜ ୫୦ରେ ୨୦ହଜାର ରନ ସଂଗ୍ରହ କରିଛନ୍ତି । ସେ ଆର୍ନ୍ତଜାତୀୟ କ୍ରିକେଟରେ ୭୦ଟି ଶତକ ହାସଲ କରିଛନ୍ତି ।
ଛୋଟ ବୟସରୁ କ୍ରିକେଟ ପ୍ରତି ରୁଚି ରଖିଥିବା ବିରାଟ ୨୦୦୬ରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଅଣ୍ଡର-୧୯ ଦଳରେ ସ୍ଥାନ ପାଇଥିଲେ । ଅଣ୍ଡର-୧୯ରେ ଦମଦାର ପ୍ରଦର୍ଶନ କରିବା ପରେ ସେ ସେହି ବର୍ଷ ଦିଲ୍ଲୀ ପକ୍ଷରୁ ନିଜର ଘରୋଇ କ୍ରିକେଟ ଆରମ୍ଭ କରିଥିଲେ । ୨୦୦୮ ମସିହାରେ ଅନୁଷ୍ଠିତ ମାଲେସିଆରେ ଅନୁଷ୍ଠିତ ହୋଇଥିବା ଅଣ୍ଡର-୧୯ କ୍ରିକେଟ ବିଶ୍ୱକପରେ ସେ ଭାରତର ନେତୃତ୍ୱ ନେଇଥିଲେ ଓ ଭାରତକୁ ଅଣ୍ଡର-୧୯ ବିଶ୍ୱକପ ଟ୍ରଫି ମଧ୍ୟ ଭେଟି ଦେଇଥିଲେ ।

https://twitter.com/RCBTweets/status/1324061746416373765?s=20

ଅଣ୍ଡର-୧୯ କ୍ରିକେଟରେ ଦମଦାର ପ୍ରଦର୍ଶନ ପରେ ୨୦୦୮ ଆଇପିଏଲରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ସାମିଲ ହୋଇଥିଲେ । ବିରାଟ ୨୦୦୮ ମସିହା ଅଗଷ୍ଟରେ ଭାରତୀୟ ଦିନିକିଆ ଦଳରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ । ସେ ୨୦୧୦ମସିହା ଜୁନ ୧୦ରେ ଜିମ୍ବାୱେ ବିପକ୍ଷରେ ଟି-୨୦ରେ ଡେବ୍ୟୁ କରିଥିଲେ । କୋହଲିଙ୍କ ଚମତ୍କାର ପ୍ରଦର୍ଶନ ଫଳରେ ସେ ୨୦୧୧ ବିଶ୍ୱକପ ବିଜୟୀ ଦଳରେ ସାମିଲ ହୋଇଥିଲେ । ସେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ବିଶ୍ୱକପ ଡେବ୍ୟୁ ମ୍ୟାଚରେ ଶତକ ହାସଲ କରିଥିଲେ । ୨୦୧୧ ଜୁନରେ ଭାରତୀୟ ଟେଷ୍ଟ ଦଳରେ ୱେଷ୍ଟ ଇଣ୍ଡିଜ୍ ବିପକ୍ଷରେ ଡେବ୍ୟୁ କରିଥିଲେ । ୨୦୧୫ରେ ଅନୁଷ୍ଠିତ ବିଶ୍ୱକପରେ ସେ ଉପଅଧିନାୟକର ଦାୟିତ୍ୱ ତୁଲାଇଥିଲେ ଏବଂ ଦଳ ପାଇଁ ଦମଦାର ପ୍ରଦର୍ଶନ କରିଥିଲେ । ସେ ୨୦୧୪ରୁ ଭାରତୀୟ ଟେଷ୍ଟ ଦଳର ଏବଂ ୨୦୧୭ରୁ ଲିମିଟେଡ୍ ଓଭର କ୍ରିକେଟରେ ଅଧିନାୟକ ଭାର ତୁଲାଉଛନ୍ତି । ସେ ତାଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ୮୬ଟି ଟେଷ୍ଟ ଖେଳି ୨୭ଟି ଶତକ ବଳରେ ୭୨୪୦ ରନ ସଂଗ୍ରହ କରିଛନ୍ତି । ସେହିପରି ଭାବରେ ଦିନିକିଆ କ୍ରିକେଟରେ ୨୪୮ଟି ମ୍ୟାଚ ଖେଳି ୪୩ ଶତକ ସହ ୧୧ ହଜାର ୮୬୭ ରନ ସଂଗ୍ରହ କରିଛନ୍ତି । ଟି-୨୦ କ୍ରିକେଟରେ ମଧ୍ୟ ସେ ଦମଦାର ପ୍ରଦର୍ଶନ କରିଛନ୍ତି । ସେ ୮୨ଟି ମ୍ୟାଚ ଖେଳି ୨ହଜାର୭୯୪ ରନ ସଂଗ୍ରହ କରିଛନ୍ତି ।

ଆଜି ତାଙ୍କ ଜନ୍ମଦିନ ଅବସରରେ ବିସିସିଆଇ ସମେତ ବହୁ ଜାତୀୟ ଓ ଆର୍ନ୍ତଜାତୀୟ କ୍ରିକେଟର ଓ ତାଙ୍କ ପ୍ରସଂଶକମାନ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.