Masthead

ଅପରାଧୀଙ୍କ ସେଫ୍ ଜୋନ୍ ଭୁବନେଶ୍ୱର

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଅପରାଧୀଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି ରାଜଧାନୀ ଭୁବନେଶ୍ୱର। ନିକଟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ୍‌ ଲୁଟରୁ ମଧ୍ୟ ଏ କଥା ପ୍ରମାଣିତ ହୋଇଛି। ଲୁଟେରାମାନେ ବିମାନ ଯୋଗେ ବେଙ୍ଗାଲୁରୁରୁ କୋଲକାତା ଦେଇ ଭୁବନେଶ୍ୱର ଆସିଲେ ଓ ଦୁଇଟି ହୋଟେଲରେ ଦୀର୍ଘ ୫ଦିନ ରହିଲେ। ଶେଷରେ ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ୨୮ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ। ୫ଦିନ ଧରି ଏହି ଅପରେସନ୍‌ ଚାଲିଥିଲେ ମଧ୍ୟ କମିସନରେଟ୍‌ ପୋଲିସକୁ ଟିକେ ବି ସୁରାକ୍ ମିଳିପାରି ନ ଥିଲା। ଦାୟିତ୍ୱହୀନତା ଯୋଗୁ ଅପରାଧୀ ଦ୍ୱୟ ବେଶ୍ ସହଜରେ ଲୁଟ୍‌ କରି ଫେରାର୍ ହୋଇଗଲେ।

ଏପରି ଘଟଣା ରାଜଧାନୀରେ ନୂଆ ନୁହେଁ। ପୂର୍ବରୁ ଅନେକ ଅପରାଧୀ ରାଜଧାନୀର ବିଭିନ୍ନ ହୋଟେଲରେ ରହି ସଙ୍ଗିନ ଅପରାଧ ଘଟାଇଛନ୍ତି। ବହୁ ହତ୍ୟାକାଣ୍ଡରେ ଅନ୍ୟ ରାଜ୍ୟର ସୁପାରି କିଲର ଓ ବଡ଼ ବଡ଼ ନିଶା ବ୍ୟବସାୟୀ ମଧ୍ୟ ହୋଟେଲରେ ରହି ସଫଳତାର ସହ ଅପରେସନ୍‌ କାର୍ୟ୍ୟକାରୀ କରିବା ପରେ ସୁରକ୍ଷିତ ଭାବେ ଫେରିଯାଇଛନ୍ତି। ୨୦୧୪ରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଇଣ୍ଡିଆନ୍ ମୁଜାହିଦ୍ଦିନର ଦୁଇ ସଦସ୍ୟ ଭୁବନେଶ୍ୱର ଆସି ରେଳ ଷ୍ଟେସନ ନିକଟ ଏକ ଲଜରେ ରହିଥିଲେ। ସେଠାରୁ ଟ୍ରେନରେ କଟକ ଓ ପୁରୀ ଯାଇଥିଲେ। ତେବେ ସେମାନେ ଦିଲ୍ଲୀ ଫେରିବା ବାଟରେ ପୋଲିସ ହାତରେ ଧରାପଡ଼ିଥିଲେ। ଓଡ଼ିଶା ଆସିଥିବା ସ୍ୱୀକାର କରିବା ପରେ ଘଟଣା ଜଣାପଡ଼ିଥିଲା।

ଏଥିପାଇଁ ରାଜଧାନୀର ହୋଟେଲ ଓ ଲଜଗୁଡ଼ିକ ଦାୟୀ ବୋଲି ଅଭିଯୋଗ ହେଉଛି। ପରିଚୟପତ୍ର ବିନା ସେମାନଙ୍କୁ ରହିବାକୁ ଦିଆଯାଉଛି ଓ ଏହା କେତେବେଳେ ରାଜଧାନୀ ପାଇଁ ବିପଦ ହୋଇପାରେ ବୋଲି କୁହାଯାଉଛି। ‘ସରାଇ’ ଆଇନ ଅନୁସାରେ ହୋଟେଲ ବା ଲଜକୁ ଆସି ରହୁଥିବା ଗ୍ରାହକଙ୍କ ତଥ୍ୟ ପ୍ରତିଦିନ ସ୍ଥାନୀୟ ଥାନାରେ ଦାଖଲ ହେବା କଥା। ଏଥିଲାଗି ଗାଇଡ୍ ଲାଇନ୍ ଜାରି ହୋଇଛି। କିନ୍ତୁ ଏହି ନିର୍ଦ୍ଦେଶନାମାକୁ ଫୁ କରିଦେଉଛନ୍ତି କିଛି ହୋଟେଲ ଓ ଲଜ୍ କର୍ତ୍ତୃପକ୍ଷ। ହାତଗଣତି କେତେକ ହୋଟେଲକୁ ଛାଡ଼ିଦେଲେ ଅନ୍ୟମାନେ ଏହି ନିୟମକୁ ଖିଲାପ କରି ଚାଲିଛନ୍ତି। ପୋଲିସ ମଧ୍ୟ ହାତ ଟେକିଦେଇଛି। ନିୟମିତ ଯାଞ୍ଚ କରିବାକୁ ସବୁ ଥାନାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ଏହା ପାଳନ କରାଯାଉନାହିଁ। ସେହିଭଳି ଗାଡ଼ି ଭଡ଼ା ଦେଉଥିବା ସଂସ୍ଥା ମଧ୍ୟ ପୋଲିସକୁ ସୂଚନା ଦେବା କଥା। ବିଶେଷକରି ବାହାର ରାଜ୍ୟର ଲୋକଙ୍କ କ୍ଷେତ୍ରରେ ଉକ୍ତ ସଂସ୍ଥା ପୋଲିସକୁ ଜଣାଇଥିଲେ ସ୍ଥିତି ଅଲଗା କିଛି ହୋଇଥାନ୍ତା। ଆଜି ଗଣମାଧ୍ୟମ ଜରିଆରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ରାଜଧାନୀର ହୋଟେଲ ଓ ଲଜ୍ କର୍ତ୍ତୃପକ୍ଷଙ୍କୁ ଏ ନେଇ ଚେତାବନୀ ଦେଇଛନ୍ତି। ଏଣିକି ନିୟମିତ ଗ୍ରାହକଙ୍କ ତଥ୍ୟ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ରାଜଧାନୀର ବିଭିନ୍ନି ହୋଟେଲରେ ଘଟିଥିବା ଅପରାଧ
୨୦୧୪ ମାର୍ଚ୍ଚରେ ଇଣ୍ଡିଆନ୍ ମୁଜାହିଦ୍ଦିନର ଦୁଇ ସଦସ୍ୟ ରେଳ ଷ୍ଟେସନ ନିକଟ ଏକ ହୋଟେଲରେ ରହି କଟକ ଓ ପୁରୀ ବୁଲିଥିଲେ।

୨୦୧୫ ଜାନୁଆରୀ ୫ରେ ଭାଇଜାଗ୍ ଷ୍ଟିଲ୍ ଏଜିଏମ୍ ସୂର୍ୟ୍ୟପ୍ରସାଦ ରାଓଙ୍କୁ ଅପହରଣ ପରେ ପଟିଆର ଏକ ହୋଟେଲରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ହୋଟେଲ କର୍ତ୍ତୃପକ୍ଷଙ୍କ ସହ ହତ୍ୟାକାରୀଙ୍କୁ ପୋଲିସ ଗିରଫ କରିଥିଲା।

୨୦୧୮ ଅଗଷ୍ଟ ୨୪ରେ ମଞ୍ଚେଶ୍ୱର ଥାନା ନିକଟରେ ଥିବା ଏକ ହୋଟେଲରେ ଖୋର୍ଦ୍ଧାର ଲକ୍ଷ୍ମୀପ୍ରିୟା ବିଶ୍ୱାଳ ନାମକ ମହିଳାଙ୍କୁ ହତ୍ୟା।

୨୦୧୮ ନଭେମ୍ବର ୧୮ରେ ଭୁବନେଶ୍ୱର ରେଳ ଷ୍ଟେସନ ୬ନମ୍ବର ପ୍ଲାଟଫର୍ମ ନିକଟ ଲଜରେ ଅଟୋମେଟିକ ଟିକେଟ ଭେଣ୍ଡିଂ ମେସିନ୍ ଚଳାଉଥିବା ଭେଣଅଡର ଟି.ବି ରାଓଙ୍କୁ ହତ୍ୟା।

୨୦୧୯ ନଭେମ୍ବର ୨୯ ନୟାପଲ୍ଲୀ ଅଞ୍ଚଳର ଏକ ଲଜ୍‌ରେ ଥିବା ଜଣେ ମହିଳାଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଦୁଇ ହୋଟେଲ କର୍ମଚାରୀଙ୍କୁ ଗିରଫ କରିଥିଲା ପୋଲିସ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଶ୍ରୀନଗରରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ 🔴 ଆଜିଠୁ ବିଜେପିର ‘ତ୍ରିରଙ୍ଗା ଯାତ୍ରା’ 🔴 ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ଶୁଣାଣି 🔴 ସିଜୁଛି ଓଡ଼ିଶା, କଲବଲ ହେଉଛନ୍ତି ଲୋକେ 🔴 ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ 🔴 ଆଜି କେନ୍ଦ୍ର କ୍ୟାବିନେଟ ବୈଠକ 🔴 ପାରାଦୀପ ଜାହାଜରେ ପାକିସ୍ତାନୀ କ୍ରିଉ ମେମ୍ବର! 🔴 ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି… 🔴 ଦାଉଦ, ହାଫିଜ, ମସୁଦ…କାମ୍ ତମାମ କେବେ? 🔴 ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଶ୍ରୀନଗରରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିପାତ 🔴 ଆଜିଠୁ ବିଜେପିର ‘ତ୍ରିରଙ୍ଗା ଯାତ୍ରା’ 🔴 ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ଶୁଣାଣି 🔴 ସିଜୁଛି ଓଡ଼ିଶା, କଲବଲ ହେଉଛନ୍ତି ଲୋକେ