Before Header

ଭର୍ତ୍ତୃହରିଙ୍କ ସଂପାଦକୀୟ ବାଣ, ରାବଣର ନିଧନ ଅନିର୍ବାର୍ଯ୍ୟ

0 2,720

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦଳ ଛାଡ଼ିବା ପରେ ବିଜେଡିକୁ ଭର୍ତ୍ତୃହରିଙ୍କ ସଂପାଦକୀୟ ବାଣ। ଦୁର୍ନୀତିର ଘଡ଼ା ପୂରିଲାଣି, ଫାଟିବ କି ଭାଙ୍ଗିବ ନିଶ୍ଚୟ ଶୀର୍ଷକ ସଂପାଦକୀୟ ନିବନ୍ଧରେ ଭର୍ତ୍ତୃହରି କେଉଁ ପରିସ୍ଥିତିରେ ଏବଂ କାହିଁକି ଦଳ ଛାଡ଼ିଲେ, ବିଜେଡି ଓ ଏହାର ନେତୃତ୍ୱ ଏବେ କେଉଁ ସ୍ତରକୁ ଗଲାଣି ତାର ଉଲ୍ଲେଖ କରିଛନ୍ତି। କ୍ଷଗ୍ଧ ଲେଖିଛନ୍ତି, ଯେଉଁ ଦଳସହ ମୁଁ ଆରମ୍ଭରୁ ସମ୍ପୃକ୍ତ ଥିଲି, ଯାହାର ଅଭିବୃଦ୍ଧି ଓ ପ୍ରତିଷ୍ଠାରେ ମୋର କିଛି ଅବଦାନ ଥିଲା, ସେ ବିଜୁ ଜନତା ଦଳ ସହ ଭଗ୍ନ ହୃଦୟରେ ମୁଁ ସମ୍ପର୍କ ଛିନ୍ନ କରିଛି। ଏହା ମୋ ପାଇଁ ଏକ କଷ୍ଟକର ନିଶ୍ଚୟ ଥିଲା। ମୋର ପୁଞ୍ଜିଭୂତ ଅସନ୍ତୋଷରୁ ଏହା ଏକ ପରିପ୍ରକାଶ ବୋଲି କୁହାଯାଇପାରେ। ତେବେ ପ୍ରଶ୍ନ ଉଠିପାରେ କାହିଁକି ? ପଲିଟିକାଲ୍ ଏଫାୟର୍ସ କମିଟି ଜରିଆରେ ସବୁ କିଛି ନିର୍ଣ୍ଣୟ ନିଆଯାଉଥିଲା।

ବିବାଦ ଉପୁଜିବାରୁ ସଭାପତି ଓ ପିଏସିର ଅଧ୍ୟକ୍ଷ ଜଣେ ହେଉ ବୋଲି ନିଷ୍ପତ୍ତି ନିଆଗଲା। ହେଲେ ୨୦୦୪ ପରଠୁ ମୋ ଜାଣିବାରେ ଏହାର ଅସ୍ତିତ୍ୱ ଆଉ ଦେଖିବାକୁ ମିଳିଲା ନାହିଁ। ନିଷ୍ପତ୍ତି ଗ୍ରହଣ କରିବାର କ୍ଷମତା ଦୁଇ ଜଣଙ୍କ ପାଖରେ କେନ୍ଦ୍ରୀଭୂତ ହେଲା ବୋଲି ଲେଖିଛନ୍ତି ଭର୍ତ୍ତୃହରି। ସେହିପରି ଯେଉଁ ଉଦ୍ଦେଶ୍ୟରେ ଦଳ ଗଢ଼ା ଯାଇଥିଲା ଏବଂ ଦୁର୍ନୀତିର ଛାଇପଡ଼ିଲେ ଯେଉଁଠି ମନ୍ତ୍ରିପଦ ନିମିଷକେ ଚାଲି ଯାଉଥିଲା ସେ ଦଳ ଆଜି କେଉଁଠି ବୋଲି ପ୍ରଶ୍ନ କରିଛନ୍ତି। ଏଥିସହ ଅନ୍ୟାୟ, ଅନୀତି ଓ ଦୁର୍ନୀତି ଭିତରେ ଓଡ଼ିଶାରୂପୀ ଜନକ ନନ୍ଦିନୀ ସୀତା ଆଜି ବନ୍ଦିନୀ। ଲଙ୍କାଧିପତିର ଅଧର୍ମକୁ ନାଶ କରିବା ପାଇଁ ଧର୍ମରେ ଥିବା ଶ୍ରୀରାମ ଯେଉଁ ପଦକ୍ଷେପ ନେଇଥିଲେ, ସେ ପଦକ୍ଷେପ ନେବାର ସମୟ ଏବେ ଉପସ୍ଥିତ ବୋଲି ଉଲ୍ଲେଖ କରିବା ସହ ମାତା ସୀତାଙ୍କ ସହ ପ୍ରଭୁ ଶ୍ରୀରାମଙ୍କ ମିଳନ ନିଶ୍ଚୟ ହେବ କାରଣ ଦାନବ ରାବଣର ନିଧନ ଅନିର୍ବାଯ୍ୟ ବୋଲି ଲେଖିଛନ୍ତି ଭର୍ତ୍ତୃହରି।

ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିନାହିଁ। ଅନ୍ୟପଟେ ଦେବାଶିଷ ସାମନ୍ତରାୟଙ୍କୁ ଲୋକସଭା ଲଢ଼ିବାକୁ ସାଂସଦ ଭର୍ତ୍ତୃହରିଙ୍କ ଆହ୍ବାନ। ସଦ୍ୟ ବିଜେଡି ଛାଡ଼ିଥିବା ଭର୍ତ୍ତୃହରିଙ୍କ ପ୍ରତି ଦେବାଶିଷ ଦେଇଥିବା ମନ୍ତବ୍ୟର ପ୍ରତିକ୍ରିୟାରେ ଏହା କହିଛନ୍ତି ଭର୍ତ୍ତୃହରି। ତାଙ୍କ ଯୋଗୁଁ ଗତ ନିର୍ବାଚନରେ ସେ ହାରିଯାଇଥିଲେ ବୋଲି କହିଥିଲେ ଦେବାଶିଷ। ତେଣୁ ଆଜି କଟକରେ ହୋଲିମିଳନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଭର୍ତ୍ତୃହରି ଏହାର ଜବାବରେ କହିଛନ୍ତି, ଯଦି ସେ ଏତେ ଲୋକପ୍ରିୟ, ତେବେ ଲୋକସଭା ଲଢ଼ନ୍ତୁ। ଚୌଦ୍ୱାରରେ ତ ସୌଭିକ ଜିତିଲେ, ସେ କାହିଁକି ଏଠାରୁ ହାରିଗଲେ ବୋଲି ପ୍ରଶ୍ନ କରି ମୁଁ ତ ଆଉ ଏଥର ବିଜେଡିରୁ ପ୍ରାର୍ଥୀ ହେଉନି, ସେ ଲଢ଼ନ୍ତୁ ବୋଲି ଆହ୍ୱାନ ଦେଇଚନ୍ତି। ଏଥିସହ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ମୁଁ ଲଢ଼ିବି କି ନଲଢ଼ିବି, ଯେଉଁ ଦଳରେ ଜଏନ୍ କରିବି ତା ଉପରେ ନିର୍ଭର କରେ ବୋଲି କହିଛନ୍ତି। ସେହିପରି ପ୍ରତାପ ଜେନାଙ୍କ ମନ୍ତବ୍ୟ ଉପରେ ମଧ୍ୟ କଡ଼ା ପ୍ରତିକ୍ରିୟା ରଖି ଯିଏ ଯେଭଳି ଦେଖିବ, ତାକୁ ସେଭଳି ଦିଶିବ ବୋଲି କହିଛନ୍ତି ଭର୍ତ୍ତୃହରି। ସେ କହିଛନ୍ତି ରାମାୟଣର ଏକ ଚମତ୍କାର ଉଦାହରଣ ପ୍ରଣିଧାନଯୋଗ୍ୟ ।

ଲଙ୍କାର ରାବଣ ଦ୍ୱାରା ସୀତା ବନ୍ଦୀ, ହନୁମାନ ସେ ସନ୍ଧାନ କରି ଜଣାଇବାପରେ ପ୍ରଭୁ ଶ୍ରୀରାମ ସାଗରରେ ସେତୁବନ୍ଧ ବାନ୍ଧିବାକୁ ଉଦ୍ୟମ କରିବାରୁ ଲଙ୍କାକୁ ବେଷ୍ଟନ କରିରହିଥିବା ସାଗର ବାରମ୍ବାର ବାଧାଦେଲା। ତାକୁ ଶ୍ରୀରାମ ସ୍ତୁତି କରିବା ସତ୍ତ୍ୱେ ସାଗର ମାନିଲା ନାହିଁ । ଅନ୍ୟାୟ, ଅନୀତି, ଦୁର୍ନୀତି ଭିତରେ ଓଡ଼ିଶାରୂପୀ ଜନକନନ୍ଦିନୀ ସୀତା ଆଜି ବନ୍ଦିନୀ। ଲଙ୍କାପତିର ଅଧର୍ମକୁ ନାଶ କରିବାପାଇଁ ଧର୍ମରେ ଥିବା ଶ୍ରୀରାମଙ୍କୁ ସାଗର ବାରମ୍ବାର ବାଧା ଦେବାରୁ କ୍ରୋଧିତ ହୋଇ ସାଗରକୁ ଶୁଖାଇଦେବାକୁ ଶ୍ରୀରାମଙ୍କୁ ଧନୁ ଉଠାଇବାକୁ ପଡିଥିଲା । ସେ ସମୟ ଏବେ ଉପଗତ। ଯେଉଁ ବଳୟ ଅଧର୍ମ, ଅନୀତି, ଦୁର୍ନୀତିକୁ ପ୍ରୋତ୍ସାହିତ କରି ଚାଲିଛି, ସେ ବଳୟକୁ ପ୍ରଥମେ ନାଶ କରିବାକୁ ହେବ, ବିଶ୍ଵାସର ସେତୁବନ୍ଧ ବାନ୍ଧିବାକୁ ହେବ। ମାତା ସୀତାଙ୍କ ସହ ପ୍ରଭୁ ଶ୍ରୀରାମଙ୍କ ମିଳନ ନିଶ୍ଚୟ ହେବ କାରଣ ଦାନବ ରାବଣର ନିଧନ ଅନିର୍ବାର୍ୟ୍ୟ ।

Leave A Reply

Your email address will not be published.