Before Header

୪ ହଜାର ୭୬ କୋଟିର ହିସାବ ଗାଏବ

0 35

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସରକାରୀ ଗୋଦାମକୁ ଖାଲି କରିଦେଇଛି ମୂଷା । ଟଙ୍କେ କି ଦୁଇ ଟଙ୍କା ନୁହେଁ ୪ ହଜାର ୭୬ କୋଟିର ହିସାବ ଗାଏବ । ରାଜ୍ୟରେ ସରକାରୀ ଉଦ୍ୟୋଗରେ ବଡ଼ ଧରଣର ହେରାଫେରିକୁ ଧରିଛନ୍ତି ମହାଲେଖାକାର ବା ଏଜି । ୨୮ଟି ସରକାରୀ ଉଦ୍ୟୋଗର ତଥ୍ୟ ବିଭାଗ ପାଖରେ ନାହିଁ । ଯେଉଁଥିରେ ରାଜ୍ୟସରକାର ନିବେଶ କରିଛନ୍ତି ୪ ହଜାର ୭୬ କୋଟି । ମହାଲେଖାକାର ତଥ୍ୟରୁ ଜଣାପଡ଼ିଛି ସରକାରଙ୍କ ନିୟମ ଅନୁଯାୟୀ ଯଦି କୌଣସି ଅର୍ଥ ଗ୍ରହଣ କରିବାରେ ୩ ଦିନରୁ ଅଧିକ ବିଳମ୍ବ ହେବ ସେ କ୍ଷେତ୍ରରେ ସଂପୃକ୍ତ ଅଧିକାରୀ ଦାୟୀ ରହିବେ । କେବଳ ଏତିକି ନୁହେଁ ବରଂ ଓଡ଼ିଶା ସାଧାରଣ ଆର୍ଥିକ ନିୟମ ୨୨ ଅନୁଯାୟୀ ଆବଶ୍ୟକ ପଡ଼ିଲେ ସଂପୃକ୍ତ ବିତ୍ତ ଅଧିକାରୀ ତାଙ୍କ ପକେଟରୁ କ୍ଷତି ଭରଣା କରିବେ । ହେଲେ ଏହି ନିୟମକୁ ଖୋଲାଖୋଲି ଭାବରେ ଉଲ୍ଲଘଂନ କରାଯାଉଥିବାର ଦେଖିବାକୁ ମିଳିଛି ।

କାହିଁକିନା ଅର୍ଥ ବିଭାଗ ପକ୍ଷରୁ ୨୦୧୮-୧୯ ରୁ ୨୦୨୦-୨୧ ମଧ୍ୟରେ ବିଭିନ୍ନ ସରକାରୀ ଉଦ୍ୟୋଗ ୩ରୁ ୬୭ ଦିନ ମଧ୍ୟରେ ସେମାନଙ୍କର ଲାଭ ବା ପିଏଟି ପଇଠ କରିନାହାଁନ୍ତି । ଏହା ଛଡ଼ା ସବୁଠାରୁ ରୋଚକ କଥାଟି ହେଉଛି ଓଡ଼ିଶା ଖଣି ନିଗମ ୧ ହଜାର କୋଟି ଟଙ୍କାର ଲାଭାଂଶ ୨୦୨୧ ମାର୍ଚ୍ଚ ୪ରେ ପଇଠ କରିଥିଲା । ହେଲେ ସରକାରୀ ଖାତାକୁ ଏହା ୧୬ ଦିନ ପରେ ଆସିଥିଲା । ଏଇଠି ସିଧାସଳଖ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । ସେହିପରି ଓଡ଼ିଶା ଜଳବିଦ୍ୟୁତ ନିଗମ ୩୧.୫୮ କୋଟି ଟଙ୍କା ୨୦୧୯ ନଭେମ୍ବର ୨୫ରେ ପଇଠ କରିଥିବାବେଳେ ଏହା ସରକାରୀ ଖାତାକୁ ୬୭ ଦିନ ପରେ ପହଞ୍ଚିଥିଲା । ଅର୍ଥାତ ୨୦୨୦ ଫେବୃଆରୀ ୩ରେ ଆସିଲା । ଏପରିକି ସରକାର ଯେଉଁ ସବୁ ସରକାରୀ ଉଦ୍ୟୋଗଗୁଡ଼ିକରେ ଗ୍ୟାରେଣ୍ଟର ରହିଛନ୍ତି ସେ କ୍ଷେତ୍ରରେ ମଧ୍ୟ ଉଦ୍ୟୋଗଗୁଡ଼ିକ ଖାମଖିଆଲି ମନୋଭାବ ଦେଖାଯାଉଥିବାର କଥା ସାମ୍ନାକୁ ଆସିଛି । ଏପରିକି ଠିକଣା ସମୟରେ ଋଣ ପରିଶୋଧ ମଧ୍ୟ କରୁନାହାଁନ୍ତି ।

ଯାହାଫଳରେ ସରକାରଙ୍କୁ ୭୮ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ସେପଟେ ୫୩ ଟି ସଂସ୍ଥା ଉପରେ ଗ୍ୟାରେଣ୍ଟି ଫିସ ବାବଦକୁ ୭୮.୩୬ କୋଟି ଟଙ୍କା ବକେୟା ରହିଛି । ଏଥିମଧ୍ୟରେ ୫୩ଟି ସଂସ୍ଥାର ୧୯୬୨ରୁ ୨୦୨୦ ମଧ୍ୟରେ ୫୯.୫୨ କୋଟି ଟଙ୍କା ଏବଂ ୨୦୦୦ରୁ ୨୦୨୦ ମଧ୍ୟରେ ୧୮.୮୫ କୋଟି ଟଙ୍କା ରହିଛି । ସେପଟେ ଅର୍ଥ ବିଭାଗ ପକ୍ଷରୁ ଗ୍ୟାରେଣ୍ଟି ଅର୍ଥ ପ୍ରଦାନ କରିବାକୁ ଆଦେଶ ପ୍ରଦାନ କରାଯାଇ ନାହିଁ । ଯାହାଫଳରେ ସରକାରଙ୍କୁ ୭୯ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ସବୁଠାରୁ ବିଡ଼ମ୍ବନାର ବିଷୟ ଯେ ଏହାକୁ ଦେଖିବାକୁ ଅର୍ଥ ବିଭାଗ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଥିଲେ ମଧ୍ୟ ଏହାର ସଠିକ ତଦାରଖ କରାଯାଉ ନାହିଁ । ବିଭାଗ ନିଜର ଦାୟିତ୍ୱ ନିର୍ବାହ କରୁନଥିବାରୁ ବିଭିନ୍ନ ସରକାରୀ ଉଦ୍ୟୋଗକୁ ପ୍ରାୟ ୯୦ କୋଟି ଟଙ୍କା ହରାଇବାକୁ ପଡ଼ୁଛି । ଏସବୁକୁ ଦୃଷ୍ଟିରେ ରଖି ଆସନ୍ତା ୨୭ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.