cooking oil picture

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ଦରଦାମ ବୃଦ୍ଧିରେ ହନ୍ତସନ୍ତ ଖାଉଟିଙ୍କ ପାଇଁ ଆଉ ଏକ ଖୁସି ଖବର । ପ୍ରବଳ ଜନଅସନ୍ତୋଷ ପରେ ପଶିଛି ସରକାରଙ୍କ ଚେତା । ପେଟ୍ରୋଲ, ଡିଜେଲ ପରେ ଏବେ କମିବ ଖାଇବା ତେଲ ଦର । ଖାଇବା ତେଲ ଉପରୁ କୃଷି ଶୁଳ୍କ କମ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ତେଣୁ ବଢିଥିବା ଦରଦାମରେ ସାମାନ୍ୟ ରିହାତି ମିଳିବାର ସମ୍ଭାବନା ରହିଛି । ନୂଆ ନିଷ୍ପତ୍ତି ଅନୁଯାୟୀ, ପାମୋଲିନ୍, ସୋୟାବିନ ଓ ସୂର୍ଯ୍ୟମୂଖୀ ତେଳ ଉପରୁ ସେସ୍ କମିବା ନେଇ ଘୋଷଣା କରାଯାଇଛି । ପାମୋଲିନରେ କୃଷି ସେସ୍ ୨୦ ପ୍ରତିଶତରୁ ଖସି ୭.୫ ପ୍ରତିଶତକୁ କମାଇଦିଆଯାଇଛି । ସେହିଭଳି ସୂର୍ଯ୍ୟମୂଖୀ ଓ ସୋୟାବିନରେ କୃଷି ସେସ୍ ଏଣିକି ୫ ପ୍ରତିଶତ ନିଆଯିବ । ତେଣୁ ଖାଇବା ତେଲର ଦର ମଧ୍ୟ ସେହି ହିସାବରେ ହ୍ରାସ ହେବ । ଯାହା ଆଶା କରାଯାଉଛି ଏହି ନିଷ୍ପତ୍ତି ପରେ ଖାଇବା ତେଲ ଦର ଲିଟର ପିଛା ୪ରୁ ୭ ଟଙ୍କା କମିବ ।

ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର କମିବା ନେଇ ନିଷ୍ପତ୍ତି ହୋଇଛି । କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଉପରୁ ଲିଟର ପିଛା ୧୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି ଛାଡ଼ କରିବାକୁ  ନିଷ୍ପତ୍ତି ନେଇଛନ୍ତି । ଯାହା ସାରା ଦେଶରେ ଲାଗୁ ହୋଇସାରିଛି । ଏହା ପରେ ବିଭିନ୍ନ ରାଜ୍ୟ ନିଜ ନିଜ ଭାଟରୁ କିଛି ଟଙ୍କା ଛାଡ଼ କରିଥିଲେ । ଓଡ଼ିଶା ସରକାର ଉଭୟ ପେଟ୍ରୋଲ, ଡିଜେଲରେ ଲିଟର ପିଛା ୩  ଟଙ୍କା ଭାଟ୍ ଛାଡ଼ କରିଛନ୍ତି । ଯାହା ଆଜି ମଧ୍ୟରାତ୍ରରୁ ଲାଗୁ ହେବ । ତେଣୁ ଆଜି ରାତି ୧୨ଟା ପରଠାରୁ ଆମ ରାଜ୍ୟରେ ପେଟ୍ରୋଲ, ଡିଜେଲ ଦରରେ ଲିଟର ପିଛା ଆଉ ୩ ଟଙ୍କା ହ୍ରାସ ପାଇବ ।

ଦରଦାମ୍ ବୃଦ୍ଧି ପ୍ରଭାବରେ ଦେଶର ଜନତା ଦହଗଞ୍ଜ ହେଉଛନ୍ତି । ପେଟ୍ରୋଲ, ଡିଜେଲ ଦର ହୁ ହୁ ହୋଇ ବୃଦ୍ଧି ଘଟିଛି । ଏହା ସହ ରନ୍ଧନ ଗ୍ୟାସ୍ ଦର ବି ସାଙ୍ଘାତିକ ବଢ଼ିଛି । ଏହାର ପ୍ରଭାବରେ ସବୁସ୍ତରରେ ମହଙ୍ଗା ମାଡ଼ ହୋଇଛି । ଏହାକୁ ନିୟନ୍ତ୍ରଣ କରିବା ଦିଗରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ଲୋକଙ୍କ ବିରୋଧରେ ଅସନ୍ତୋଷ ରହିଛି । କିଛି ଦିନ ତଳେ ହୋଇଥିବା ଉପନିର୍ବାଚନରେ ବିଜେପିକୁ ତାହାର ଫଳ ଭୋଗିବାକୁ ହୋଇଛି । ଏହାପରେ ଆରମ୍ଭ ହୋଇଛି ଦରଦାମ୍ କମାଇବା ପ୍ରକ୍ରିୟା । ଯାହା ଖାଉଟିଙ୍କୁ କିଛିଟା ଖୁସି କରିଛି ।

Leave a Reply

Your email address will not be published. Required fields are marked *