Before Header

ବୈଷ୍ଣବଙ୍କ ଗୋଟିଏ ଟ୍ୱିଟ୍, ଅନେକ ସଂକେତ

0 546

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୋଟିଏ ଟ୍ୱିଟ୍, ଅନେକ ସଂକେତ । ଏହି ଟ୍ୱିଟ୍ ଅଶ୍ୱିନୀ ବୈଷ୍ଣବଙ୍କ । ଓଡିଶାରୁ ରାଜ୍ୟସଭା ଯାଇଥିବା ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବ । ଦେଶର ନୂଆ ରେଳ ମନ୍ତ୍ରୀ, ମୋଦିଙ୍କ ମନ୍ତ୍ରିମଣ୍ଡଳର ସବୁଠୁ ଚର୍ଚ୍ଚିତ ଚେହେରା ଅଶ୍ୱିନୀ ବୈଷ୍ଣବ । ପ୍ରତାପ ଷଡ଼ଙ୍ଗୀଙ୍କ ଭଳି ବିଜେପିର ମୂଳ ନେତା, କଟ୍ଟର ନେତାଙ୍କୁ ମୋଦି ବାହାର କରୁଛନ୍ତି, ଆଉ ଇନ୍ ହେଉଛନ୍ତି ଅଶ୍ୱିନୀ ବୈଷ୍ଣବ । ଖାଲି ଇନ୍ ହେଉ ନାହାନ୍ତି, ଯାହା ପାଉଛନ୍ତି, ତାହା ଆଶାଠାରୁ କେଇ ଗୁଣା ଅଧିକ । କେମିତି ବୈଷ୍ଣବ ଏତେ ପାୱାରଫୁଲ ହେଲେ ତାହାର ବିଶ୍ଳେଷଣ ତ ଗଲା ୨ ଦିନ ହେଲା ଚାଲିଛି ।

ତାଙ୍କର ରାଜନୀତିକୁ ଏଣ୍ଟ୍ରିର ସମୀକରଣ କହୁଛି, ଦୁଇ ଶତ୍ରୁ ଦଳ ବିଜେପି ଓ ବିଜେଡି ପାଇଁ ବୈଷ୍ଣବ ହେଉଛି ଆସେଟ୍ । ତେବେ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଆଉ ଗୋଟେ ଚର୍ଚ୍ଚା ଜୋର୍ ଧରିଥିଲା । ଚର୍ଚ୍ଚା ଏୟା, ଅଶ୍ୱିନୀ ଓଡ଼ିଶାରୁ ରାଜ୍ୟସଭାକୁ ଯାଇଛନ୍ତି, କିନ୍ତୁ ସେ ହେଉଛନ୍ତି ରାଜସ୍ଥାନର ଲୋକ । ତେଣୁ କେନ୍ଦ୍ର ମନ୍ତ୍ରୀ ଭାବେ ସେ ସାରା ଦେଶ ବାଦ୍ କେଉଁ ରାଜ୍ୟକୁ ବେଶି ଫୋକସ୍ କରିବେ? ଓଡ଼ିଶା ନା ରାଜସ୍ଥାନ? ଉତ୍ତର ନିଜେ ଅଶ୍ୱିନୀ ଦେଇଛନ୍ତି । ଦେଖନ୍ତୁ କ୍ୟାବେନିଟରେ ସ୍ଥାନ ପାଇବା ପରେ ଅଶ୍ୱିନୀଙ୍କ ଏହି ଟ୍ୱିଟ୍ । ଅଶ୍ୱିନୀ ଲେଖିଛନ୍ତି, ସେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି, ଓଡ଼ିଶାର ଲୋକଙ୍କ ସେବା କରିବାକୁ ।

ଆଉ ଥରେ ଦେଖି ନିଅନ୍ତୁ । ସେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି, ଓଡିଶାର ଲୋକଙ୍କ ସେବା କରିବାକୁ । ମାନେ ଏବେ କେନ୍ଦ୍ରରେ ପାୱାରଫୁଲ୍ ଥିବା ଅଶ୍ୱିନୀଙ୍କ ଫୋକସରେ ରହିବ ଓଡ଼ିଶା । ଏକଥା ସତ, ଆଜିର ସ୍ଥିତିରେ ଅଶ୍ୱିନୀ ଯେତେ ପାୱାରଫୁଲ ଥିଲେ ବି ସେ ଓଡ଼ିଶା ବିଜେପିର ଚେହେରା ନୁହନ୍ତୁ । କିନ୍ତୁ ତାଙ୍କ ରାଜନୈତିକ ଉତ୍ଥାନ ଯେଉଁ ବେଗରେ ହୋଇଛି, ଆଗକୁ କ’ଣ ହେବ ତାହା ଆଜିଠାରୁ କହିବା କଷ୍ଟକର । ମୋଦିଙ୍କ ଭରସା ଜିତିଥିବା ଅଶ୍ୱିନୀଙ୍କୁ ଆଗକୁ ଓଡ଼ିଶା ବିଜେପିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବି ମିଳିପାରେ । ଏହା ପଛରେ ଆଉ ଏକ ରଣନୀତି ବି ଥାଇପାରେ । କୁହାଯାଏ, ଓଡ଼ିଶାରେ ବିଜେଡି ଶାସନରେ ବ୍ରେନ୍ ହେଉଛନ୍ତି ବ୍ୟୁରୋକ୍ରାଟ । ଅଫିସରଙ୍କ ବୁଦ୍ଧିରେ ସରକାରୀ ଦଳ ନିଜ ପାଇଁ ଭୋଟ୍ ତିଆରି କରେ । ସଂଗଠନ ଚଲାଏ । ଆଉ ଏହି ଚାଲ୍ ସଫଳ ବି ହେଉଛି ।

ମୋଦି ହାୱା ସତ୍ବେ ଗଲା ୨ ଟର୍ମ ହେଲା ଓଡ଼ିଶାରେ ସରକାର ତ ଦୂରର କଥା, ଆଖି ଦୃଶିଆ ସିଟ୍ ବି ପାଇ ପାରୁନି ବିଜେପି । ମୋଦିଙ୍କ ବିଜୟ ରଥ ଭେଦି ପାରୁନି ନବୀନଙ୍କ ଦୁର୍ଗ । ତେଣୁ ଏହି ଦୁର୍ଗ ଭେଦିବାକୁ ନବୀନଙ୍କୁ ନବୀନଙ୍କ ଅସ୍ତ୍ରରେ ହିଁ ହରାଇବାକୁ ଯୋଜନା କରିପାରୁ ଥାନ୍ତି ମୋଦି-ଶାହା ଯୋଡି। ସେଥିପାଇଁ ବ୍ୟୁରୋକ୍ରାଟ ବ୍ରେନର ସରକାରଙ୍କୁ ଚେକ୍ ଦେବାକୁ ବିଜେପି ଆଗକୁ ଆଣୁଛି ଆଉ ଜଣେ ବ୍ୟୁରୋକ୍ରାଟ । ସେ ବ୍ୟୁରୋକ୍ରାଟ ଅପରାଜିତା ନୁହନ୍ତି ବରଂ ଅଶ୍ୱିନୀ ବୈଷ୍ଣବ ତାହା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ଅଶ୍ୱିନୀ ନୂଆ ହେଲେ ବି ରାଜନୀତିର କ୍ଷେତ୍ରରେ ପୋଖତ୍ ଖେଳାଳି ତାହା ବିଜେପି ବି ଜାଣିଛି । କାହଁକି ନା ସେ ଏମପି ହେବା ପାଇଁ ଯେମିତି ଦୁଇ ଶତ୍ରୁ ମଧ୍ୟରେ ସେତୁ ହୋଇଗଲେ, ତାହା ସମସ୍ତଙ୍କୁ ଚକିତ କରିଥିଲା ।

ଏବେ ଆସିବା ସେ ଟ୍ୱିଟ୍ ପ୍ରସଙ୍ଗକୁ । ଦିନେ ପୂର୍ବତନ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ପ୍ରଶ୍ନ କରାଯାଇଥିଲା ବାଲେଶ୍ୱର ବିଷୟରେ । ତାଙ୍କର ଉତ୍ତର ଥିଲା ସେ କେବଳ ବାଲେଶ୍ୱର ନୁହେଁ ସାରା ଭାରତର ମନ୍ତ୍ରୀ । ଏବେ ଭାରତର ମନ୍ତ୍ରୀ ଅଶ୍ୱିନୀ ଲେଖିଛନ୍ତି ତାଙ୍କ ଫୋକସରେ ରହିବ ଓଡ଼ିଶା । ସେ ଏକଥା ଓଡ଼ିଆରେ ନୁହେଁ ବରଂ ଇଂରାଜୀରେ ଟ୍ୱିଟ୍ କରିଛନ୍ତି । ଏହା ସହ ସାରାଦେଶକୁ ବି ଜଣାଇବା ଭଳି ଲାଗୁୁଛି, ରେଳ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଫୋକସରେ ଓଡ଼ିଶା ରହିବ । ତେଣୁ ଅଶ୍ୱିନୀଙ୍କ ସମୟରେ ଓଡ଼ିଶାର ରେଳ କ୍ଷେତ୍ରରେ ବିକାଶ କଥା ଆଶା କରିପାରିବା । ଏହା ଭବିଷ୍ୟତ ରାଜନୀତିର ରୋଚକତାକୁ ବି ଅପେକ୍ଷା କରିବା ।

Leave A Reply

Your email address will not be published.