ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ଆସୁଛି ବର୍ଷା । ସପ୍ତାହେ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଏବଂ ଝଡ଼ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ପାଇଁ ଅଧା ଓଡ଼ିଶାରେ ବଜ୍ରପାତ ଏବଂ ଝଡ଼ବର୍ଷା ସମ୍ଭାବନା ରହିଛି । ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ୮ତାରିଖ ପାଇଁ ୨୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ ଏପରି ୧୭ଜିଲ୍ଲାକୁ ଚେତାବନୀ ରହିଛି ।
ଆସନ୍ତା ୮ ତାରିଖରେ ଉତ୍ତର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଲଘୁଚାପ ରୂପ ନେବାର ସମ୍ଭାବନା କମ୍ । କିନ୍ତୁ ଏହା ପ୍ରଭାବରେ ୧୧ ତାରିଖ ଯାଏ ରାଜ୍ୟରେ ଭାରୀ ବର୍ଷା ହେବ । ଏଭଳି ପୂର୍ବାନୂମାନ କରିଛି ପାଣିପାଗ ବିଭାଗ । ଏହା ପ୍ରଭାବରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଜିଲ୍ଲା ସମେତ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।
ଯାଜପୁର, ବାଲେଶ୍ୱର, ଦେବଗଡ଼, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଭଲ ବର୍ଷା ହେବ । ବିକ୍ଷିପ୍ତ ସ୍ଥାନରେ ଭାରୀ ବର୍ଷା ହୋଇପାରେ । ସେପଟେ ପାଣିପାଗ ବିଭାଗ ଆକଳନ କହୁଛି, ୯ ତାରିଖରୁ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିପାରେ । ୧୦ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର ଓ ମୟୂରଭଞ୍ଜରେ ଭାରୀ ବର୍ଷା ହୋଇପାରେ ।
