Before Header

ମଣିଷମୁଣ୍ଡର କିମତ୍ କ’ଣ ୨୦ ହଜାର ! ପଢ଼ନ୍ତୁ ପୂରା ଖବର

0 206

ବାଣପୁର (ବଡ଼ ଖବର ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ବନଖଣ୍ଡରେ ଚାଲିଛି ଜଙ୍ଗଲ ଲୁଟ୍ । ଚୋରାକାଠ ମାଫିଆମାନେ ଅସାଧୁ ବନକର୍ମଚାରୀଙ୍କୁ ହାତକରି ସଂରକ୍ଷିତ ଜଙ୍ଗଲରେ ଚଳାଇଛନ୍ତି ରାଜ । ନିଜ ଦୋଷ ଦୁର୍ବଳତାକୁ ଘୋଡାଇବାକୁ ଯାଇ ବେଳେବେଳେ ସେଇ ଅସାଧୁ ବନ କର୍ମଚାରୀମାନେ ହିଂସ୍ର ହୋଇ ଉଠୁଛନ୍ତି । ନିଜ ହାତକୁ ନେଉଛନ୍ତି ଆଇନ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଣପୁର ବ୍ଲକ ଧୂଆଁନଳୀ ଜଙ୍ଗଲରେ ।

ଗଞ୍ଜାମ, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାର କମାଫିଆମାନେ ପ୍ରତିଦିନ ବାଣପୁର ଜଙ୍ଗଲରୁ କାଠଲୁଟ କରୁଛନ୍ତି । ଏହା ବନ ବିଭାଗ ଅଜ୍ଞାତରେ ହେଉଥିବା ବିଶ୍ୱାସ କରାଯାଇପାରେନା । ନ ହେଲେ ଜଙ୍ଗଲ ପଦା ହୁଅନ୍ତା କେମିତି ? ଅକ୍ଟୋବର-୧୨ ତାରିଖର ଘଟଣା । ନୟାଗଡ ଜିଲ୍ଲା ଶରଣପୁର ଥାନା ଗୋଲଗାଁର ବଳଭଦ୍ର ବେହେରା ଓରଫ ଟିକି, ମୁରଲୀ ସିଂ, ଆଦାମ ବେହେରା ଓ ନେପାଳ ବେହେରା ବାଣପୁର ମାଳରୁ ବାଇଗଣ କିଣି ସନ୍ଧ୍ୟାରେ ଗାଁକୁ ଫେରୁଥିଲେ । ଧୂଆଁନଳୀ ଜଙ୍ଗଲ ଭିତରେ ୬ରୁ ୭ଜଣ ବନ କର୍ମଚାରୀ ସେମାନଙ୍କୁ ଘେରିଯାଇଥିଲେ । ବାଇଗଣ ପାଇଁ ଆସିଥିଲୁ ବୋଲି ଲୋକମାନେ କହିଥିଲେ ମଧ୍ୟ ବିଶ୍ୱାସ କରିନଥିଲେ ବନ କର୍ମଚାରୀ । ଅଶ୍ଳୀଳ ଭାଷାରେ ସେମାନଙ୍କୁ ଗାଳିଗୁଲଜ କରିଥିଲେ । ସେମାନଙ୍କୁ ଘେରିଯିବା ବେଳେ କୌଶଳକ୍ରମେ ୩ଜଣ ଘଟଣାସ୍ଥଳରୁ ପଳାଇଯାଇ କିଛି ଦୂରରେ ଲୁଚି ସାଥୀ ବଳଭଦ୍ରଙ୍କ ଫେରିବା ବାଟକୁ ଅପେକ୍ଷା କରିଥିଲେ ।

ବଳଭଦ୍ର ବନ କର୍ମଚାରୀଙ୍କ କବଳରୁ ଖସିପାରିନଥିଲେ । କିଛି ସମୟପରେ ବୋପାଲୋ, ମା’ଲୋ, ମରିଗଲି ବୋଲି ବଳଭଦ୍ର ଚିକ୍ରାର କରିଥିଲେ । ଅଦୂରରେ ଲୁଚି ରହିଥିବା ମୁରଲୀ, ଆଦାନ ଓ ନେପାଳ ଚିକ୍ରାର ଶୁଣି ଗାଁକୁ ଫେରି ବଳଭଦ୍ରଙ୍କ ଘରେ ସମସ୍ତ କଥା କହିଥିଲେ । ଗାଁ ଲୋକଙ୍କଠାରୁ ଖବର ପାଇ ବଳଭଦ୍ରଙ୍କ ସ୍ତ୍ରୀ ପ୍ରତିମା ବେହେରା ତାଙ୍କର କିଛି ଆତ୍ମୀୟଙ୍କ ସହ ଅକ୍ଟୋବର ୧୩ ତାରିଖରେ ବାଣପୁରରେ ପହଞ୍ଚିଥିଲେ । ସେଠାରେ ଶୁଣିବାକୁ ପାଇଲେ, ଗୋଟିଏ ଲୋକକୁ ଜଙ୍ଗଲ ଭିତରେ ମର୍ଡର କରାଯାଇଛି, ଶବ ବାଣପୁର ଡାକ୍ତରଖାନାକୁ ଅଣାଯାଇଛି ।

ବଳଭଦ୍ରଙ୍କ ଶବକୁ ତାଙ୍କ ସ୍ତ୍ରୀ ପ୍ରତିମା ବାଣପୁର ଡାକ୍ତରଖାନାରେ ପଡିଥିବା ଦେଖି ଚେତାଶୂନ୍ୟ ହୋଇପଡିଥିଲେ । ଆତ୍ମୀୟମାନେ ଅଡି ବସିଥିଲେ ଉପଯୁକ୍ତ ନ୍ୟାୟ ଓ କ୍ଷତିପୂରଣ । ବଳଭଦ୍ରଙ୍କ ହତ୍ୟାକାରୀ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିମା ଦାବିକରି ଡାକ୍ତରଖାନା ଆଗରେ ଆତ୍ମୀୟଙ୍କ ସହ ଦେଇଥିଲେ ଧାରଣା ।

ଶବକୁ ଡାକ୍ତରଖାନାରେ ପକାଇ ଚମ୍ପଟ ମାରିଥିଲେ ବନ କର୍ମଚାରୀ । ଏହି ଘଟଣାକୁ ଚପାଇଦେବା ପାଇଁ ଉଦ୍ୟମ ଚାଲିଥିବା ବେଳେ ୩ ପ୍ଲାଟୁନ୍ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ବୁଝାସୁଝା ପରେ ରାଜି ହୋଇଥିଲେ ପ୍ରତିମା । ବାଣପୁର ଥାନାରେ ଦେଇଛନ୍ତି ଏତଲା । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୋଲିସର ଅପେକ୍ଷା । ରେଡକ୍ରସରୁ ୧୦ ହଜାର ଓ ଜଙ୍ଗଲ ବିଭାଗ ଆଉ ୧୦ ହଜାର ଟଙ୍କା ପୋଲିସ ମାଧ୍ୟମରେ ପ୍ରତିମାଙ୍କୁ ଦେଇଛନ୍ତି । ସ୍ୱାମୀର ଶବନେଇ ପ୍ରତିମା ଗାଁକୁ ଯାଇଛନ୍ତି ।

ପ୍ରଶ୍ନ ଉଠୁଛି ବଳଭଦ୍ରଙ୍କ ମୃତ୍ୟୁ ହେଲା କିପରି । ପ୍ରତିମାଙ୍କ ଅଭିଯୋଗ ଯଦି ସତ ହୋଇଥାଏ ତେବେ ସାଙ୍ଘାତିକ ନିଶ୍ଚୟ । ଜଙ୍ଗଲ ଲୁଟି ବ୍ୟକ୍ତିଗତ ସମ୍ପତ୍ତି ବଢାଉଥିବା କର୍ମଚାରୀ ଓ ସେମାନଙ୍କୁ ସୁରକ୍ଷା ଦେଉଥିବା ଅଧିକାରୀଙ୍କ ଅସଲ ମୁଖା ଖୋଲିବାର ସମୟ ଆସିଛି । ଜଣେ ମଣିଷର ମୁଣ୍ଡର କିମତ୍ କ’ଣ ୨୦ ହଜାର ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ପ୍ରତିମାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ନିରବ ରହିବ ନାହିଁ ‘ବଡ଼ ଖବର’, ସଂଗ୍ରାମ ଜାରି ରଖିବ ।

Leave A Reply

Your email address will not be published.