Before Header

ଚିରା ପଲିଥିନ ତଳେ ବୃଦ୍ଧଙ୍କ ଜୀବନ

0 48

ବଙ୍ଗୋମୁଣ୍ଡା, (ବଡ଼ ଖବର ବ୍ୟୁରୋ): ସରକାର ଲୋକଙ୍କ ପାଇଁ ବିଭିନ୍ନ ଯୋଜନାରେ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଯୋଜନାର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ସରକାର ସମସ୍ତ କଚ୍ଚା ଘରକୁ ପକ୍କା କରିବାର ସ୍ଲୋଗାନ ଦେଉଥିବା ବେଳେ ବର୍ଷ ବର୍ଷ ଧରି ବୃଦ୍ଧ ଜଣକ ଧରି ଚିରା ପଲିଥିନ ତଳେ ଅତି ଦୟନୀୟ ଅବସ୍ଥାରେ ରହୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ନ ପଡିବା ଅତ୍ୟନ୍ତ ପରିତାପର ବିଷୟ ।

ଦାଦନ ପ୍ରବଣ ବଙ୍ଗୋମୁଣ୍ଡା ବ୍ଲକର ଅଲଣ୍ଡା ପଞ୍ଚାୟତର ବକାଗୁରା ଗ୍ରାମର ଦଳିତ ବୃଦ୍ଧା କୃଷ୍ଣ ମହାନନ୍ଦ । ବୟସ ୭୦ । ଗତ ୧୨ ବର୍ଷରୁ ଉର୍ଦ୍ଧ୍ୱ ହେବ ଘର ଖଣ୍ଡିଏ ନ ଥିବାରୁ ଚିରା ପଲିଥିନ ତଳେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତୁଛି । ବର୍ଷା ହେଉ କି ଶୀତ ଚିରା ପଲିଥିନ ହିଁ ତାଙ୍କର ଏକ ମାତ୍ର ସାହାରା । ସେଠାରେ ସେ ବର୍ଷ ବର୍ଷ ଧରି ରହିଆସୁଛନ୍ତି । ପରିବାର କହିଲେ ସେ ଜଣେ ସ୍ତ୍ରୀ ସେ ମଧ୍ୟ ୧୨/୧୪ ବର୍ଷରୁ ଆରପାରିକୁ ଚାଲିଗଲେଣି । ପୁଅ ଝିଅ ମଧ୍ୟ କେହି ନାହାନ୍ତି । ଏକା ଏକା ଅସହାୟ ଅବସ୍ଥାରେ ବାଟ ଚାଲିଛନ୍ତି । ବର୍ଷାରେ ମାଟି କୁଡିଆ ଘର ଭାଙ୍ଗିଗଲା । ଘର ଭାଙ୍ଗିଯିବା ପରେ ୧୨ ବର୍ଷରୁ ଅଧିକ ହେବ ପଲିଥିନ ଢାଙ୍କି ରହୁଛନ୍ତି କୃଷ୍ଣ। ଖରା ବର୍ଷାରୁ ଟିକେ ରକ୍ଷା ପାଇବା ପାଇଁ ଉପରେ ଚିରା ଫଟା ପଲିଥିନ ଢାଙ୍କି ରହୁଛନ୍ତି । ବର୍ଷା ହେଲେ ନାହଁ ନଥିବା ସମସ୍ୟାରେ ସମ୍ମୁଖିନ ହୁଅନ୍ତି କୃଷ୍ଣ।

ଘର ଭାଙ୍ଗିଯିବା ପରେ ଘର ଖଣ୍ଡିଏ ପାଇଁ ବର୍ଷ ବର୍ଷ ଧରି ପଞ୍ଚାୟତ, ବ୍ଲକ ପ୍ରଶାସନଠାରେ ଗୁହାରୀ କରିଛନ୍ତି । ତଥାପି କେହି ତାଙ୍କ କଥା ଶୁଣି ନାହାନ୍ତି । ଗତ ବର୍ଷରୁ ଭତ୍ତା ପାଉଥିବାବେଳେ ରାସନ କାର୍ଡ ଖଣ୍ଡିଏ ମିଳିଛି । ସେଥିରେ ହିଁ ସେ ଚଳିଯାଉଛନ୍ତି । ବାରମ୍ବାର ଗୁହାରୀ କରି ନୟାନ୍ତ ହୋଇଯିବା ପରେ ଘର ଖଣ୍ଡିଏ ମିଳିବା ଆଶା ମଧ୍ୟ ଛାଡିଦେଇଛନ୍ତି । ଅତି ଦୟନୀୟ ଅବସ୍ଥାରେ ରହୁଥିବା ବୃଦ୍ଧ ଜଣଙ୍କୁ ଘର ଖଣ୍ଡିଏ ଯୋଗାଇଦେବା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଏ ସଂପର୍କରେ ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ସୁନାଙ୍କୁ ଦୃଷ୍ଟି ଆକର୍ଷଣ କରିବାରୁ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବି ବୋଲି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.