(ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦେଶର ୭୫ଟି ପୁନଃବିକଶିତ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି । ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଆଧୁନିକରଣ କରାଯାଇଥିବା । ଏହି ଷ୍ଟେସନ ଗୁଡିକ ମଧ୍ୟରେ ଓଡିଶାର ୭ଟି ରେଳ ଷ୍ଟେସନ ମଧ୍ୟ ସାମିଲ ରହିଛି । ଏହି ପଦକ୍ଷେପ ରେଳ ଯାତ୍ରୀଙ୍କୁ ଉନ୍ନତ ସୁବିଧା ଯୋଗାଇବା ସହ ଷ୍ଟେସନଗୁଡିକୁ ଆଧୁନିକ ରୂପ ଦେବା ଦିଗରେ ଏକ ବଡ ପଦକ୍ଷେପ ବୋଲି କୁହାଯାଇଛି । ଓଡିଶାର ବଲାଙ୍ଗୀର, ବରପାଲ, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା,ବାରିପଦା ଓ ବିମଳଗଡ ରେଳ ଷ୍ଟେସନକୁ ପ୍ରାୟ ୧୦୯କୋଟି ଟଙ୍କା ବ୍ୟୟରେ ପୁନଃବିକଶିତ କରାଯାଇଛି ।
ନୂତନ ରୂପ ପାଇଥିବା ଏହି ଷ୍ଟେସନ ଗୁଡିକରେ ଯାତ୍ରୀଙ୍କ ସୁବିଧା, ସୁରକ୍ଷା, ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି । ପୂର୍ବତଟ ରେଳବାଇ (ECOR) ପକ୍ଷରୁ ସୂଚନା ଅନୁସାରେ, ପୁନଃବିକଶିତ ଷ୍ଟେସନ ଗୁଡିକରେ ଆଧୁନିକ ଷ୍ଟେସନ ଭବନ, ଲିପ୍ଟ ସୁବିଧା ସହିତ ୧୨ ମିଟର ଚଉଡା ଫୁଟ୍ ଓଭରବ୍ରିଜ୍, ପ୍ରଶସ୍ତ,ଆପ୍ରୋଚ୍ ରୋଡ୍, ଉନ୍ନତ ପ୍ରତୀକ୍ଷାଳୟ, ଉତ୍ତମ ଆଲୋକ ବ୍ୟବସ୍ଥା ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ଯାତ୍ରୀମାନେ ଷ୍ଟେସନ ଭିତରେ ନିର୍ବିଘ୍ନ ଏବଂ ସୁବିଧାଜନକ ଭାବେ ଯାତାୟାତ କରିପାରିବେ।
ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଦେଶର ବିଭିନ୍ନ ରେଳ ଷ୍ଟେସନକୁ ପର୍ୟ୍ୟାୟକ୍ରମେ ବିଶ୍ୱସ୍ତରୀୟ ସୁବିଧା ସହ ବିକଶିତ କରାଯାଉଛି। ଏହି ଯୋଜନାର ଲକ୍ଷ୍ୟ ହେଉଛି ଯାତ୍ରୀ ସେବାର ମାନ ବୃଦ୍ଧି କରିବା ସହ ସ୍ଥାନୀୟ ସଂସ୍କୃତି ଓ ଐତିହ୍ୟକୁ ଷ୍ଟେସନର ଡିଜାଇନରେ ପ୍ରତିଫଳିତ କରିବା। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଷ୍ଟେସନଗୁଡ଼ିକର ଲୋକାର୍ପଣ ପରେ ଓଡ଼ିଶାର ରେଳ ଭିତ୍ତିଭୂମି ଓ ଯାତ୍ରୀ ସେବା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।
