Before Header

ଇତିହାସ ରଚିଲେ କୋହଲି

0 129

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଆଇପିଏଲ ତ୍ରୟୋଦଶ ସିଜନର ୧୯ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୫୯ ରନରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି । ପରାଜୟ ସତ୍ତ୍ୱେ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ନାମରେ ଯୋଡ଼ି ହୋଇଛି ଦୁଇଟି ବଡ଼ ରେକର୍ଡ । ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟି-୨୦ କ୍ରିକେଟରେ କୋହଲି ୯ହଜାର ରନ ପୂରଣ କରିଛନ୍ତି ।

ଟି-୨୦ କ୍ରିକେଟରେ କୋହଲି ସପ୍ତମ ବ୍ୟାଟ୍ସମ୍ୟାନ୍ ଭାବେ ୯ହଜାର ରନର ମାଇଲଖୁଣ୍ଟ ଛୁଇଁଛନ୍ତି । ସେ ନିଜର ୨୭୧ତମ ମ୍ୟାଚରେ ଏହି ଉପଲବ୍ଧି ଅର୍ଜନ କରିଛନ୍ତି । ଏହି ମ୍ୟାଚ୍ ପୂର୍ବରୁ କୋହଲି ୨୭୦ ମ୍ୟାଚରେ ୪୧.୦୫ ହାରରେ ୮୯୯୦ ରନ୍ କରିଥିଲେ, ଯେଉଁଥିରେ ୧୩୪ ଷ୍ଟ୍ରାଇକ ରେଟରେ ୫ଶତକ ଓ ୬୫ଅର୍ଦ୍ଧଶତକ ସାମିଲ ଥିଲା ।

ଟି-୨୦ କ୍ରିକେଟରେ ସର୍ବାଧିକ ରନର ରେକର୍ଡ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କ ନାମରେ ରହିଛି। ଗେଲ୍ ସର୍ବାଧିକ ୧୩,୨୯୬ ରନ୍ କରିଥିବା ବେଳେ ତାଙ୍କ ପଛକୁ କାଇରନ୍ ପୋଲାର୍ଡ (୧୦,୩୭୦ ରନ୍), ପାକିସ୍ତାନର ସୋଏବ ମଲ୍ଲିକ୍ (୯,୯୨୬ ରନ୍), ନ୍ୟୁଜଲ୍ୟାଣ୍ତର ବ୍ରେଣ୍ଡନ୍ ମ୍ୟାକକୁଲମ୍ (୯,୯୨୨ ରନ୍), ଡେଭିଡ୍ ୱାର୍ଣ୍ଣର୍ (୯,୪୫୧ ରନ୍) ଓ ଆରୋନ୍ ଫିଞ୍ଚ୍ (୯,୧୪୮ ରନ୍) ଅଛନ୍ତି ।

ଆଉ ଏକ ବଡ଼ ରେକର୍ଡର ମଧ୍ୟ ଅଧିକାରୀ ହୋଇଛନ୍ତି କୋହଲି । ସେ ଆରସିବି ପକ୍ଷରୁ ୧୯୭ତମ ମ୍ୟାଚ୍ ଖେଳିଛନ୍ତି, ଯାହା କୌଣସି ଏକ ଟିମ୍ ପକ୍ଷରୁ ସର୍ବାଧିକ ଟି-୨୦ ମ୍ୟାଚ୍ । ଏଥିସହ କୋହଲି ଜେମ୍ସ ହିଲଡ୍ରେଥଙ୍କୁ ପଛରେ ପକାଇଛନ୍ତି, ଯିଏ ସମରସେଟ୍‌ ପକ୍ଷରୁ ୧୯୬ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଇଂଲଣ୍ଡର ସମିତ୍ ପଟେଲ୍ ନର୍ଥ ଆମ୍ପଟମ ଶିୟର ପକ୍ଷରୁ ୧୯୧ ମ୍ୟାଚ୍, ମହେନ୍ଦ୍ର ସିଂ ଧୋନି ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ୧୮୯ ମ୍ୟାଚ୍ ଏବଂ ସୁରେଶ ରାଇନା ମଧ୍ୟ ସିଏସକେ ପକ୍ଷରୁ ୧୮୮ ମ୍ୟାଚ୍ ଖେଳି ତାଲିକାର ଟପ୍-୫ରେ ଅଛନ୍ତି ।

Leave A Reply

Your email address will not be published.