Masthead

‘ବଡ଼ ଖବର’ EXCLUSIVE: ଦରମା ଦବାକୁ ଟଙ୍କା ନାହିଁ, ଏରିୟର ବାଣ୍ଟିବାକୁ ଝୁଙ୍କ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ବିଶ୍ୱ ମହାମାରୀ କରୋନା ଲୋକଙ୍କ ହାତରୁ କାମ ଛଡ଼ାଇ ନେଇଛି। ରାଜକୋଷ ବି କୁଆଡ଼େ ଖାଲି ବୋଲି ସରକାର କହୁଛନ୍ତି। ସ୍ଥିତି ଏମିତି ହୋଇଛି, ଅନେକ ସ୍ଥାନରେ ସମ୍ମୁଖ ଭାଗରେ ଥିବା କୋଭିଡ୍ ଯୋଦ୍ଧା ବି ସମୟରେ ଦରମା ପାଉ ନ ଥିବା ଅଭିଯୋଗ କରି ଆନ୍ଦୋଳନ କରିଛନ୍ତି। ଦୀର୍ଘଦିନ ଧରି ସମାନ କାମକୁ ସମାନ ଦରମା ଦାବି କରୁଥିବା ଠିକା ଓ ଆଉଟସୋର୍ସିଂ କର୍ମଚାରୀଙ୍କୁ ସରକାର ନିରାଶ କରିଛନ୍ତି। ରାଜ୍ୟରେ ଅନେକ ପ୍ରକଳ୍ପ ଅର୍ଥ ଅଭାବରୁ ବନ୍ଦ। ବଜେଟରେ ବଡ଼ ଗଡ଼ବଡ଼। ନ୍ୟାର୍ଯ୍ୟ ପ୍ରାପ୍ୟରୁ ସରକାରୀ କର୍ମଚାରୀ ବଞ୍ଚିତ। ସାଧାରଣ ଲୋକେ ହନ୍ତସନ୍ତ। ଲାଗୁଛି ଯେମିତି ଅର୍ଥ ବ୍ୟବସ୍ଥା ରସାତଳକୁ ଯାଇଛି। ଜୀବନ ଓ ଜୀବିକାର ଦୋଛକିରେ ସମସ୍ତେ। କରୋନା ମାନବ ସମାଜ ସହ ଅର୍ଥନୀତିକୁ ବି ସଂକ୍ରମିତ କରିଛି। ହେଲେ ଏହା ଭିତରେ ଖୋଦ ରାଜ୍ୟ ସରକାରଙ୍କ ଏଭଳି ଏକ ଚିଠି ‘ବଡ଼ ଖବର’ ହାତରେ ଲାଗିଛି, ଯାହା ଆପଣଙ୍କୁ ଚକିତ କରିଦେବ। ଚିଠି ଦେଖିଲେ ଯେ କେହି ଭାବିବ ଅର୍ଥ ବ୍ୟବସ୍ଥାରେ କିଛି ବି ଅସୁବିଧା ନାହିଁ, ସବୁ ଯେମିତି ଠିକଠାକ। କାହିଁକି ନା ଦରମା ତ ଦରମା ଏରିୟର ବାଣ୍ଟିବାକୁ ବି ସରକାର ଭଣ୍ଡାର ଖୋଲିଦେଇଛନ୍ତି।

ଆମେ କହୁଛୁ ଗତ ୮ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏହି ଗୁରୁତ୍ୱପୂର୍ଣ୍ଣ ଚିଠି କଥା। ଅତିରିକ୍ତ ସଚିବ ଆର୍.ଆର୍. ଆୟର ଚିଠିଟି ଲେଖିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ (ଏସପିଡି)ଙ୍କୁ। ଚିଠିରେ ଅତିରିକ୍ତ ସଚିବ ବଡ଼ ମେହେରବାନ ହୋଇ କହିଛନ୍ତି ଆଦର୍ଶ ବିଦ୍ୟାଳୟର କର୍ମଚାରୀଙ୍କ ବକେୟା ଥିବା ୪୦ ପ୍ରତିଶତ ଏରିୟରକୁ ତୁରନ୍ତ ରିଲିଜ୍ କରାଯାଉ। ଓଆରଏସପି-୨୦୧୭ ଅନୁଯାୟୀ, ପିଛିଲା ଭାବେ ଲାଗୁ ହୋଇଥିବା ସପ୍ତମ ବେତନ କମିଶନର ୬୦ ପ୍ରତିଶତ ଏରିୟର ସରକାର ପୂର୍ବରୁ ଦେଇସାରିଛନ୍ତି। ମହାମାରୀ ସମୟରେ ସ୍କୁଲ ବନ୍ଦ ଥିଲେ ବି ମାସକୁ ମାସ ମୋଟା ଅଙ୍କର ଦରମା ବି ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀମାନଙ୍କୁ ଦିଆଯାଉଛି।

ସେମାନେ ମାସିକ ଦରମା ପାଇବାକୁ ଆମେ ବିରୋଧ କରୁନାହୁଁ କିମ୍ବା ଏରିୟର ଟଙ୍କା ଦେଲେ କାହାର କିଛି ଆପତ୍ତି ମଧ୍ୟ ନାହିଁ। କିନ୍ତୁ ପ୍ରଶ୍ନ ହେଉଛି ସମାନ ସମୟରେ ଅନ୍ୟ ବିଦ୍ୟାଳୟର କର୍ମଚାରୀମାନଙ୍କୁ ସର୍ବନିମ୍ନ ଦରମା ବି ଦେବାକୁ ସରକାର କୁନ୍ଥକୁନ୍ଥ। ଅର୍ଥ ବିଭାଗ କେଁ ପୂରାଉଛି। କୋଭିଡ୍ ଲଢ଼େଇରେ ନିଜ ଜୀବନକୁ ବାଜି ଲଗାଇଥିବା ରାଜ୍ୟର ହଜାର ହଜାର ଠିକା କର୍ମଚାରୀ ଦିନମଜୁରିଆଠୁ ବି କମ୍ ଦରମା ପାଉଛନ୍ତି। ସେମାନଙ୍କ ଫାଇଲ ଗଲେ ଟଙ୍କା ନାହିଁର ବାହାନା ଦେଖାଇ ଫେରାଇ ଦିଆଯାଉଛି। ସେମାନେ ବାରମ୍ବାର ରାଜରାସ୍ତାରେ ବସୁଛନ୍ତି, ଗୁହାରି କରୁଛନ୍ତି, ହେଲେ ତାଙ୍କ ଦୁଃଖ କେହି ଶୁଣୁନାହାନ୍ତି। ଠିକ୍ ଏତିକିବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଠିକ୍ ସମୟରେ ମାସିକ ମୋଟା ଦରମା ଦେଉଥିଲେ ବି ମହାମାରୀ ସମୟରେ ଏରିୟର ବାଣ୍ଟିବାର ଝୁଙ୍କ ସରକାରଙ୍କୁ କାହିଁକି ଘାରିଛି?

ସରକାର ନିଜ କର୍ମଚାରୀଙ୍କ ମଧ୍ୟରେ ପାତରଅନ୍ତର କାହିଁକି କରୁଛନ୍ତି? ଯଦି ଟଙ୍କା ଅଛି ଅନ୍ୟମାନଙ୍କୁ ମଧ୍ୟ ସେମାନଙ୍କ ପ୍ରାପ୍ୟ ଦିଆଯାଉ। ଆଉ ଯଦି ଏବେ ଟଙ୍କା ସତରେ ଅଭାବ ଅଛି ତାହେଲେ ଏରିୟର ବାଣ୍ଟିବାକୁ ଟଙ୍କା କୁଆଡ଼ୁ ଆସୁଛି? ନା ଆମେ ବୁଝିବୁ ସରକାରଙ୍କ ଦରମା ଆଉ ଏରିୟର ପଛରେ ଗୋଟିଏ ବଡ଼ ଲବି କାମ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ