Before Header

ଶ୍ରୀକ୍ଷେତ୍ର ଲାଗି ବଡ଼ ପଦକ୍ଷେପ

0 67

ପୁରୀ, (ବଡ଼ ଖବର ବ୍ୟୁରୋ): ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟର ସହର ଭାବେ ଗଢ଼ିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ ପ୍ରଭାବିତ ୪ଟି ମୌଜାରେ ଜନଶୁଣାଣି କରାଯାଇଛି। ଶ୍ରୀସେତୁ ପ୍ରକଳ୍ପ ପାଇଁ ପୁରୀ ତହସିଲର ୪ ମୌଜାର ମୋଟ ୩୭ ଏକର ୯୮୪ ଡିସିମିଲ ଜମି ଅଧିଗ୍ରହଣ କରାଯିବ। ଏହା ମଧ୍ୟରେ ସର୍ଭେ ଓ ମାପଚୁପ କାମ ସରି ପ୍ରାୟ ୯୦ପ୍ରତିଶତ ଜମି ଅଧିଗ୍ରହଣ ହୋଇଛି। ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଛି। ଆଜି ସମଙ୍ଗ ପଞ୍ଚାୟତ କାର୍ୟ୍ୟାଳୟ, ମାର୍କଣ୍ଡେଶ୍ୱର ସାହି, ବିଶ୍ୱେଶ୍ୱରୀ ଠାକୁରାଣୀ ମନ୍ଦିର, ମାଟିତୋଟା କୋଠଘର ଓ ଦାଣ୍ଡିମାଳ ମୌଜା ପାଇଁ ଜଗନ୍ନାଥବଲ୍ଲଭ ମଠ ପରିସରରେ ପର୍ୟ୍ୟାୟ କ୍ରମେ ଜନଶୁଣାଣି ହୋଇଥିଲା। ବିସ୍ଥାପିତ ହେବାକୁ ଥିବା ଲୋକେ ଜନଶୁଣାଣିରେ ନିଜ ଅଭିଯୋଗ, ପ୍ରସ୍ତାବ ଓ କ୍ଷତିପୂରଣ ସମ୍ପର୍କରେ ମତ ରଖିଥିଲେ।

ଶ୍ରୀସେତୁ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଅବଢ଼ା ଯୋଜନାରେ ୧୯୦କୋଟି ଟଙ୍କା ଆର୍ଥିକ ଅନୁଦାନ ଦେଇଛନ୍ତି। ସାମାଜିକ ସର୍ବେକ୍ଷଣ ସହ ଜମି ମାପଚୁପ ସରିଛି। ଏହି ପ୍ରକଳ୍ପ ପାଇଁ ପୁରୀ ତହସିଲ ଅନ୍ତର୍ଗତ ୪ ମୌଜାର ୩୭ ଏକର ୯୮୪ ଡିସିମିଲ ପରିସୀମା ପାଇଁ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ୱାରା ଜମି ଅଧିଗ୍ରହଣ କରାଯାଉଛି। ସମୁଦାୟ ବେସରକାରୀ ୩୪ ଏକର ୨୪୬ ଡିସିମିଲ ଓ ସରକାରୀ ୩ ଏକର ୭୩୮ ଡିସିମିଲ ଜମି ଅଧିଗ୍ରହଣ ହେବ। ଆଜି ଜନଶୁଣାଣିରେ ଜମି ଓ ପ୍ଲଟ ହରାଉଥିବା ବ୍ୟକ୍ତି ନିଜ ନିଜ ସମସ୍ୟା ଜଣାଇଥିଲେ। ସମଙ୍ଗ ମୌଜାରେ ସରକାରୀ, ଜଗନ୍ନାଥଙ୍କ ଅଧୀନରେ ଥିବା ଜମି, ବେସରକାରୀ, ମଠ ଅଧୀନରେ ଥିବା ଜମିକୁ ମିଶାଇ ମୋଟ ୫୦, ମାଟିତୋଟା ମୌଜାରେ ୪୪, ମାର୍କଣ୍ଡେଶ୍ୱର ସାହି ମୌଜାରେ ୩୬ ଓ ଦାଣ୍ଡିମାଳ ସାହି ମୌଜାରେ ୧୬ଟି ପ୍ଲଟ ମିଶାଇ ମୋଟ ୧୪୬ଟି ପ୍ଲଟ ଜମି ଅଧିଗ୍ରହଣ ହେବ। ସମୁଦାୟ ଅଧିଗୃହୀତ ହେବାକୁ ଥିବା ୩୭ଏକର ୯୮୪ ଡିସିମିଲ ଜମି ମଧ୍ୟରୁ ପାଖାପାଖି ୯୦ ପ୍ରତିଶତ ଜମି ଅଧିଗ୍ରହଣ ସରିଛି।

ଜନଶୁଣାଣିରେ ସମସ୍ତେ ଶ୍ରୀସେତୁ ପ୍ରକଳ୍ପକୁ ସ୍ୱାଗତ କରିଛନ୍ତି। ଉପଯୁକ୍ତ କ୍ଷତିପୂରଣ, ଜମି ଅଧିଗ୍ରହଣରେ ସ୍ୱଚ୍ଛତା, ଥଇଥାନ ଓ ପୁନର୍ବାସ ଆଇନ ୨୦୧୩ ଅନୁଯାୟୀ ପ୍ରକଳ୍ପ କାର୍ୟ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପ ଦ୍ୱାରା ଶ୍ରଦ୍ଧାଳୁମାନେ ଆଉ ଗାଡ଼ି ଧରି ସହର ଭିତରକୁ ପ୍ରବେଶ କରିବେ ନାହିଁ। ମାଳତୀପାଟପୁରରୁ ଶ୍ରୀଜଗନ୍ନାଥବଲ୍ଲଭ ମଠକୁ ସଂଯୋଗ କରୁଥିବା ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ ଦେଇ ପର୍ୟ୍ୟଟକ ଓ ଶ୍ରଦ୍ଧାଳୁ ସିଧାସଳଖ ମଙ୍ଗଳାଘାଟ ଛକରୁ ଜଗନ୍ନାଥ ବଲ୍ଲଭରେ ପହଞ୍ଚିବେ । ପୁରୀ ଶ୍ରୀସେତୁ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। ଅଧିଗ୍ରହଣ ହୋଇଥିବା ସରକାରୀ, ମଠ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଧୀନରେ ଥିବା ଜମିରେ ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଛି। ଜନଶୁଣାଣି ପରେ ଅବଶିଷ୍ଟ ପ୍ରାୟ ୪ ଏକର ଜମି ଖୁବଶୀଘ୍ର ଅଧିଗ୍ରହଣ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.