Before Header

୨୦ ବର୍ଷ ତଳେ କାନ୍ଦିଥିଲେ ସୌରଭ ଓ ସଚିନ

0 55

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୨୦ ବର୍ଷ ତଳେ ସେ ଦୁଃଖକୁ ଆଜି ପର୍ଯ୍ୟନ୍ତ କେହି ଭୁଲି ନାହାନ୍ତି । ୨୦୦୩ରେ ବିଶ୍ୱକପ ଫାଇନାଲରେ ଯେବେ ଅଷ୍ଟ୍ରେଲିଆଠୁ ହାରି ଯାଇଥିଲା ଭାରତ । ରିକି ପଂଟିଂ ଲଗାଇଥିଲେ ଧୁଆଁଧାର ପାଳି । କାନ୍ଦିଥିଲେ ସୌରଭ ଗାଙ୍ଗୁଲି, କାନ୍ଦିଥିଲେ ସଚିନ ତେନ୍ଦୁଲକର ଓ କାନ୍ଦିଥିଲେ ସାରା ଭାରତବାସୀ । ସେ ଦୁଃଖକୁ ଦୂର କରିବା ପାଇଁ, ସେ ପରାଜୟର ପ୍ରତିଶୋଧ ନେବା ପାଇଁ ୨୦ ବର୍ଷ ପରେ ଇତିହାସ ଆମକୁ ଆଉ ଗୋଟିଏ ସୁଯୋଗ ଦେଇଛି । ୨୦୨୩ ଫାଇନାଲରେ ଏଥର ପୁଣି ଭାରତ-ଅଷ୍ଟ୍ରେଲିଆ । ଯେମିତି ୨୦୦୩ରେ ହୋଇଥିଲା । ସେଦିନ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ଥିଲା ମ୍ୟାଚ୍ ।ଏଥର ଭାରତର ଅହମ୍ମଦାବାଦରେ।

ସେତେବେଳେ କ୍ୟାପଟେନ ଥିଲେ ସୌରଭ ଗାଙ୍ଗୁଲି । ତାଙ୍କ ନେତୃତ୍ୱରେ ଭାରତ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିଲା । ଏହା ପୂର୍ବରୁ ମ୍ୟାଚ୍ ଫିକି୍ସଂର କଳଙ୍କ ଯୋଗୁଁ ଭାରତୀୟ ଟିମ ଏକ ପ୍ରକାର ଦୁର୍ବଳ ହୋଇଯାଇଥିଲା । କିନ୍ତୁ ସୌରଭ ଗାଙ୍ଗୁଲି ଟିମ ଇଣ୍ଡିଆର ନେତୃତ୍ୱ ନେଇ ଦଳକୁ ସଂଗଠିତ କରିଥିଲେ । ଆଉ ବିଜୟ ହେବାର ମନ୍ତ୍ର ଫୁଙ୍କିଥିଲେ । ଭାରତୀୟ ଟିମରେ ସଚିନ, ସୌରଭ ଓ ଦ୍ରାବିଡଙ୍କ ପରି ମହାରଥୀ ଥିଲେ ଏବଂ ସେହ୍ୱାଗ, ମହମ୍ମଦ କୈଫ ଓ ଯୁବରାଜଙ୍କ ପରି ଯୁବରଥୀମାନେ ବି ଥିଲେ ।

ବୋଲିଂ ବିଭାଗ ସମ୍ଭାଳୁଥିଲେ ଜାଭାଗଲ ଶ୍ରୀନାଥ, ଜାହିର ଖାନ୍ ଓ ଆଶିଷ ନେହେରା । ଏପଟେ ଥିଲେ ହରଭଜନ ସିଂ । ଦିନେଶ ମଙ୍ଗିଆ ଅଲରାଉଣ୍ଡର ଭୂମିକା ନିର୍ବାହ କରୁଥିଲେ । ରାହୁଲ ଦ୍ରାବିଡ ଭଭୟ କିପିଂ ଓ ମିଡିଲ ଅର୍ଡରର ଦାୟିତ୍ୱ ସମ୍ଭାଳୁଥିଲେ । ସେ ଟିମ ଏକ ଦୁର୍ଦ୍ଧଶ ଟିମରେ ପରିଗଣିତ ହୋଇସାରିଥିଲା । ବିଶ୍ୱକପର ଲିଗ ପର୍ଯ୍ୟାୟରେ କେବଳ ଅଷ୍ଟ୍ରେଲିଆକୁ ଛାଡିଦେଲେ ଲିଗ, ସୁପର ସିକ୍ସ କିମ୍ବା ସେମି ଫାଇନାଲରେ ଅପରାଜେୟ ହୋଇ ଭାରତ ପହଂଚିଥିଲା ଫାଇନାଲରେ । ସେପଟେ ୧୯୯୯ର ବିଶ୍ୱକପରେ ବିଶ୍ୱବିଜେତା ଅଷ୍ଟ୍ରେଲିଆ ପୁଣି ୨୦୦୩ର ବିଶ୍ୱକପର ଫାଇନାଲରେ ପହଂଚିଥିଲା । କ୍ୟାପଟେନ ଥିଲେ ରିକି ପଂଟିଂ ।

ଟିମରେ ଗୀଲ ଖ୍ରୀଷ୍ଟ, ମାର୍ଟିନ, ବ୍ରେଟ ଲୀ ଭଳି ଦୁର୍ଦ୍ଧଶ ଖେଳାଳୀ ଥିଲେ । ଏହି ଟିମକୁ ଭାରତ ହରାଇ ୨୦ ବର୍ଷ ପରେ ପୁଣି ଆଉ ଥରେ ଜିତିବ ବୋଲି ସମସ୍ତେ ଆଶାବାନ ଥିଲେ । କାରଣ ଭାରତ ପ୍ରଥମ ବିଶ୍ୱକପ ଜିତିଥିଲା ୧୯୮୩ରେ, କପିଲ ଦେବଙ୍କ ନେତୃତ୍ୱରେ । ଏହା ପରେ ଆଉ କୌଣସି ବିଶ୍ୱକପ ଜିତି ନଥିଲା ଭାରତ । ସେ ପୂରା ଟୁର୍ଣ୍ଣାମେଂଟରେ ସଚିନ ବି ଚମତ୍କାର ଫର୍ମରେ ଥିଲେ । ମାଷ୍ଟର ବ୍ଲାଷ୍ଟର ଦେଶକୁ ବିଶ୍ୱକପ ଜିତାଇବେ ଏହି ଆଶା ନେଇ ସମସ୍ତେ ଆଶାବାନ ବି ଥିଲେ । କିନ୍ତୁ ବିଶ୍ୱକପ ଫାଇନାଲର ପ୍ରଥମ ଓଭରରୁ ହିଁ ଜଣା ପଡିଯାଇଥିଲା ଭାରତର ସ୍ୱପ୍ନ ଅଧୁରା ରହିଯିବ । ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିଥିଲେ ଗାଙ୍ଗୁଲି ।

ପୂରା ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିବା ଜାହିର ଖାନ୍ ପ୍ରଥମ ଓଭରରେ ୧୫ ରନ୍ ଦେଇଥିଲେ । ତା’ପରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଆଉ ପଛକୁ ବୁଲି ଚାହିଁନଥିଲେ । ୩୫୯ ରନର ବିଶାଳ ସ୍କୋର କରିଥିଲେ । ଯାହାର ପିଛା କରି ଭାରତ ମାତ୍ର ୨୩୪ରେ ଅଲଆଉଟ ହୋଇଯାଇଥିଲା । ସଚିନ ପ୍ରଥମ ଓଭରରେ ହିଁ ମାତ୍ର ୪ ରନ କରି ଆଉଟ ହୋଇଯାଇଥିଲେ । ପରେ ସେହ୍ୱାଗ ୮୨ ରନ କରି ରନ ଆଉଟ ହୋଇଯାଇଥିଲେ । ଯାହା ଭାରତର ବିଶ୍ୱକପ ଆଶାକୁ ଧୂଳିସାତ କରିଦେଇଥିଲା । ଦ୍ରାବିଡ, ସୌରଭ, କୈଫ୍, ଯୁବରାଜଙ୍କ ପରି ଖେଳାଳି ବଡ଼ ପାରି ଖେଳିବାରେ ସକ୍ଷମ ହୋଇନଥିଲେ ।

ତେବେ ସୁଯୋଗ ଆସିଛି ଭାରତ ସେ ବିଶ୍ୱକପରେ ପରାଜୟର ପ୍ରତିଶୋଧ ଏ ବିଶ୍ୱକପର ଫାଇନାଲରେ ନେଇପାରିବ । ସୌରଭ ଗାଙ୍ଗୁଲିଙ୍କୁ ଯେଉଁ ଝଟକା ଲାଗିଥିଲା, ସେହି ଝଟକାର ପ୍ରତିଶୋଧ ନେଇପାରିବେ ରୋହିତ ଶର୍ମା । ସଚିନଙ୍କ ଯେଉଁ ସ୍ୱପ୍ନ ଅଧୁରା ରହିଯାଇଥିଲା ଫାଇନାଲରେ ଅଷ୍ଟ୍ରେଲିଆକୁ ହରେଇବାର ତାହା ପୂରା କରିପାରିବେ ବିରାଟ କୋହଲି । ପରେ ୨୦୧୧ ବିଶ୍ୱକପ କ୍ୱାଟର୍ ଫାଇନାଲରେ ଆମେ ଅଷ୍ଟ୍ରେଲିଆକୁ ହରାଇଛୁ ।

ବିଶ୍ୱକପରେ ଚାମ୍ପିଆନ ମଧ୍ୟ ହୋଇଛୁ । କିନ୍ତୁ ଏବେ ବି ୨୦୦୩ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଆମକୁ ହରାଇଥିଲା, ତା’ର ଦୁଃଖ ଯାଇନି । ଭାରତ ୨୦ ବର୍ଷ ପରେ ସେ ଦୁଃଖକୁ ଦୂର କରିପାରିବ ଓ ୮୩ ବିଶ୍ୱକପ ଫାଇନାଲରେ ଯେମିତି ବିଶ୍ୱବିଜେତା ଆମେ ହୋଇଥିଲେ ସେଭଳି ଆଉ ଥରେ ଆମେ ବିଶ୍ୱ ବିଜେତା ହେବା ସେ ସ୍ୱପ୍ନକୁ ସାକାର କରିହେବ । ୨୦ ବର୍ଷ ତଳର ବିଫଳତା ଦୂର କରି ଆମେ ୪୦ ବର୍ଷ ତଳର ସଫଳତାକୁ ଦୋହରାଇ ପାରିବା ଏଭଳି ସାରା ଦେଶ ଆଶା ବାନ୍ଧିଛି ।

ଭାରତ ଏପର୍ଯ୍ୟନ୍ତ ଏହି ବିଶ୍ୱକପକୁ ମିଶାଇ ୪ଥର ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ସେଥିରୁ ୨୦୦୩ରେ ହାରିଥିବା ବେଳେ ୧୯୮୩ ଓ ୨୦୧୧ରେ ଜିତିଥିଲା । ସେହିଭଳି ଅଷ୍ଟ୍ରେଲିଆ ୧୯୮୭, ୧୯୯୯, ୨୦୦୩ , ୨୦୦୭ ଓ ୨୦୧୫ରେ ଚାମ୍ପିଆନ ହୋଇଛି । ତେଣୁ ଅଷ୍ଟ୍ରେଲିଆ ବିଶ୍ୱକପର ଏକ ସ୍ପେଶାଲିଷ୍ଟ ଦଳ ବୋଲି କୁହାଯାଏ । ସେ ନିଶ୍ଚିତ ଚେଷ୍ଟା କରିବ ୧୯୮୭, ୧୯୯୯,୨୦୦୩ , ୨୦୦୭ ଓ ୨୦୧୫ ପରି ଏଥର ମଧ୍ୟ ଟ୍ରଫିକୁ ହାସଲ କରିବ ।

କିନ୍ତୁ ଭାରତ ଯେଉଁଭଳି ଫର୍ମରେ ଅଛି, ବିଶ୍ୱକପ ଏଥର ଆମର ବୋଲି ଆମେ ଦୃଢ ଆଶା ପୋଷଣ କରିପାରିବା । ଏବଂ ସେହି ଦିନ ଏକ ବଡ଼ ଦିୱାଲି ସେଲିବ୍ରେସନ ହେବ ବୋଲି ଦେଶବାସୀ ଅପେକ୍ଷା କରି ବସିଛନ୍ତି । ଏଠାରେ କହିରଖିବା ପାଇଁ ଚାହିଁବୁ ଯେ ୨୦୧୧ରେ ଭାରତରେ ବିଶ୍ୱକପ ଆୟୋଜନ କରାଯାଇଥିଲା । ଏବଂ ଭାରତ ଚାମ୍ପିଆନ ମଧ୍ୟ ହୋଇଥିଲା ।

 

୨୦୧୫ରେ ଅଷ୍ଟ୍ରେଲିଆରେ ବିଶ୍ୱକପ ଆୟୋଜନ କରାଯାଇଥିଲା । ଏବଂ ଅଷ୍ଟ୍ରେଲିଆ ଚାମ୍ପିଆନ ହୋଇଥିଲା । ୨୦୧୯ରେ ଇଂଲଣ୍ଡରେ ୱାର୍ଲ୍ଡକପ ଆୟୋଜନ ହୋଇଥିବା ବେଳେ ଏହାର ବିଜେତା ଥିଲା ଇଂଲାଣ୍ଡ । ଠିକ ସେହିଭଳି ୨୦୨୩ରେ ଭାରତରେ ଏହି ଟୁର୍ଣ୍ଣମେଂଟ ଅନୁଷ୍ଠିତ ହେଉଥିବା ବେଳେ ଭାରତ ଚାମ୍ପିଆନ ହେବ ବୋଲି ସମସ୍ତେ ପୂର୍ବାନୁମାନ କରିଛନ୍ତି ।

 

Leave A Reply

Your email address will not be published.