ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାରା ଦେଶ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସିଝୁଛି। ଓଡ଼ିଶାରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ତାତିର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରିପାକାଇଛି। ଦିନରେ ଆକାଶରୁ ନିଆଁ ବର୍ଷୁଥିବା ବେଳେ ରାତିରେ ମଧ୍ୟ ଅସ୍ୱାଭାବିକ ଗରମ ଓ ଗୁଳୁଗୁଳିରୁ ନିସ୍ତାର ମିଳୁନାହିଁ। ସକାଳୁ ସକାଳୁ ପ୍ରଚଣ୍ଡ ଗୁଳୁଗୁଳି ଆକ୍ତାମାକ୍ତା କଲାଣି । ଆଜି ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୧.୪ ଡିଗ୍ରି ଡେଇଁଲାଣି । ହିଟ୍ ଇଣ୍ଡେକ୍ସ ୪୪ ଡିଗ୍ରି ରହିଥିବାବେଳେ ଆର୍ଦ୍ରତା ୮୪ ପ୍ରତିଶତ ରହିଛି । ଯାହା ଗୁଳୁଗୁଳିକୁ ଆହୁରି ବଳ ଦେଉଛି ।
ଗତକାଲି ଏହି ସମୟରେ ତାପମାତ୍ରା ୨୯.୬ ଡିଗ୍ରି ରହିଥିଲା ।ଗତ ୪ ଦିନ ମଧ୍ୟରେ ଶୁକ୍ରବାର ସକାଳେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି । ସେହିଭଳି ହିଟ୍ ଇଣ୍ଡେକ୍ସ ବି ସର୍ବାଧିକ ରହିଛି । ଯାହା ସାଧାରଣ ଜୀବନକୁ ସାଂଘାତିକ ଭାବେ ପ୍ରଭାବିତ କଲାଣି । ପାଣିପାଗ ବିଭାଗ ପକ୍ଷରୁ ଆଜି ୨୫ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ସ୍ଥିତିକୁ ଦେଖି ଆଗାମୀ ୨୫ ତାରିଖ ପର୍ଯ୍ୟନ୍ତ ସାରାରାଜ୍ୟକୁ ସତର୍କ କରିଛି ପାଣିପାଗ ବିଭାଗ । ଆଗକୁ ତାପମାତ୍ରା ଆହୁରି ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଗୁରୁବାର ଝାରସୁଗୁଡ଼ା ତାପମାତ୍ରା ଥିଲା ୪୫.୫ ଡିଗ୍ରୀ ସେଲସିୟସ୍ । ସମ୍ବଲପୁର ଓ ବଲାଙ୍ଗୀର ୪୪.୬, ଟିଟିଲାଗଡ଼ ୪୪.୪, ସୋନପୁର ୪୪.୩, ବୌଦ୍ଧ ୪୪.୩ । ଡିଗ୍ରୀ । ନିଆଁ ବର୍ଷୁଛି ଆକାଶରୁ । ଅନୁଗୁଳ, ଭବାନୀପାଟଣା, ତାଳଚେର ତାପମାତ୍ରା ମଧ୍ୟ ୪୩.୫ ଡିଗ୍ରୀରୁ ୪୪ ଡିଗ୍ରୀ ପାଖାପାଖି ପହଞ୍ଚି ଯାଇଥିଲା । ଯେମିତି ନିଆଁର ଲହରୀ ମାଡ଼ି ଯାଇଥିଲା ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ । ତ୍ରାହି ମିଳିଲାନି ଉପକୂଳ ଭାଗରେ । ଭୁବନେଶ୍ୱର ତାପମାତ୍ରା ଦିନକ ଭିତରେ ୬ ଡିଗ୍ରୀ ବଢ଼ି ୪୨.୨ ଡିଗ୍ରୀ ତାତିରେ ସିଝିଲା । କଟକ ବି ୪୦ ଡିଗ୍ରୀ ଉପରେ । ରାଜ୍ୟର ୨୩ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା ।
