Before Header

ଦୁବାଇରୁ ଫେରି ମନ୍ତ୍ରୀ ହେବେ ବାପି ! ସରଗରମ୍ ଚାନ୍ଦବାଲି ରାଜନୀତି

0 242

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୁବାଇରୁ ଫେରି ମନ୍ତ୍ରୀ ହେବେ ବାପି । ଏହା ସତ ନା ବ୍ୟୋମକେଶ ସମର୍ଥକଙ୍କ ଗୁଜବ । ନା ମନମୋହନଙ୍କୁ ଚେକ୍ ଦେବାକୁ ବିଜେଡିର ଫର୍ମୁଲା । ବାଚସ୍ପତି ଇସ୍ତଫା ଦେଲେ । ଦୁଇ ମନ୍ତ୍ରୀ ବି ଇସ୍ତଫା ଦେଲେ । ଘଟଣାକୁ ୩ ଦିନ ହୋଇଗଲାଣି । ଦିଲ୍ଲୀରୁ ନବୀନ ଫେରିସାରିଲେଣି । ବୃହତ ବ୍ୟବଧାନରେ ଦୀପାଲି ବି ଜିତିସାରିଲେଣି । କିନ୍ତୁ କଣ ହେଲା କେଜାଣି, ଏଯାଏଁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନିଷ୍ପତି ହୋଇପାରୁନି । ଏପଟେ କିନ୍ତୁ ପ୍ରତିଦିନ ଗଣମାଧ୍ୟମ, ସୋସିଆଲ ମିଡିଆରେ ନୂଆ ମନ୍ତ୍ରୀଙ୍କ ସମ୍ଭାବ୍ୟ ତାଲିକା ଘୂରିବୁଲୁଛି । ସୋସିଆଲ ମିଡିଆରେ ବେଶି ବୁଲୁଛି ବ୍ୟୋମକେଶ ରାୟଙ୍କ ନାଁ । ବ୍ୟୋମକେଶ ଓରଫ୍ ବାପି । ଚାନ୍ଦବାଲିରୁ ଦୁଇ ଦୁଇ ଥର ବିଧାୟକ । ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ।

 

ପ୍ରଥମେ ବିଜୁ ଛାତ୍ର ଜନତା ପରେ ବିଜୁ ଯୁବ ଜନତା ଦଳର ସଭାପତି । ଗତଥର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ସେ ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଶେଷମୁହୂର୍ତରେ ନାଁ ବାଦ୍ ପଡିଲା । ଅରୁଣଙ୍କ ହାତ ଧରି ରାଜନୀତିକୁ ଆସିଥିବା ବାପି ପରେ ବବି କ୍ୟାମ୍ପର ବିଶ୍ୱସ୍ତ ସାଜିଥିଲେ । ହେଲେ ଧାମନଗର ପରାଜୟ ପରଠୁ ଦଳ ତାଙ୍କ ଉପରେ ଆଗପରି ଖୁସି ନାହିଁ । ଧାମନଗରରେ ଦଳର ପରାଜୟ ପାଇଁ ତାଙ୍କ ଉପରେ ପ୍ରଶ୍ନ ଉଠିଛି ।

 ସମୀକରଣ ଖାଲି ବାପିଙ୍କ ପାଇଁ ବଦଳିନାହିଁ । ବିଜେପିରେ ବି ବଦଳିଛି । ଯେଉଁ ସମୀକରଣ ବାପିଙ୍କୁ ଅଡୁଆରେ ପକାଇପାରେ । ସେହି ସମୀକରଣ ବାପିଙ୍କୁ ମନ୍ତ୍ରୀପଦ ବି ଦେଇପାରେ । ଚାନ୍ଦବାଲିରେ ବାପିଙ୍କ ବିରୋଧରେ ଲଢୁଛନ୍ତି ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ।

 

ମେଂଟ ବେଳେ ମନ୍ତ୍ରୀ ଥିଲେ ମେଂଟ ଭାଙ୍ଗିବା ପରେ ୨୦୦୯ରେ ଭଣ୍ଡାରୀପୋଖରୀ, ୨୦୧୪ରେ ଚାନ୍ଦବାଲି, ପୁଣି ୧୯ରେ ସେହି ଚାନ୍ଦବାଲିରୁ ଲଢି ଲଗାତାର ୩ ଥର ପରାଜିତ ହୋଇସାରିଛନ୍ତି । ୧୪ରେ ନବାଗତ ବାପି ଲଗାତାର ଦୁଇଟି ବିଜୟ ପରେ ହେଭିୱେଟ୍ ହୋଇସାରିଲେଣି । ଆଉ ଏପଟେ ମନମୋହନ ଏବେ ଖାଲି ବାପିଙ୍କ ପ୍ରତିଦ୍ୱନ୍ଦୀ ନୁହେଁ, ବିଜେଡିର ମୁଖ୍ୟ ବିରୋଧୀ ବିଜେପିର ରାଜ୍ୟ ମୁଖିଆ ମଧ୍ୟ । ଧର୍ମେନ୍ଦ୍ରଙ୍କ ଖାସ୍ ସମୀରଙ୍କୁ ହଟାଇ ୨୪ ସଂଗ୍ରାମ ପାଇଁ ମନମୋହନଙ୍କୁ ଦାୟିତ୍ୱ ଦେଇଛି ବିଜେପି । ଯାହା ତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରିଛି । ଗତଥର ମାତ୍ର ୮ ହଜାର ୮୦ ଭୋଟରେ ହାରିଥିବା ମନମୋହନଙ୍କୁ ଯେମିତି ହେଉ ଜିତାଇବାକୁ ଏବେଠୁ ଲାଗିପଡିଲେଣି । ମୁଖ୍ୟ ବିରୋଧୀ ଦଳର ସଭାପତିଙ୍କୁ ଘେରିବାକୁ ନିଶ୍ଚୟ ଚାହିଁବ ବିଜେଡି । ସେଥିପାଇଁ ଚାନ୍ଦବାଲି ବିଧାୟକ ବ୍ୟୋମକେଶଙ୍କୁ ଅଧିକ ଶକ୍ତିଶାଳୀ କରିବାକୁ ମନ୍ତ୍ରୀ ପଦ ଦିଆଯାଇପାରେ ବୋଲି କୁହାଯାଉଛି । ଅର୍ଥାତ ମନମୋହନ ବିଜେପି ରାଜ୍ୟ ସଭାପତି ହେବା ପରେ ଗୋଟେପଟେ ବ୍ୟୋମକେଶଙ୍କ ଚିନ୍ତା ବଢିଥିବା ବେଳେ ଅନ୍ୟପଟେ ତାଙ୍କୁ ସେହି ସମାନ କାରଣ ପାଇଁ ମନ୍ତ୍ରୀ ପଦ ବି ମିଳିପାରେ । ଏମିତି ହେଲେ ଚାନ୍ଦବାଲି ଦେଖିବ ହାଇଭୋଲଟେଜ୍ ଟକ୍କର । ଏସବୁ ଭିତରେ ଏକଥା ବି କୁହାଯାଉଛି, ବାପି ଯଦି ମନ୍ତ୍ରୀ ପଦ ନ ପାଆନ୍ତି ବୁଝିବାକୁ ହେବ ପାର୍ଟି ହାଇକମାଣ୍ଡ ତାଙ୍କ ଉପରେ ସଂପୂର୍ଣ୍ଣ ସନ୍ତୁଷ୍ଟ ନାହାନ୍ତି । ସେପଟେ ୨୪ରେ ଚାନ୍ଦବାଲି ପାଇଁ ବିଜେଡିର ଆଶାୟୀ ସଂଖ୍ୟା ବି ବଢିବାରେ ଲାଗିଛି । ସେଥିରେ ସବୁଠୁ ବେଶି ଚର୍ଚ୍ଚାରେ ରହିଛନ୍ତି ଦଳୀୟ ପ୍ୟାନେଲିଷ୍ଟ ଅମିତ ମଲ୍ଲିକ ।

ପୂର୍ବତନ ବିଧାୟକ ହୃଦାନନ୍ଦ ମଲ୍ଲିକଙ୍କ ନାତି, ମାନସ ମଲ୍ଲିକଙ୍କ ପୁଅ, ଏବେର ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ପୁତୁରା ଅମିତ୍ । ଏହା ପୂର୍ବରୁ ଯେବେ ୨୦୦୦ ମସିହାରେ ବିଜେପି ରାଜ୍ୟ ସଭାପତି ଥିଲେ ମନମୋହନ, ସେତେବେଳେ ଧାମନଗରରେ ଅମିତଙ୍କ ବାପାଙ୍କ ସହ ଲଢେଇ ହୋଇଥିଲା । ସ୍ୱାଧୀନ ଭାବେ ଲଢି ମାନସ ମଲ୍ଲିକ ମେଂଟରୁ ବିଜେପି ପ୍ରାର୍ଥୀ ମନମୋହନଙ୍କୁ ହରାଇଦେଇଥିଲେ । ଏବେ ଯଦି ଅମିତ ଚାନ୍ଦବାଲି ଟିକଟ ପାଆନ୍ତି ତାଙ୍କର ଲଢେଇ ସେହି ମନମୋହନଙ୍କ ସହ ହେବ ଯାହାଙ୍କ ଲଢେଇ ତାଙ୍କ ବାପାଙ୍କ ସହ ହେଉଥିଲା ।

Leave A Reply

Your email address will not be published.