ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ୍ ଶାହ। ଦୁଇ ଦିନିଆ ଗସ୍ତରେ ଆସିବେ। ମାର୍ଚ୍ଚ ୬ ତାରିଖରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବେ। ଅମିତ୍ ଶାହଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ଓ ରୁଟ୍ ପ୍ଲାନ, ସ୍ଥଳର ଆନୁଷଙ୍ଗିକ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ସମସ୍ତ ବିଭାଗ ମାନଙ୍କୁ ପାରସ୍ପରିକ ସମନ୍ୱୟ ରଖି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
୫ ତାରିଖ ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସଡ଼କ ପଥରେ କଟକ ମୁଣ୍ଡୁଳିସ୍ଥିତ ସିଆଇଏସ୍ଏଫ୍ କ୍ୟାମ୍ପସ ଯିବେ । ସିଆଇଏସଏଫ କ୍ୟାମ୍ପସରେ ସେ ରାତ୍ରି ରହଣୀ କରିବେ । ୬ ତାରିଖ ପୂର୍ବାହ୍ନରେ ସିଆଇଏଫର ରାଇଜିଂ ଡେ-ପରେଡ ଉତ୍ସବରେ ଶ୍ରୀ ଶାହ ମୁଖ୍ୟ ଅତିଥି ଭାବେ ଯୋଗଦେବେ।
ଦିନ ୧୨ଟାବେଳେ ଶ୍ରୀ ଶାହ ହେଲିକପ୍ଟର ଯୋଗେ ସେଠାରୁ ଜଟଣୀ ଯିବେ । ଜାତୀୟ ଫରେନସିକ ସାଇନ୍ସ ବିଶ୍ୱବିଦ୍ୟାଳୟ (ଏନ୍ଏଫ୍ଏସ୍ୟୁ) ଏବଂ କେନ୍ଦ୍ରୀୟ ଫରେନସିକ ଲାବ୍ରୋଟାରି (ସିଏଫଏସ୍ଏଲ୍)ର ଭୁବନେଶ୍ୱର କ୍ୟାମ୍ପସର ଭୂମିପୂଜନ କରିବେ ଶ୍ରୀ ଶାହ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭୁବନେଶ୍ୱରରେ ନିର୍ମିତ ଏନଏଫଏସୟୁର ଟ୍ରାନଜିଟ କ୍ୟାମ୍ପସର ଉଦଘାଟନ କରିବେ । ଅପରାହ୍ନ ପ୍ରାୟ ୧ଟାବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସେଠାରୁ ଲୋକଭବନ (ରାଜଭବନ) ଯିବେ ।
୬ ତାରିଖ ଅପରାହ୍ନ ପ୍ରାୟ ୨ଟା ୪୦ ମିନିଟରେ ଶ୍ରୀ ଶାହ ପ୍ରଦର୍ଶନୀ ପଡ଼ିଆରେ ପହଞ୍ଚିବେ । ସେଠାରେ ଆୟୋଜିତ ନବୀନ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ସେ ଉଦଘାଟନ କରିବେ । ସାଢ଼େ ୩ଟାବେଳେ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ସଭା ମଞ୍ଚରେ ପହଞ୍ଚିବେ । ସେଠାରୁ ସମବାୟ, ସ୍ୱରାଷ୍ଟ୍ର ବିଭାଗ ସମେତ ବିଭିନ୍ନ ବିଭାଗର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ପରେ ଅପରାହ୍ନ ପ୍ରାୟ ୫ଟାବେଳେ ଶ୍ରୀ ଶାହ ଓଡ଼ିଶା ଗସ୍ତ ଶେଷ କରି ଫେରିଯିବେ । ଶ୍ରୀ ଶାହଙ୍କ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ବସିଥିଲା । ଏଥିରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ସମବାୟ ବିଭାଗ ସଚିବ ରାଜେଶ ପ୍ରଭାକର ପାଟିଲ, ପୁଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ, ଡିଜି (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ପୁଲିସ କମିଶନର ଏସ. ଦେବଦତ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
