ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୫ ଦଫା ଦାବି ନେଇ ଗୁଡାରି ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଗୁଡାରି ସହରବାସୀଙ୍କ ପକ୍ଷରୁ ଏହି ବନ୍ଦ ଡାକ ଦିଆଯାଇଥିଲା। ବନ୍ଦର ପ୍ରଭାବରେ ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବା ସହ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଗୁଡାରି ସହରର ପ୍ରବେଶ ପଥରେ ଥିବା ବଂଶଧାରା ବିଜୁ ସେତୁଠାରୁ ଶିରିଗୁଡା ଛକ ପର୍ୟ୍ୟନ୍ତ ରାସ୍ତା ନିର୍ମାଣ ଦାବି ଦୀର୍ଘଦିନ ଧରି ହୋଇଆସୁଛି। ଏଥିସହ ଗୁଡାରିରୁ ଭୁବନେଶ୍ୱର ଓ କଟକ ପର୍ୟ୍ୟନ୍ତ ଓଏସ୍ଆର୍ଟିସି ବସ୍ ଚଳାଚଳ କରିବାକୁ ମଧ୍ୟ ସହରବାସୀ ଦାବି କରିଛନ୍ତି।
ସେହିପରି ଗୁଡାରିଠାରୁ ବିଷମ କଟକ ପର୍ୟ୍ୟନ୍ତ ଦୁଇଥାକିଆ ରାସ୍ତା ନିର୍ମାଣ, ଗୁଡାରିକୁ ବ୍ରହ୍ମପୁର-ଜୟପୁର ଏକ୍ସପ୍ରେସ୍ ୱେ ଏବଂ ପାରଳାଖେମୁଣ୍ଡି-ଆମ୍ବାଭୋନା ୱେ ସହ ସଂଯୋଗ କରିବା ଭଳି ଦାବି ମଧ୍ୟ ରହିଛି। ଏହାବ୍ୟତୀତ ପଦ୍ମପୁର-ଗୁଡାରି-ରାଇବିଜ ରାସ୍ତାକୁ କନ୍ଧମାଳ ଜିଲ୍ଲାର କୋଟଗଡ଼ ପର୍ୟ୍ୟନ୍ତ ସମ୍ପ୍ରସାରଣ କରିବା ସହ ଏହି ରାସ୍ତାକୁ ରାଜ୍ୟ ରାଜପଥର ମାନ୍ୟତା ପ୍ରଦାନ କରିବାକୁ ସହରବାସୀ ଦାବି କରିଛନ୍ତି।
ସହରବାସୀଙ୍କ କହିବାନୁଯାୟୀ, ଏହି ସମସ୍ୟାଗୁଡ଼ିକୁ ନେଇ ପୂର୍ବରୁ ପ୍ରଶାସନ ନିକଟରେ ଅଭିଯୋଗ ଓ ଦାବି ଜଣାଇଥିଲେ। ହେଲେ ଦାବି ପୂରଣ ନେଇ ପ୍ରଶାସନ ପକ୍ଷରୁ କୌଣସି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିନଥିବା ଅଭିଯୋଗ କରିଛନ୍ତି ସହରବାସୀ। ଫଳରେ ବାଧ୍ୟ ହୋଇ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିବା ସେମାନେ କହିଛନ୍ତି। ଏହି ବନ୍ଦ ପାଳନକୁ ଗୁଡାରି ସହରର ବିଭିନ୍ନ ରାଜନୈତିକ ଦଳ ସମେତ ବଣିକ ସଂଘ ସମର୍ଥନ ଜଣାଇଛି। ୫ ଦଫା ଦାବି ପୂରଣ ନହେବା ପର୍ୟ୍ୟନ୍ତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ କି ନାହିଁ, ତାହା ଉପରେ ଏବେ ନଜର ରହିଛି।
