Masthead

ନିର୍ବାଚନ ହେଉନଥିବା ଅଞ୍ଚଳରେ ବିକାଶ କରିବ କିଏ ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପିପିଲି ଉପନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭକ୍ତଶ୍ରେଷ୍ଠ ଦାସିଆ ବାହୁରୀଙ୍କୁ ମନେ ପକାଇଛନ୍ତି । ଗାନ୍ଧିଜୀଙ୍କୁ ମଧ୍ୟ ମନେ ପକାଇଛନ୍ତି । ନିର୍ବାଚନ ଦିନ ବିଜୁବାବୁଙ୍କ ଶ୍ରାଦ୍ଧ ଥିବା କଥା ମନେପକେଇ ଭୋଟ ଭିକ୍ଷା କରିଛନ୍ତି । କରୋନା ପାଇଁ ସେ ଯାଇପାରୁନଥିବାରୁ ଦୁଃଖିତ ବୋଲି କହିଛନ୍ତି । ଏହା ସହ ସେ ଆଉ ଏକ କଥା କହିଛନ୍ତି, ଯାହାକୁ ଆପଣ ତାଙ୍କର ଚିରାଚରିତ କଥା ବି କହିପାରନ୍ତି । ସେ ଏକଥା କହିବାର ଅଭ୍ୟାସରେ ପଡିଯାଇଥିବା ଆପଣ କହିପାରନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କି, ପିପିଲି-ଡେଲାଙ୍ଗର ବିକାଶ ଦାୟିତ୍ୱ ସେ ନିଜେ ବୁଝିବେ ।

ନବୀନ ପିପିଲିରେ ଠିକ୍ ସେମିତି କହିଛନ୍ତି, ଯେମିତି ସେ ବିଜେପୁରରେ କହିଥିଲେ, ପାଟକୁରାରେ କହିଥିଲେ, କେନ୍ଦ୍ରାପଡାରେ କହିଥିଲେ, ବାଲେଶ୍ୱରରେ କହିଥିଲେ, ତିର୍ତ୍ତୋଲରେ ବି କହିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି କଥା ସହ ଆମେ ସହମତ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ଚିରାଚରିତ ବକ୍ତବ୍ୟ ପ୍ରତି ଆମର ସବୁବେଳେ ଆପତ୍ତି ରହିଆସିଛି । ଏହି ଆପତ୍ତି ପଛରେ କାରଣ ବି ରହିଛି । କାରଣ ଏହା କି, ଆମକୁ ଲାଗୁଛି ମୁଖ୍ୟମନ୍ତ୍ରୀ ବୋଧେ ଭୁଲି ଯାଉଛନ୍ତି ସେ ସାରା ରାଜ୍ୟର ମୁଖ୍ୟମନ୍ତ୍ରୀ । କେବଳ ନିର୍ବାଚନ ହେଉଥିବା ଅଞ୍ଚଳର ନୁହେଁ । ତାଙ୍କର ଦାୟିତ୍ୱ କେବଳ ନିର୍ବାଚନ ହେଉଥିବା ଅଞ୍ଚଳ ନୁହେଁ, ବରଂ ସମଗ୍ର ରାଜ୍ୟର ବିକାଶ ।

ନିର୍ବାଚନ ହେଉଥିବା ନିର୍ବାଚନମଣ୍ଡଳୀର ଦାୟିତ୍ୱ ସେ ବୁଝିବେ କହିବାର ଅର୍ଥ କ’ଣ ଏୟା ନୁହେଁ କି, ନିର୍ବାଚନ ହେଉନଥିବା ଅଞ୍ଚଳର ବିକାଶ କଥା ସେ ବୁଝିବେ ନାହିଁ । ଏହା ସହ ଏହାର ଅର୍ଥ ଏହା ମଧ୍ୟ ନୁହେଁ କି, ଆଜି ଯାଏଁ ସେ ଏହି ଅଞ୍ଚଳର ବିକାଶ କଥା ବୁଝି ନାହାନ୍ତି । ସେ ୨୧ ବର୍ଷ ହେଲା ରାଜ୍ୟର ମୁଖ୍ୟମନ୍ତ୍ରୀ, ସର୍ବାଧିକ କାଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିବାରେ ରେକର୍ଡ ତାଙ୍କର, ରାଜ୍ୟର ର୍ନିଦ୍ୱନ୍ଦରେ ଅପ୍ରତିଦ୍ୱନ୍ଦୀ ନେତା ସେ, ରାଜନୈତିକ ସଫଳତାରେ ସେ ନିଜ ପିତା, ଯାହାଙ୍କ ନାଁରେ ସେ ଦଳ ଗଢିଛନ୍ତି, ସ୍ୱର୍ଗତଃ ବିଜୁବାବୁଙ୍କୁ ମଧ୍ୟ ଅନେକ ପଛରେ ପକେଇ ସାରିଛନ୍ତି ।

କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି ବୋଲି କୁହନ୍ତି । ତାଙ୍କ ସମୟରେ ଓଡ଼ିଶା ବିକାଶ ରଥରେ ବସି ଆଗକୁ ବଢୁଛି ବୋଲି ପ୍ରଚାର କରନ୍ତି । ତେବେ ଏମିତି କାହିଁକି ହେଉଛି, ଯେଉଁଠି ଭୋଟ୍ ହେଉଛି, ସାରା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକଥା କହିବାକୁ ପଡୁଛି ଯେ, ସେ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳର ବିକାଶ କଥା ନିଜେ ବୁଝିବେ । ଏମିତି କହି ସେ ସେଠାକାର ଭୋଟରଙ୍କୁ ବିଜେଡି ପ୍ରତି, ଶଙ୍ଖଚିହ୍ନ ପ୍ରତି ଆକୃଷ୍ଟ କରିପାରନ୍ତି ସତ, ଯାହା କରିଆସୁଛନ୍ତି ମଧ୍ୟ । ହେଲେ ତାଙ୍କରି କଥାକୁ ଯଦି ଆମେ ବିଶ୍ଳେଷଣ କରିବା, ତାହେଲେ ଏକଥା କହି ତାଙ୍କ ଶାସନ ସମୟରେ ବିକାଶ ଯେ ସବୁଠି ପହଞ୍ଚି ନାହିଁ, ସେ ପରୋକ୍ଷରେ ସ୍ୱୀକାର କରୁନାହାନ୍ତି କି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ । କେବଳ ଯଦି ପିପିଲି କଥା ଉଠେ, ତାହେଲେ ଏଠି ବିଜେଡି ତାହାର ପ୍ରଥମ ବିଧାନସଭା ନିର୍ବାଚନ ଲଢିବା ଦିନରୁ ଶାସନରେ ଅଛିା ୨୦୦୦ରୁ ଓଡ଼ିଶାରେ ଲଗାତାର ନବୀନ ଜିତୁଛନ୍ତି, ଏଠି ଲଗାତାର ପ୍ରଦୀପ ମହାରଥୀ ଜିତିଆସୁଥିଲେ ।

ରାଜଧାନୀଠାରୁ ମାତ୍ର ୧୮ କିଲୋମିଟର ଦୂରରେ ପିପିଲି ନିର୍ବାଚନମଣ୍ଡଳୀ । ଏସବୁ ସତ୍ତ୍ବେ ନିରଙ୍କୁଶ ନବୀନ ଶାସନରେ ବିକାଶର ଗାଡି ରାଜଧାନୀକୁ ଲାଗି ଥିବା ନିର୍ବାଚନମଣ୍ଡଳୀରେ ପହଞ୍ଚି ପାରି ନ ଥିଲା କି? ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ପଡିଲା ସେ ପିପିଲି-ଡେଲାଙ୍ଗର ବିକାଶ କଥା ନିଜେ ବୁଝିବେ । ଏଭଳି ନାରା ନିର୍ବାଚନ ହେଉଥିବା ଅଞ୍ଚଳର ଭୋଟରଙ୍କୁ ଆକୃଷ୍ଟ କରିପାରେ । ସେ ଏଭଳି କହିବା ପରେ ନିର୍ବାଚନ ହେଉ ନ ଥିବା ଅଞ୍ଚଳର ଲୋକଙ୍କ ମନସ୍ତତ୍ୱକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଯେଉଁଠି ନିର୍ବାଚନ ହେଉନାହିଁ, ସେଠାକାର ଲୋକେ ବି ଆପଣଙ୍କର । ଆପଣ ତାଙ୍କର ମଧ୍ୟ ମୁଖ୍ୟମନ୍ତ୍ରୀ ।

କେବଳ ନିର୍ବାଚନ ହେଉଥିବା ଅଞ୍ଚଳର ବିକାଶ ଆପଣ ବୁଝିବେ, ସେମାନେ ହିଁ କେବଳ ଆପଣଙ୍କ ଆପଣାର, ବାକି ଅଞ୍ଚଳ କ’ଣ ମୁଖ୍ୟମନ୍ତ୍ରୀଙ୍କ ନଜରରେ ସାବତ ପୁଅ? କଣ ସେମାନେ ଚାହାନ୍ତି ନାହିଁ, ସେଠାକାର ବିକାଶ ବି ଆପଣ ନିଜେ ବୁଝନ୍ତୁ? ସେଠାରେ କ’ଣ ବିକାଶ ପାଇଁ ଉପନିର୍ବାଚନକୁ ଅପେକ୍ଷା କରିବାକୁ ପଡିବ? ସବୁ ଅଞ୍ଚଳରେ ବିଧାୟକ ଅଛନ୍ତି, ସଂଖ୍ୟା ଗରିଷ୍ଠ ବିଧାୟକ ମିଶି ଆପଣଙ୍କୁ ନେତା ବାଛିଛନ୍ତି, ସବୁ ଅଞ୍ଚଳ, ସବୁ ଦଳର ଲୋକଙ୍କ ପାଇଁ ଆପଣ ରାଜ୍ୟର ମୁଖ୍ୟ ।

ତାହେଲେ କାହିଁକି କେବଳ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳର ଦାୟିତ୍ୱ ଆପଣ ନେବେ? କାହିଁକି ବାକି ଅଞ୍ଚଳ ଆପଣଙ୍କ ବିକାଶ ଦାୟିତ୍ୱରୁ ବଞ୍ଚିତ ହେବ? ଏସବୁର ପ୍ରଶ୍ନ ଉଠୁଛି । ଅନୁରୋଧ କରିବାକୁ ଚାହୁଁଛୁ, ଗୋଟିଏ ନିର୍ବାଚନ ଜିତିବା ପାଇଁ ଆପଣ ନିଜ ଦୃଷ୍ଟିରେ ଅଞ୍ଚଳ ମଧ୍ୟରେ ଭେଦଭାବ କରନ୍ତୁ ନାହିଁ । ବିକାଶରେ ପାତରଅନ୍ତର କରନ୍ତୁ ନାହିଁ । ଯେଉଁଠି ନିର୍ବାଚନ ହେଉଛି, ସେଠି ଏଭଳି କଥା କହି, ମୁଖ୍ୟମନ୍ତ୍ରୀ ସମଗ୍ର ରାଜ୍ୟ ପ୍ରତି ଥିବା ଦାୟିତ୍ୱକୁ ଗୌଣ କରନ୍ତୁ ନାହିଁ। ଅବଶ୍ୟ ଏହା ଆଉ ଗୋଟିଏ ପ୍ରସଙ୍ଗ କି, ଆପଣ ଯେଉଁ ଯେଉଁ ଅଞ୍ଚଳରେ ବିକାଶର ଦାୟିତ୍ୱ ନେବେ କହିଛନ୍ତି, ଯାହା ପ୍ରତିଶ୍ରୁତି ଦେଇଛନ୍ତି, ତାହା କେତେ ରକ୍ଷା କରିଛନ୍ତି? ସେ ସବୁ ନିର୍ବାଚନମଣ୍ଡଳୀର ଦାୟିତ୍ୱ ଆପଣ ନେବା ପରେ, ସେଠାକାର ଚିତ୍ର, ଲୋକଙ୍କ ଜୀବନମାନରେ କେତେ ପରିବର୍ତ୍ତନ ହୋଇଛି ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ