Before Header

ପୁଣି ଚର୍ଚ୍ଚାରେ ପୁରୀର ଏମାର ମଠ: ମିଳିବ କି ସୁନାରୂପା?

0 46

ପୁରୀ(ବଡ଼ ଖବର ବ୍ୟୁରୋ): ପୁଣି ଚର୍ଚ୍ଚାରେ ପୁରୀର ପୁରାତନ ଓ ବିତ୍ତଶାଳୀ ଏମାର ମଠ। ମଠରେ ଗୁପ୍ତଧନ ରହିଥିବା ଆଶଙ୍କା କରିଛି ମଠ ପରିଚାଳନା ଟ୍ରଷ୍ଟ। ମେଟାଲ ଡିଟେକ୍ଟର ଟିମ୍ ଦ୍ୱାରା ମଠ ଯାଞ୍ଚ ପରେ ପାଠଶାଳା ଓ ବାଟଅଗଣାରେ ଚାରୋଟି ସ୍ଥାନକୁ ଗୋଲାକାର ଚିହ୍ନ ଦିଆଯାଇଛି। ପରବର୍ତ୍ତୀ ପର୍ୟ୍ୟାୟରେ ଦେବୋତ୍ତର କମିଶନରଙ୍କ ଅଧ୍ୟକ୍ଷତାରେ ଟ୍ରଷ୍ଟବୋର୍ଡ ବୈଠକ ପରେ ଖନନ ନେଇ ନିସ୍ପତ୍ତି କରାଯିବ। ସେପଟେ ଆବଶ୍ୟକ ପଡିଲେ ଉଚ୍ଚକ୍ଷମତା ସମ୍ପର୍ଣ୍ଣ ମେଟାଲଡିଟେକ୍ଟର ଦ୍ୱାରା ଯାଞ୍ଚ କରାଯାଇପାରେ ବୋଲି କହିଛନ୍ତି ଟ୍ରଷ୍ଟ ଅଧ୍ୟକ୍ଷ। ଆଜି ଦେବୋତ୍ତର ବିଭାଗ, ପୋଲିସ, ପ୍ରଶାସନିକ ଅଧିକାରୀ ଓ ଟ୍ରଷ୍ଟ ବୋର୍ଡ଼ ସଦସ୍ୟଙ୍କ ଉପସ୍ଥିତିରେ ମେଟାଲ ଡିଟେକ୍ଟର ଦ୍ୱାରା ରାଜ୍ୟ ପ୍ରତ୍ନତାତ୍ତ୍ୱିକ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ।

୨୦୧୧ ମସିହାରେ ମଠର ଗୁପ୍ତ ସୁଡଙ୍ଗରୁ ପୁଲିସ ଜବତ କରିଥିଲା ୫୨୨ ଖଣ୍ଡ ରୂପାଇଟା। ପୁଣି ୨୦୨୧ ଏପ୍ରିଲ ମାସ ୧୧ତାରିଖରେ ଗଣତି ସମୟରେ ମିଳିଥିଲା ଏକ ଗୁପ୍ତ ଘର ଚଟାଣ ତଳୁ ୪୫ଖଣ୍ଡ ରୂପାଇଟା। ତେଣୁ ଏହି ବିତ୍ତଶାଳୀ ଏମାର ମଠରେ ଲୁକାୟିତ ଅବସ୍ଥାରେ ଆହୁରି ଗୁପ୍ତଧନ ରହିଥିବା ସନ୍ଦେହ କରିଥିଲା ନୂତନ ଟ୍ରଷ୍ଟ। ଆଉ ସେନେଇ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅନୁମୋଦନ କ୍ରମେ ମଠର କରାଯାଇଛି ମେଟାଲଡିଟେକ୍ଟର ଯାଞ୍ଚ। ମଠର ପାଠଶାଳା, ବାଟଅଗଣା, ଅନେକ ଗୁପ୍ତ କୋଠରୀକୁ ୪ଜଣିଆ ଟିମ୍ ଯାଞ୍ଚ କରିଥିଲେ। ତେବେ ମେଟାଲ ଡିଟେକ୍ଟର ଟିମ୍ ଦ୍ୱାରା ମଠ ଯାଞ୍ଚ ପରେ ପାଠଶାଳା ଓ ବାଟଅଗଣାରେ ଚାରୋଟି ସ୍ଥାନକୁ ଗୋଲାକାର ଚିହ୍ନ ଦିଆଯାଇଛି। ଏହି ଚିହ୍ନ ଦିଆଯାଇଥିବା ସ୍ଥାନରେ କିଛି ଧାତବ ଦ୍ରବ୍ୟ ରହିଥିବା ମେଟାଲଡିଟେକ୍ଟର ଟିମ୍ ସୂଚନା ଦେଇଛି। ଅନ୍ୟପଟେ ଏହି ମେସିନ ଗୁଡିକ ଦୁଇଫୁଟ ତଳର ଜିନିଷ ଚିହ୍ନଟ କରିପାରୁଥିବା ବେଳେ ଆହୁରି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ମେସିନ ଦ୍ୱାରା ଯାଞ୍ଚ କଲେ ମଠର ଗୁପ୍ତଧନ ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି କହିଛନ୍ତି ଟ୍ରଷ୍ଟ ସଦସ୍ୟ।

ସେପଟେ ମେଟାଲଡିଟେକ୍ଟର ଦ୍ୱାରା ଚିହ୍ନଟ ହୋଇଥିବା ଗୋଲାକାର ସ୍ଥାନକୁ ଖନନ ନେଇ ଦେବୋତ୍ତର ବିଭାଗ କମିଶନରଙ୍କୁ ଟ୍ରଷ୍ଟ ଚିଠି ଲେଖିବ। କମିଶନରଙ୍କ ଠାରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ ଆଗାମୀ କାର୍ୟ୍ୟ ପନ୍ଥା ଗ୍ରହଣ କରାଯିବ। ଅନ୍ୟପଟେ ଦେବୋତ୍ତର କମିଶନରଙ୍କ ଅଧ୍ୟକ୍ଷତାରେ ଟ୍ରଷ୍ଟବୋର୍ଡର ବୈଠକ ପରେ କିଭଳି ଖନନ କରାଯିବ ଓ ଆଗକୁ କି ପଦକ୍ଷେପ ନିଆଯିବ ସେନେଇ ଚୁଡାନ୍ତ ନିସ୍ପତ୍ତି ଗ୍ରହଣ କରିବ ଟ୍ରଷ୍ଟ। ସେପଟେ ଟ୍ରଷ୍ଟ ପକ୍ଷରୁ ଚିଠି ଅନୁସାରେ ଆଜି ଯାଞ୍ଚ ପ୍ରକ୍ରିୟା କରାଯାଇଛି। ଓ ଆଗକୁ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଦିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।

ପ୍ରଥମେ ରୂପାଇଟା, ତାପରେ ଅଳଙ୍କାର ଓ ମଠର ସମ୍ପତ୍ତି ଇନଭେଣ୍ଟ୍ରୀ କରାଯାଇଥିବା ବେଳେ ଏବେ ମଠରେ ରହିଛି ଅନେକ ଗୁପ୍ତଧନ। ଯାହାର ଉନ୍ମୋଚନ ପାଇଁ ଆରମ୍ଭ ହୋଇଛି ଯାଞ୍ଚ ପ୍ରକ୍ରିୟା। ତାହାକୁ ନେଇ ସମସ୍ତଙ୍କ ଦେଖାଦେଇଛି ଉତ୍କଣ୍ଠା।

Leave A Reply

Your email address will not be published.