ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ୯ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିପାରେ। ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ। ୧୦ ଓ ୧୧ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ୧୦ରୁ ବର୍ଷା ବଢ଼ିବ। ପାଣିପାଗ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି।୯ ତାରିଖରେ ବାଲେଶ୍ଵର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ଅଛି। ୧୦ ତାରିଖରେ ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ। ୧୧ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୦ ତାରିଖ ବେଳକୁ ଘୂର୍ଣ୍ଣିବଳୟ ହୋଇପାରେ। ୧୩ ତାରିଖରେ ଏହା ଲଘୁଚାପ ରୂପ ନେବ।
ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେଇପାରେ। ଶୁକ୍ରବାର ବାରିପଦାରେ ୧୭ ମିମି ବର୍ଷା ରେକର୍ଡ ହୋଇଛି। ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ସର୍ବାଧିକ ୩୭ ଡିଗ୍ରୀ ଛୁଇଁଥିଲା। ପୁରୀରେ ୩୫.୭, ଚାନ୍ଦବାଲି, ଢେଙ୍କାନାଳ ଓ ଭୁବନେଶ୍ୱରରେ ୩୫.୬ ଡିଗ୍ରୀ, କଟକରେ ୩୫.୪, ଗୋପାଳପୁରରେ ୩୫.୨, ନୟାଗଡ଼ ଓ ଭଦ୍ରକରେ ୩୫ ଡିଗ୍ରୀ, ଅନୁଗୋଳରେ ୩୪.୭ ଡିଗ୍ରୀ ରେକର୍ଡ ହୋଇଥିଲା। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୨-୩୩ ଡିଗ୍ରୀ ଉପରେ ଥିଲା। ଅଧିକାଂଶ ସ୍ଥାନରେ ବାୟୁଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁ ଖରାଦିନ ଭଳି ଗରମ ଅନୁଭୂତ ହୋଇଥିଲା।
