Before Header

ପୂର୍ବରୁ ୧୬ ସାଂସଦ ହୋଇଥିଲେ ବିଦା

0 917

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସାଂସଦ ପଦରୁ ବହିଷ୍କୃତ ହୋଇଛନ୍ତି ଟିଏମସି ସାଂସଦ ମହୁଆ ମୌଇତ୍ର । କ୍ୟାସ ଫର କୁ୍ୟରି ମାମଲାରେ ଏଥିକ୍ସ କମିଟି ରିପୋର୍ଟ ଦେବା ପରେ ତାଙ୍କ ସଦସ୍ୟତା ପଦ ରଦ୍ଦ କରାଯାଇଛି । ତାଙ୍କୁ ଶୁକ୍ରାବାର ସାଂସଦ ପଦରୁ ବହିଷ୍କୃତ କରାଯାଇଛି । ସାଂସଦ ବହିଷ୍କୃତ ହେବା କିଛି ନୂଆ ଘଟଣା ନୁହେଁ । ଆଗରୁ ମଧ୍ୟ ଏହି ଘଟଣା ଘଟିଛି । ମହୁଆଙ୍କ ପୂର୍ବରୁ ବହିଷ୍କୃତ ହୋଇଛନ୍ତି ୧୬ ସାଂସଦ । ତାଲିକାରେ ସାମିଲ ହୋଇଛନ୍ତି ଇନ୍ଦିରା ଗାନ୍ଧୀ, ସୁବ୍ରମଣ୍ୟମ ସ୍ୱାମୀ, ବିଜୟ ମାଲ୍ୟା ପ୍ରମୁଖ । କଂଗ୍ରେସ ସାଂସଦ ଏଚଜି ମୁଦଗଲ ଏହି ତାଲିକାରେ ଶୀର୍ଷରେ ଅଛନ୍ତି । ସଂସଦରେ ଲାଭ ପହଞ୍ଚାଇବା ଉଦେ୍ଦଶ୍ୟରେ ଜଣେ ବ୍ୟବସାୟୀ ସଙ୍ଘ ନିକଟରୁ ଟଙ୍କା ଗ୍ରହଣ ଅଭିଯୋଗ ଆସିବା ପରେ ୧୯୫୧ରେ ସେ ଇସ୍ତଫା ଦେବାକୁ ବାଧ୍ୟହୋଇଥିଲେ । ସଂସଦରୁ ବହିଷ୍କୃତି ହେବା ସେ ପ୍ରଥମ ସାଂସଦ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ୧୯୭୮ରେ ସଂସଦରୁ ବହିଷ୍କାର କରାଯାଇଥିଲା ।

ଡିସେମ୍ବର ୧୪, ୧୯୭୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ପକ୍ଷରୁ ଏ ସଂପର୍କରେ ଏକ ପ୍ରସ୍ତାବ ଆଗତ କରାଯାଇଥିଲା। ଭୋଟ୍ ସମୟରେ ୨୭୯ ଜଣ ସାଂସଦ ସେହି ପ୍ରସ୍ତାବ ସପକ୍ଷରେ ମତଦାନ କରିଥିଲେ। ୧୯୭୬ ମସିହାରେ ସୁବ୍ରମଣ୍ୟମ ସ୍ବାମୀ ରାଜ୍ୟସଭାରୁ ବହିଷ୍କୃତ ହୋଇଥିଲେ। ସେତେବେଳେ ସେ ଜନସଂଘର ନେତା ଥିଲେ। ଜରୁରିକାଳୀନ ସ୍ଥିତି ସମୟରେ ତାଙ୍କର ଅପମାନଜନକ ଆଚରଣ ଯୋଗୁ ତାଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଥିଲା। ୨୦୦୫ରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ଅଭିଯୋଗରେ ୧୦ ଜଣ ସାଂସଦ ଲୋକସଭାରୁ ବହିଷ୍କୃତ ହୋଇଥିଲେ। ସେମାନଙ୍କ ମଧ୍ୟରେ ବିଜେପିର ଆନ୍ନାସାହେବ ଏମ୍ କେ ପାଟିଲ, ୱାଇ ଜି ମହାଜନ, ସୁରେଶ ଚଣ୍ଡେଲ, ପ୍ରଦୀପ ଗାନ୍ଧି ଏବଂ ଚନ୍ଦ୍ରପ୍ରତାପ ସିଂହ ସାମିଲ ଥିଲେ। ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ନରେନ୍ଦ୍ର କୁମାର କୁୱହା, ଲାଲ ଚନ୍ଦ୍ର କୋଲ ଏବଂ ରାଜାରାମ ପାଲ ବହିଷ୍କୃତ ହୋଇଥିଲେ।

ଆର୍‌ଜେଡିର ମନୋଜ କୁମାର ଏବଂ କଂଗ୍ରେସର ରାମସେବକ ସିଂହଙ୍କୁ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନର ଶୀକାର ହେବାକୁ ପଡିଥିଲା । ୨୦୦୫ର ପ୍ରଶ୍ନ ପାଇଁ ଟଙ୍କା ନେବା ଦୁର୍ନୀତିରେ ସାମିଲ ଥିବା ଅଭିଯୋଗରେ ଛତ୍ରପାଲ ସିଂହ ଲୋଧାଙ୍କୁ ଏଥିକ୍ସ କମିଟିର ସୁପାରିସ ଆଧାରରେ ରାଜ୍ୟସଭାରୁ ବହିଷ୍କାର କରାଯାଇଥିଲା। ବ୍ୟବସାୟୀ ବିଜୟ ମାଲ୍ୟା ପୂର୍ବରୁ ରାଜ୍ୟସଭାରୁ ବହିଷ୍କୃତ ହୋଇଛନ୍ତି। ତାଙ୍କ ବିରୋଧରେ ଥିବା ୯୪୦୦ କୋଟିରୁ ଅଧିକ ଟଙ୍କାର ଋଣ ଖିଲାପି ଅଭିଯୋଗର ତଦନ୍ତ କରୁଥିବା ସଂସଦୀୟ ପ୍ୟାନେଲର ସୁପାରିସ ପରେ କର୍ଣ୍ଣାଟକର ସ୍ବାଧୀନ ସାଂସଦ ମାଲ୍ୟାଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଲୋକସଭାରୁ ବହିଷ୍କୃତ ହୋଇଥିଲେ। ମୋଦି ସାଙ୍ଗିଆଧାରୀ ମାମଲାରେ ସୁରଟର ଏକ ଟ୍ରାଏଲ କୋର୍ଟ ତାଙ୍କୁ ଚଳିତବର୍ଷ ମାର୍ଚ୍ଚ ମାସରେ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡ ବି ଦେଇଥିଲେ। ତାର ଦିନକ ପରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା।

Leave A Reply

Your email address will not be published.