ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁସାରେ, ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ତାରିଖ ରାତିରୁ ୨୪ ତାରିଖ ସକାଳ ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। IMD ଡିଜିଙ୍କ ସୂଚନା ଅନୁସାରେ, ଆଜି ସନ୍ଧ୍ୟାରୁ ରାତି ମଧ୍ୟରେ ଅବପାତଟି ଗଭୀର ଅବପାତରେ ପରିଣତ ହୋଇପାରେ। ଉପକୂଳ ନିକଟତର ହେବା ସମୟରେ ଏହାର ଗତି କମିବାର ସମ୍ଭାବନା ଥିବାରୁ ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଅଧିକ ସମୟ ଧରି ବର୍ଷା ହୋଇପାରେ।
ବିଶେଷକରି ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଓଗଊର ୨୨ ସେପ୍ଟେମ୍ବର ଚେତାବନୀରେ ୨୩ ଓ ୨୪ ତାରିଖ ପାଇଁ ଓଡ଼ିଶାରେ ‘‘Extremely Heavy Rain’’ ସତର୍କତା ଦିଆଯାଇଛି।୨୪ ତାରିଖ ବେଳକୁ ଉପକୂଳ ଅଞ୍ଚଳରେ ବର୍ଷାର ପ୍ରକୋପ କମିପାରେ। ତେବେ ଏହା କ୍ରମଶଃ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଛତିଶଗଡ଼ ଆଡ଼କୁ ଯିବା ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ।ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ପ୍ରାୟ ୫୫ରୁ ୬୫ କିମି ପ୍ରତି ଘଣ୍ଟା ରହିପାରେ। ଫଳରେ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ମାଟି ଅତଡ଼ା ଖସିବାର ଆଶଙ୍କା ରହିଛି। ଛୋଟ ଗଛ ଓ ଡାଳ ଭାଙ୍ଗିବା ସହ ଧାନ ଓ ଅନ୍ୟାନ୍ୟ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ମଧ୍ୟ ରହିଛି।
୨ ଦିନ ସ୍କୁଲ୍ ବନ୍ଦ
ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାରେ ୨୩ ଓ ୨୪ ତାରିଖରେ ସମସ୍ତ ସ୍କୁଲ୍ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ତେବେ ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ସ୍କୁଲ୍ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାୟଗଡ଼ା ଜିଲ୍ଲାରେ ମଧ୍ୟ ୨୩ ଓ ୨୪ ତାରିଖ ଦୁଇ ଦିନ ସ୍କୁଲ୍ ବନ୍ଦ ଘୋଷଣା କରାଯାଇଛି। ପ୍ରବଳ ବର୍ଷା ଓ ସମ୍ଭାବ୍ୟ ପ୍ରାକୃତିକ ବିପଦକୁ ଦୃଷ୍ଟିରେ ରଖି DEOଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
