ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଆଉ ଦିନ କେଇଟା ପରେ ଭାରତବାସୀ ଦେଖିବେ ଇସ୍ରୋର ଯାଦୁଗରୀ । ଆଖିରେ ଖୁସିର ଲୁହ ନେଇ ଇତିହାସ ରଚିବାକୁ ପ୍ରସ୍ତୁତ ହେଉଛି ଭାରତ । ଚନ୍ଦ୍ରଯାନ-୨ର ବିଫଳତାକୁ ହାର ନମାନି ଚନ୍ଦ୍ରଯାନ-୩ର ସଫଳତାକୁ ହାତେଇବା ପାଇଁ ଆଶା କରୁଛି ଦେଶ । ପୁଣି ଚନ୍ଦ୍ରରେ ନାଁ ଲେଖିବ ଭାରତ । ସେଦିନ କାନ୍ଦିଥିଲେ ଇସ୍ରୋ ମୁଖ୍ୟ । ବର୍ତ୍ତମାନ ଖୁସି ମନେଇବ ଭାରତ । କାରଣ ସଫଳତା ପଥେ ଆଗେଇବା ପାଇଁ ପ୍ରସ୍ତୁତ ହେଉଛି ଭାରତ । ଉଦ୍ୟମ ଚଳେଇଛି ଇସ୍ରୋ । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ଅବତରଣର ସଫଳତାକୁ ଅପେକ୍ଷା କରିଛନ୍ତି ଦେଶବାସୀ । ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦିଥିଲେ ଇସ୍ରୋର ପୂର୍ବତନ ମୁଖ୍ୟ କେ ଶିବନ । କାନ୍ଦିଥିଲେ ଛୋଟ ଛୁଆଙ୍କ ଭଳି ।

ଶାନ୍ତ୍ୱନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାରଣ ଫେଲ ହୋଇଯାଇଥିଲା ୨୦୧୯ର ମିଶନ ଚନ୍ଦ୍ରଯାନ-୨ । ବିକ୍ରମ ଲ୍ୟାଣ୍ଡର ନିଜର କଂଟ୍ରୋଲ ହରାଇ ଚନ୍ଦ୍ରପୃଷ୍ଠରେ କ୍ରାସ ଲ୍ୟାଣ୍ଡିଂ କରିଥିଲା । ଏବଂ ଭାଙ୍ଗିଯାଇଥିଲା କୋଟି କୋଟି ଭାରତୀୟଙ୍କ ଆଶା । ହେଲେ ଇସ୍ରୋର ଅଧିକାରୀମାନେ ମାନିନଥିଲେ ହାର । ଏହି ପରାଜୟରୁ ଆରମ୍ଭ ହୋଇଥିଲା ଆଉ ଏକ ବିଜୟ ଇତିହାସ ରଚିବାର ଯାତ୍ରା । ଏବଂ ଲାଗିପଡ଼ିଲେ ଚନ୍ଦ୍ରଯାନ-୩ର ପ୍ରସ୍ତୁତି । ଏହି ମିଶନ ହେଉଛି ଚନ୍ଦ୍ର ପାଇଁ ଭାରତର ତୃତୀୟ ଉଦ୍ୟମ । ମହାକାଶ ଅନୁସନ୍ଧାନରେ ୨୦୧୯ର ବିଫଳ ମିଶନକୁ ଦିଆଯାଇଛି ଗୁରୁତ୍ୱ । ଜୁଲାଇ ୧୩ରେ ଜିଏସଏଲଭି କାର୍ମ ହେଭି ଲିଫ୍ଟ ଲଂଚ ପାଇଁ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଂଟରରେ ଏହି ଉପଗ୍ରହକୁ ଲଂଚ କରାଯିବ । ୬୧୫ କୋଟି ବଜେଟରେ ତିଆରି ହୋଇଛି ଏହି ମିଶନ । ଚନ୍ଦ୍ରଯାନ-୨ ପରି ଏକ ଲ୍ୟାଣ୍ଡର ଏବଂ ରୋଭର ଅର୍ନ୍ତଭୁକ୍ତ ହେବ । କିନ୍ତୁ କକ୍ଷପଥ ବହନ କରିବ ନାହିଁ ।

ଯୋଗାଯୋଗ ରିଲେ ଉପଗ୍ରହ ପରି ଏକ ଲ୍ୟାଣ୍ଡର ମଡେଲ ଯୋଡ଼ି ହୋଇଛି । ତେବେ ଏହି ମିଶନର ଉଦେ୍ଦଶ୍ୟ ହେଉଛି ଯେ ଚନ୍ଦ୍ରପୃଷ୍ଠରେ ସେଫ ଓ ଶଫ୍ଟ ଅବତରଣ । ଚନ୍ଦ୍ରରେ ରୋଭରର ଗତିପଥ ଉପରେ ନଜର ରଖିବ । ଏହା ସହ ବୈଜ୍ଞାନିକମାନଙ୍କ ଇନ-ସିଟ ପରୀକ୍ଷଣକୁ ସାହାଯ୍ୟ କରିବା ମଧ୍ୟ ଏହି ମିଶନର ମୂଳ ଲକ୍ଷ୍ୟ । ଉପଗ୍ରହରେ ଉନ୍ନତମାନର ଜ୍ଞାନକୌଶଳ ମାଧ୍ୟରେ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଲେଜର ଓ ଆରଏଫ ଉପରେ ଆଧାରିତ ଆଲ୍ଟିମିଟର ସାମିଲ ରହିଛି । ଲେଜର ଡୋପଲର ଭେଲୋସିମିଟର ଏବଂ ଲ୍ୟାଣ୍ଡର ଭୂସମାନ୍ତର ବେଗର କ୍ୟାମେରା ଲାଗିଛି । ପାୱାରଡ୍ ଡିସେଂଟ ଟ୍ରାଜେଟୋରୀ ଡିଜାଇନ ଓ ସଫ୍ଟୱେର ଉପାଦାନଗୁଡ଼ିକୁ ମଧ୍ୟ ଏଥିରେ ଯୋଡ଼ାଯାଇଛି । ତେବେ ଯେତେବେଳେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ଚନ୍ଦ୍ରଯାନ-୩, ସେତେବେଳେ ଆଖିରେ ଖୁସିର ଲୁହକୁ ବୁହାଇଦେବା ପାଇଁ ଅପେକ୍ଷା କରି ରହିଛନ୍ତି ଭାରତବାସୀ ।

Leave a Reply

Your email address will not be published. Required fields are marked *