Before Header

କି ଭୁଲ୍ କରିଥିଲି, ହାତ ଛାଡିଦେଲେ ସ୍ତ୍ରୀ-ପୁଅ

0 5,827

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ମଧ୍ୟରାତ୍ରୀ, ଘରେ ସମସ୍ତେ ଖାଇପିଇ ଆରାମରେ ଶୋଇଛନ୍ତି । ହଠାତ୍ ଗର୍ଭବତୀ ମଞ୍ଜୁଲତାଙ୍କ ଯନ୍ତ୍ରଣା ବଢିବାରେ ଲାଗିଲା । ପ୍ରଥମ ଗର୍ଭ, ଆସିବାକୁ ଥିବା ଛୁଆକୁ ନେଇ ବାପା-ମା’ଙ୍କ ଆଖିରେ ଅନେକ ସ୍ୱପ୍ନ । ସାଙ୍ଗେ ସାଙ୍ଗେ ସ୍ୱାମୀ ସାମ ଚାପିଆ ଅଧରାତିରେ ଆଶାକର୍ମୀଙ୍କ କବାଟ ବାଡେଇଲେ । ନେହୁରା ହୋଇ ଡାକିଲେ ମାଡାମ୍, ମାଡାମ୍, ମଞ୍ଜୁର ଯନ୍ତ୍ରଣା ହେଉଛି । ନ ଶୁଣିଲା ଭଳି ସେପଟୁ ଡାକ ଶୁଭିଲା କିଏ ? ମୋର ଦେହ ଖରାପ ଅଛି । ଏତେ ରାତିରେ କାହିଁ ହୋହଲ୍ଲା କରୁଛ । ମୁଁ ଯାଇପାରିବି ନାହିଁ ।
ସାମ ଚାପିଆଙ୍କ ମୁଣ୍ଡରେ ଚକଡ ପଡିଲା । ଏବେ ସେ କ’ଣ କରିବେ । ସାଧାସିଧା ଲୋକଟା, ଦୁନିଆ ବାବଦରେ ତାଙ୍କର ସେତେ ଜ୍ଞାନ ନାହିଁ । ତେଣେ ସ୍ତ୍ରୀ ମଞ୍ଜୁଙ୍କ ଗର୍ଭଯନ୍ତ୍ରଣା ବଢିବାରେ ଲାଗିଛି । ପଡୋଶୀଙ୍କ ସାହାଯ୍ୟରେ ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଗଲା । କିନ୍ତୁ ଆମ୍ବୁଲାନ୍ସ ଆସିବା ଦୂର କଥା ଫୋନ କଲ ବି କେହି ଉଠାଇଲେ ନି । ଅନ୍ଧାର ରାତି, ପାଖରେ ଟଙ୍କା ପଇସା କିଛି ନାହିଁ । ସ୍ତ୍ରୀକୁ ଯେମିତି ହେଲେ ଡାକ୍ତରଖାନା ନେବାକୁ ପଡିବ । ଏମିତି ଆରମ୍ଭ ହୋଇଯାଏ ସାମ ଚାପିଆଙ୍କ ସେଇ ରାତ୍ରିରେ ସଂଗ୍ରାମ ।

ଯାଜପୁର ଜିଲ୍ଲା ସୁକିନ୍ଦା ପୁବଳ ଗାଁରୁ ଦେଖିବାକୁ ମିଳିଛି ଏଭଳି ଘଟଣା । ପୁବଳ ଗାଁ ସାମ ଚାପିଆଙ୍କ ପତ୍ନୀ ମଞ୍ଜୁଲତା ଗର୍ଭବତୀ ଥିଲେ । ବୁଧବାର ରାତିରେ ମଞ୍ଜୁଲତାଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଶେଷରେ ଏକ ଅଟୋ ଭଡ଼ା କରି ମଞ୍ଜୁଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣିଥିଲେ ସାମ । ମାତ୍ର ସେଠାରେ ଡାକ୍ତର ମଞ୍ଜୁଲତାଙ୍କୁ ପରୀକ୍ଷା କରି ହାତଟେକି ଦେଇଥିଲେ । ଦାନଗଦୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ସେ ପରାମର୍ଶ ଦେଇଥିଲେ । ସାମ ବାଧ୍ୟ ହୋଇ ମଞ୍ଜୁଲତାଙ୍କୁ ୨୦ କିମି ଦୂର ଦାନଗଦୀକୁ ଆଣିଥିଲେ । ମାତ୍ର ଦାନଗଦୀରେ କେହି ଡାକ୍ତନଥିଲେ । ଉପସ୍ଥିତ ସ୍ୱାସ୍ଥ୍ୟକର୍ମଚାରୀ ତାଙ୍କୁ ୧୦୨ ଅମ୍ବୁଲାନ୍ସ ଯୋଗାଇ ଦେଇ ୫୦ କିମି ଦୂର ଯାଜପୁର ଟାଉନରେ  ଥିବା ଜିଲ୍ଲାମୁଖ୍ୟ ହସ୍ପିଟାଲକୁ ପଠାଇ ଦେଇଥିଲେ ।

ମଞ୍ଜୁଲତା ଯାଜପୁର ଟାଉନ୍ ରେ ପହଞ୍ଚିବା ପରେ ଶିଶୁପୁତ୍ରକୁ ଜନ୍ମ ଦଇଥିଲେ । ପରେ ମଞ୍ଜୁଲତା ଗୁରୁତର ଥିବା କହି ତାଙ୍କୁ କଟକ ସ୍ଥାନାସ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ସ୍ତ୍ରୀ ଏବଂ ନବଜାତ ଶିଶୁକୁ କଟକ ନେବାକୁ ସାମ ଉଦ୍ୟମ କରୁଥିବା ବେଳେ ଉଭୟ ମା’ଏବଂ ଶିଶୁ’ଙ୍କର ଯାଜପୁର ଟାଉନ୍ ହିଁ  ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ କରିବା ବଦଳରେ ଉଭୟ ମା’ଏବଂ ଶିଶୁଙ୍କ ମୃତଦେହକୁ ନେଇ ଯିବାକୁ ଡାକ୍ତର କହିଥିବା କହିଛନ୍ତି ସାମ । ପରେ ଏକ ଭଡ଼ା ଗାଡିରେ ନବଜାତ ଶିଶୁ ଏବଂ ପତ୍ନୀଙ୍କ ଶବକୁ ଗାଁ କୁ ଆଣିଥିଲେ ସାମ । ମାତ୍ର ଗାଡି ଭଡ଼ା ଦେବାକୁ ସାମଙ୍କ ପାଖରେ ଟଙ୍କା ନଥିବାରୁ ଗ୍ରାମବାସୀ ଚାନ୍ଦା କରି ୫ହଜାର ଟଙ୍କା ଗାଡିଭଡ଼ା ଦେଇଛନ୍ତି ।

ପ୍ରଶ୍ନ ଉଠୁଛି ସରକାରଙ୍କ ଏତେ ସବୁ ଯୋଜନା କାହାପାଇଁ? ମା’ ଗର୍ଭବତୀ ହେବାଠାରୁ ଛୁଅ ବଡ ହେବା ପର୍ଯ୍ୟନ୍ତ ମାଳ ମାଳ ଯୋଜନା । ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ତୃଣମୂଳରେ ଏହିସବୁ ଯୋଜନାର କାର୍ଯ୍ୟକାରିତା ନକହିଲେ ଭଲ । ଆଦିବାସୀ ସାମ ଚାପିଆ କ’ଣ ଭୁଲ କରିଥିଲେ । ଶେଷରେ ସ୍ତ୍ରୀ ଓ ନବଜାତ ଶିଶୁପୁତ୍ରକୁ ହରାଇଲେ । ଏତେ ସବୁ ସରକାରୀ ବ୍ୟବସ୍ଥା କାହା ପାଇଁ ? ସ୍ତ୍ରୀର ଜୀବନ ବଞ୍ଚାଇବା ପାଇଁ ରାତିସାରା ପ୍ରାୟ ୧୦୦ କିମି ଦୌଡିଲେ । ଲାଗୁଛି ଆଶାକର୍ମୀ, ଆମ୍ବୁଲାନ୍ସ, ଡାକ୍ତର, ଡାକ୍ତରଖାନା ଏସବୁ ଗରିବଙ୍କ ଭାଗ୍ୟରେ ନାହିଁ । ସାମ ଚାପିଆଙ୍କ ସ୍ତ୍ରୀ ଓ ନବଜାତ ଶିଶୁ ଜୁଇରେ ଜଳିସାରିଛନ୍ତି । ହେଲେ ଏବେ ବି ସେମାନଙ୍କ ମୃତ୍ୟୁର କାରଣ ଖୋଜିବାକୁ କାହା ପାଖରେ ସମୟ ନାହିଁ ।

Leave A Reply

Your email address will not be published.