13

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିରେ ବଦଳୁଛି କି ସୌମ୍ୟ ସମୀକରଣ? ନରମ ହେଉଛି କି ସୌମ୍ୟଙ୍କ ସତ କହି ସରକାରଙ୍କୁ ଅକଳରେ ପକାଇବାର ସ୍ୱର? ନିର୍ବାଚନ ପୂର୍ବରୁ ଖଣ୍ଡପଡ଼ା ବିଧାୟକଙ୍କ ମାନଭଞ୍ଜନରେ ସଫଳ ହେଲା କି ପାର୍ଟି? ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ସୌମ୍ୟରଂଜନ ପଟ୍ଟନାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜ୍ୱାଇଁ ହୋଇଥିଲେ ବି ନିଜ ପ୍ରତିଭା ବଳରେ ଓଡ଼ିଶାର ସାମାଜିକ ଜୀବନରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ସମ୍ବାଦଠୁ ନେଇ ରକ୍ତଦାନ, ସାହିତ୍ୟ ଯାଏଁ ସବୁଥିରେ ସେ ସଫଳ ହୋଇଥିଲେ ବି ରାଜନୀତିରେ ସେତେ ସଫଳତା ପାଇ ପାରିନାହାନ୍ତି ଯେତେ ପାଇବାର ସେ ଦକ୍ଷତା ରଖନ୍ତି ।

ଅନେକ ପାର୍ଟି ବଦଳାଇ, ନିଜର ପାର୍ଟି ଗଢି ବି ସେ ପଛରେ ରହିଯାଇଥିଲେ । ଶେଷରେ କ୍ଷମତା ପାଇଁ ସେହି ବିଜୁ ଜନତା ଦଳର ହାତ ଧରିଥିଲେ, ଯେଉଁ ଦଳକୁ ସେ ଶାଣିତ ସମାଲୋଚନା କରି ଚର୍ଚ୍ଚାରେ ରହୁଥିଲେ । ବିଜେଡିକୁ ଆସିଲେ, ରାଜ୍ୟସଭା ସାଂସଦରୁ ବିଧାୟକ ହେଲେ । ହେଲେ ତାଙ୍କ ଭଳି ଅନୁଭବୀ ଲୋକ ସରକାରରେ ମନ୍ତ୍ରୀ ହୋଇ ପାରି ନ ଥିଲେ । ବିଜେଡିରେ ଥିଲେ ବି ଅନେକ ସମୟରେ ତାଙ୍କ ମନ୍ତବ୍ୟ ଦଳ ଓ ସରକାରଙ୍କୁ ଅକଳରେ ପକାଇଛି । ପାର୍ଟି ଲାଇନରୁ ବାହାରି ନିଜ ସ୍ୱାଧୀନ ମତ ରଖି ଚର୍ଚ୍ଚାରେ ରହିଛନ୍ତି । କେତେବେଳେ ତାଙ୍କ ସମ୍ପାଦକୀୟ ଲେଖା ‘ଆମ ଘରର ହାଲଚାଲ’ରେ ସେ ସରକାରଙ୍କୁ ପରାମର୍ଶ ଦେବା ଛଳରେ ଶାସନର ଖରାପ ଦିଗକୁ ଦର୍ଶାଇଛନ୍ତି ତ କେବେ ପୁଣି ଖୋଲାଖୋଲି ସମାଲୋଚନା କରିଛନ୍ତି । ଏହି କିଛି ଦିନ ତଳେ ଏକ ସଭାରେ କହିଥିଲେ, ମୁଖ୍ୟମନ୍ତ୍ରୀ ମାନଙ୍କୁ ମନ୍ତ୍ରୀମାନେ ଭେଟି ପାରୁ ନାହାନ୍ତି ।

ତଥାପି କେହି ତୁଣ୍ଡ ଖୋଲୁନାହାନ୍ତି । ବିଜେଡି ବିଧାୟକ ସୌମ୍ୟଙ୍କ ଏଭଳି ମନ୍ତବ୍ୟକୁ ବିରୋଧୀ ଗଣ୍ଠି କରି ସରକାରଙ୍କୁ ଘେରିଥିଲେ । କେବଳ ବିଧାୟକ ନୁହେଁ ରାଜ୍ୟର ବହୁଳ ପ୍ରସାରିତ ଖବରକାଗଜ ସମ୍ବାଦର ସମ୍ପାଦକ ମଧ୍ୟ ସୌମ୍ୟରଂଜନ । ତେଣୁ ତାଙ୍କର ଏଭଳି ଆଭିମୁଖ୍ୟ ସରକାରଙ୍କୁ ଅଡୁଆରେ ପକାଇବା ସ୍ୱାଭାବିକ । ପୁଣି ଆଗକୁ ଇଲେକ୍ସନ । ମିଡିଆ ମାଲିକଙ୍କୁ ନାଖୁସ କରିବାକୁ ଚାହିଁବନି ବିଜେଡି । କିଛିଦିନ ତଳେ ବିଜେଡିର ପୂର୍ବତନ ସାଂସଦ ତଥା ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଫଟୋକୁ ନେଇ ଅନେକ କଳ୍ପନାଜଳ୍ପନା ହେଉଥିଲା । ଏବେ ସମ୍ବାଦର ସମ୍ପାଦକଙ୍କୁ ମଧ୍ୟ ଦଳ ମନେଇ ପାରିଥିବା କୁହାଯାଉଛି ।

ପୂର୍ବରୁ ସୌମ୍ୟରଂଜନଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ପ୍ରାୟତଃ ଖୋଜୁ ନ ଥିଲା । ସରକାର ଓ ଦଳ ସୌମ୍ୟଙ୍କୁ ଦୂରେଇ ଦୂରେଇ ରଖୁଥିଲେ । କେବଳ ନାମକୁ ମାତ୍ର ଦଳୀୟ ପଦପଦବୀ ଓ କିଛି ମଂଚରେ ତାଙ୍କୁ ଦେଖିବାକୁ ମିଳେ । ତେବେ ଗୁରୁବାର ଗ୍ୟାସ ଦରବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରକୁ କଡା ଜବାବ ଦେବାକୁ ବିଜେଡି ପକ୍ଷରୁ ପ୍ରେସମିଟ୍ କରିଥିଲେ ସୌମ୍ୟରଂଜନ ପଟ୍ଟନାୟକ । ଶୁକ୍ରବାର ନବ ଦାସ ହତ୍ୟା ପ୍ରସଙ୍ଗରେ ବିରୋଧୀଙ୍କ ଆକ୍ରମଣକୁ ଡିଫେଣ୍ଡ କରିଥିଲେ ସୌମ୍ୟରଂଜନ । ନବ ଦାସ ହତ୍ୟା ପ୍ରସଙ୍ଗରେ ପ୍ରଥମେ ସୌମ୍ୟଙ୍କ ଯେଉଁ ସ୍ୱର ଥିଲା ତାହା ଏଥର ବଦଳିଲା ଭଳି ଲାଗୁଥିଲା । ଲାଗୁଥିଲା ଯେମିତି ସୌମ୍ୟଙ୍କ ମାନଭଞ୍ଜନରେ ବିଜେଡି ସକ୍ଷମ ହୋଇଛି । ତେବେ ଏକଥା ସତ, ସବୁବେଳେ ପାର୍ଟି ପଛ ମାଟି ଆଗ କହୁଥିବା ସୌମ୍ୟରଂଜନଙ୍କଠାରୁ ରାଜ୍ୟବାସୀ ପାର୍ଟି ଲାଇନରେ ନୁହେଁ ବରଂ ଯାହା ସତ ତାହା ଶୁଣିବାକୁ ପସନ୍ଦ କରନ୍ତି ।

Leave a Reply

Your email address will not be published. Required fields are marked *